ଋଷ-ୟୁକ୍ରେନ ବିବାଦ ମଧ୍ୟରେ ୟୁରୋପୀୟ ସଂଘମୁଖ୍ୟଙ୍କ ଚେତାବନୀ, ଋଷକୁ ନେଇ କହିଲେ ଏଭଳି କଥା

189

କନକ ବ୍ୟୁରୋ : ଋଷ-ୟୁକ୍ରେନ ବିବାଦ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ଗୋଟିଏ ପଟେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଋଷ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ୟୁକ୍ରେନ ସମର୍ଥନରେ ଆମେରିକା ଠିଆ ହୋଇଛି । ଏହାରି ମଧ୍ୟରେ ୟୁରୋପୀୟ ସଂଘ ଏହି ବିବାଦରେ ହସ୍ତକ୍ଷେପ କରିଛି । ୟୁରୋପୀୟ ସଂଘମୁଖ୍ୟ ଉର୍ସୁଲା ଭୋନ ଡେର ଲେୟେନ ଶନିବାର ଦିନ ଋଷକୁ ଚେତାବନୀ ଦେଇ କହିଛନ୍ତି କି ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଋଷର ଭବିଷ୍ୟତ ବିପଦରେ ପଡିବ । ସେ କହିଛନ୍ତି କି କୌଣସି ଆକ୍ରୋଶ ପରିସ୍ଥିତିରେ ମସ୍କୋ ବିରୋଧରେ ଆର୍ଥିକ ଓ ଅର୍ଥନୈତିକ ପ୍ରତିବନ୍ଧକର ଏକ ‘ଦୃଢ ପ୍ୟାକେଜ’ ଆଣିବାକୁ ୟୁରୋପୀୟ ସଂଘ ପ୍ରତିଶ୍ରୁତି ଦେଇଛି ।

କେବଳ ସେତିକି ନୁହେଁ ୟୁରୋପୀୟ ସଂଘମୁଖ୍ୟ କହିଛନ୍ତି କି ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଭବିଷ୍ୟତରେ ଋଷକୁ ଏକ ବଡମୂଲ୍ୟ ଦେବାକୁ ପଡିବ । ସେ ଋଷ ଉପରେ ଅଭିଯୋଗ ଆଣି କହିଛନ୍ତି କି ଋଷ ଅର୍ନ୍ତରାଷ୍ଟ୍ରୀୟ ବ୍ୟବସ୍ଥା ଆଇନକୁ ଉଲଙ୍ଘନ କରିବାକୁ ଚେଷ୍ଟା କରୁଛି ଓ ଏହାକୁ ବଦଳାଇ କ୍ଷମତାକୁ ବ୍ୟବହାର କରିବାକୁ ପ୍ରୟାସ କରୁଛନ୍ତି ଋଷ ରାଷ୍ଟ୍ରପତି ।

କହିରଖୁ କି ଏବେ ଋଷ ଓ ୟୁକ୍ରେନ ସୀମା ଉପରେ ସାରା ବିଶ୍ୱର ନଜର ରହିଛି । ଋଷ ୟୁକ୍ରେନ ସୀମାରେ ଏବେ ୧ ଲକ୍ଷରୁ ଅଧିକ ସୈନ୍ୟ ନିୟୋଜିତ କରିଛି । କେବଳ ସେତିକି ନୁହେଁ ନୌସେନାର ଅଭ୍ୟାସ ପାଇଁ କାଲା ସାଗରରେ ବି ଯୁଦ୍ଧ ଜାହାଜ ପ୍ରେରିତ କରିଛି । ଏନେଇ ‘ନାଟୋ’ଦେଶମାନେ ବି ଆଶଂକାରେ ରହିଛନ୍ତି କି ଋଷ ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ କରିପାରେ ।

ଅନ୍ୟପଟେ ୟୁକ୍ରେନକୁ ସମର୍ଥନ କରୁଥିବା ଆମେରିକାର ରାଷ୍ଟ୍ରପତି ବି ଯୁଦ୍ଧ ନେଇ ଅନେକ ଥର ଆଶଂକା କରିସାରିଛନ୍ତି । ଶୁକ୍ରବାର ଦିନ ଜୋ-ବାଇଡେନ କହିଛନ୍ତି କି ମୋ ପାଖରେ ଥିବା ସୂଚନା ମୁତାବକ ଆସନ୍ତା ସପ୍ତାହରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ।