କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଥିପାଇଁ ଋଷ ସେନା କିବ ମୁହାଁ ହୋଇଛନ୍ତି । ଏପରିକି କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ମାଡ କରୁଛି ଋଷ । ଆଉ ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାବବିହ୍ୱଳ ହୋଇଛନ୍ତି । ଏକ ଭିଡ଼ିଓ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି, ଋଷର ଟାର୍ଗେଟରେ ଏବେ ପ୍ରଥମେ ମୁଁ ରହିଛି । ଦ୍ୱିତୀୟରେ ମୋ ପରିବାର ରହିଛି । ତେବେ ମୁଁ କିମ୍ବା ମୋର ପରିବାର ବିଶ୍ୱାସଘାତକ ନୁହେଁ ଯେ ୟୁକ୍ରେନ୍ ଛାଡି ଚାଲିଯିବୁ ।
ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ମୁଁ ୟୁକ୍ରେନରେ ରହିଛି, ମୋ ପରିବାର ମଧ୍ୟ ଏବେ ୟୁକ୍ରେନରେ ରହିଛନ୍ତି, ମୋର ପିଲା ମଧ୍ୟ ୟୁକ୍ରେନରେ ରହିଛନ୍ତି । ମୁଁ ଓ ମୋର ପରିବାର ୟୁକ୍ରେନର ନାଗରିକ । ଋଷ ବିରୋଧରେ ମୁଣ୍ଡ ନୁଆଁଇ ନଥିବାରୁ ଏବେ ମୁଁ ଓ ମୋର ପରିବାର ଏବେ ପ୍ରଥମ ଟାର୍ଗେଟରେ ରହିଛନ୍ତି । ଋଷ ସରକାର ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । ମୁଁ ୟୁରୋପୀୟ ଦେଶ ଗୁଡିକ ସହ କଥା ହେଲି, ଏପରିକି ୟୁକ୍ରେନକୁ ନାଟୋରେ ସାମିଲ କରିବାକୁ ପ୍ରଶ୍ନ କଲି । କିନ୍ତୁ କେହି ଉତ୍ତର ଦେଲେ ନାହିଁ । ସମସ୍ତେ ଋଷକୁ ଭୟ କରୁଛନ୍ତି, କିନ୍ତୁ ଆମେ ଋଷର ନାଲିଆଖିକୁ ଡରୁନାହୁଁ । ନିଜ ଦେଶର ସୁରକ୍ଷା ପାଇଁ ଲଢେଇ କରିବାକୁ ଡରୁନାହୁଁ ।
ୟୁକେନରେ ଋଷ ସମର୍ଥିତ ସରକାର କ୍ଷମତାରୁ ଯିବା ପରେ ୟୁକ୍ରେନ୍ ନାଟୋ ଗ୍ରୁପରେ ସାମିଲ ହେବାକୁ ଉଦ୍ୟମ କରିଥିଲା । କିନ୍ତୁ ୟୁକ୍ରେନ ନାଟୋ ଗ୍ରୁପରେ ସାମିଲ ହେବା ଦ୍ୱାରା ଋଷର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା । ଯେଉଁଥିପାଇଁ ୟୁକ୍ରେନର ନାଟୋରେ ସାମିଲ ହେବା ନିଷ୍ପତ୍ତିକୁ ବିରୋଧ କରି ଆସୁଥିଲା ଋଷ ।
ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଋଷର ଆକ୍ରମଣରେ ଆମ ଦେଶର ଯେତେଜଣ ବି ପ୍ରାଣ ହରାଇଛନ୍ତି ସମସ୍ତେ କୌଣସି ଯୋଦ୍ଧା ଠାରୁ ମଧ୍ୟ କମ ନୁହଁନ୍ତି । ଏହାଛଡା ଋଷର ଏଭଳି ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭୁଲ । ଋଷ ପୂର୍ବରୁ କହିଥିଲା ଯେ, କେବଳ ସୈନ୍ୟ ଆଡ୍ଡା ଓ ସାମରିକ ଘାଟି ଉପରେ ଆକ୍ରମଣ କରିବ କିନ୍ତୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ଋଷ ଏବେ ଆକ୍ରମଣ କରୁଛି । ଯାହା ଫଳରେ ୟୁକ୍ରେନ ଲୋକଙ୍କ ଜୀବନ ଯାଉଛି । ଓଡେସା ଦ୍ୱୀପକୁ ଋଷ କବଜା କରିଛି । ତେଣୁ ଋଷର ଆକ୍ରମଣରୁ ବର୍ତ୍ତିବାକୁ ୟୁକ୍ରେନ ଲୋକଙ୍କୁ ସତର୍କ କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।
ଏସବୁ ଭିତରେ ୟୁକ୍ରେନ ଅନ୍ୟ ଦେଶ ଠାରୁ ସହାୟତା ଲୋଡୁଥିବା ବେଳେ ଆମେରିକା ହାତ ଟେକି ଦେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି ଯେ, ୟୁକ୍ରେନକୁ ନିଜର ସେନା ପଠାଇବ ନାହିଁ ଆମେରିକା । ତେବେ ନାଟୋ ଦେଶର ପ୍ରତିଟି ଇଞ୍ଚ ଜାଗା ପାଇଁ ଆମେ ଲଢିବୁ । ଏହାସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କୌଣସି ଆଲୋଚନା କରିବା ନେଇ ଯୋଜନା ନଥିବା ସ୍ପଷ୍ଟ କରିଛନ୍ତି ଜୋ ବାଇଡେନ । ଋଷ ଉପରେ ସମସ୍ତ ପ୍ରକାର କଟକଣା ଲଗାଇବାକୁ ଜି-୭ ରାଷ୍ଟ୍ର ନିଷ୍ପତ୍ତି ନେବୁ ।