ଯୁଦ୍ଧ ଚିନ୍ତା ଭିତରେ ୟୁକ୍ରେନକୁ ବଡ ଆଶ୍ୱସ୍ତି: ଦେଶକୁ ଖୁବ ଶିଘ୍ର ମିଳିପାରେ ୟୁରୋପୀୟ ସଂଘର ସଦସ୍ୟତା

293

କନକ ବ୍ୟୁରୋ: ରୁଷ ସହ ଫେବୃଆରୀ ୨୪ରୁ ଯୁଦ୍ଧ କରି ଆସୁଥିବା ୟୁକ୍ରେନକୁ ମିଳିଛି ବଡ ଆଶ୍ୱସ୍ତି । ୟୁରୋପୀୟ ସଂଘରେ ସାମିଲ ହେବାକୁ ୟୁକ୍ରେନର ଦାବିକୁ ମିଳିଛି ସବୁଜ ସଂକେତ । ଅର୍ଥାତ ସଂଘର ପ୍ରାର୍ଥୀ ଭାବେ ୟୁକ୍ରେନକୁ ଚୟନ କରାଯାଇଛି । ୟୁକ୍ରେନ ବ୍ୟତିତ ମାଲଡୋବାକୁ ମଧ୍ୟ ସାମିଲ କରିବାକୁ ୟୁରୋପୀୟ ନେତାମାନେ ନିଷ୍ପତି ନେଇଛନ୍ତି । ଉଭୟ ଦେଶକୁ ୟୁନିୟର ସଦସ୍ୟ ମାନ୍ୟତା ଦେବାକୁ ଔପଚାରିକଭାବେ ସବୁ ନେତା ଏକମତ ହୋଇଥିବା ଜଣାପଡିଛି ।

ଜୁନ ୨୩ ତାରିଖରେ ବ୍ରୁସେଲସରେ ୟୁରୋପୀୟ ୟୁନିୟନର ଏକ ବୈଠକ ବସିଥିଲା । ଏହି ସମୟରେ ୟୁନିୟନରେ ଥିବା ସମସ୍ତ ୨୭ଜଣ ସଦସ୍ୟ ରାଷ୍ଟ୍ର ୟୁକ୍ରେନ ଓ ମାଲଡୋବାକୁ ସଂଘରେ ସାମିଲ କରିବାକୁ ମତ ରଖିଥିଲେ ।

ସର୍ବସମତିକ୍ରମେ ଉଭୟ ଦେଶକୁ ୟୁନିୟରେ ସାମିଲ କରିବା ପାଇଁ ପ୍ରାର୍ଥୀ ଭାବେ ଗ୍ରହଣ କରାଯାଇଥିବା ସଂଘର ଅଧ୍ୟକ୍ଷ ଚାର୍ଲସ ମାଇକେଲ ସୂଚନା ଦେଇଛନ୍ତି । ୟୁକ୍ରେନ ଓ ମାଲଡୋବାକୁ ପ୍ରାର୍ଥୀଭାବେ ଚୟନ କରାଯିବା ପରେ ମଧ୍ୟ ପୂର୍ଣ୍ଣ ସଦସ୍ୟତା ପାଇଁ ଆଉ କିଛି ସମୟ ଲାଗିପାରେ । କାରଣ ୟୁକ୍ରେନକୁ ସଦସ୍ୟତା ହାସଲ ପାଇଁ କିଛି ସଂଘର କିଛି ସର୍ତ ପୂରଣ କରିବାକୁ ପଡିବ । ଏଥିସହ ୨୭ଜଣ ସଦସ୍ୟଙ୍କୁ ସର୍ବସମ୍ମତିର ମଧ୍ୟ ଆବଶ୍ୟକତା ରହିଛି । ଯଦି ୨୭ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ସଦସ୍ୟ ଆପତିପ୍ରକାଶ କରିବେ ତେବେ ସଦସ୍ୟତା ମିଳିବା ଅସମ୍ଭବ । ଆସନ୍ତା ସପ୍ତାହରେ ବସିବାକୁ ଥିବା ସଂଘର ଶିଖର ସମ୍ମିଳନୀରେ ନିର୍ଣ୍ଣାୟକ ନିଷ୍ପତି ନିଆଯିବ ।

ୟୁରୋପୀୟ ସଂଘ ଓ ନାଟୋରେ ସଦସ୍ୟତା ପାଇଁ ୟୁକ୍ରେନ କରୁଥିବା ଚେଷ୍ଟାକୁ ବିରୋଧ କରି ଆକ୍ରମଣ ଜାରି ରଖିଛି ରୁଷ । ଯଦି ଏଭଳି ସ୍ଥିତିରେ ୟୁକ୍ରେନକୁ ୟୁରୋପୀୟ ସଂଘର ସଦସ୍ୟତା ମିଳିଯାଏ ତେବେ ରୁଷ ପାଇଁ ଏହା ଏକ ପ୍ରକାର ହାର ହେବ ।

ୟୁକ୍ରେନକୁ ୟୁରୋପୀର ସଂଘ କିମ୍ବା ନାଟୋର ସଦସ୍ୟତା ମିଳିବା ଆଶଙ୍କା ଭିତରେ ଜୋରଦାର ଆକ୍ରମଣ ଜାରି ରଖିଛି ରୁଷ । କୌଣସି ପରିସ୍ଥିତିିରେ ୟୁକ୍ରେନର ମୁଣ୍ଡ ନୁଆଁଇ ଦେଶ ଉପରେ ସମ୍ପୂର୍ଣ୍ଣ କବଜା କରିବାକୁ ପୁଟିନ ସରକାର ଘମାଘୋଟ ଲଢେଇ କରୁଛନ୍ତି । ସେପଟେ ୟୁକ୍ରେନକୁ ଇୟୁଠୁ ସବୁଜ ସଙ୍କେତ ମିଳିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମୀର ଜେଲେନସ୍କି ସଂଘର ନିଷ୍ପତିକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି । ।ମାଲଡୋବା ରାଷ୍ଟ୍ରପତି ମାଇୟା ସାନ୍ଧୁ ମଧ୍ୟ ୟୁରୋପୀୟ ୟୁନିୟନର ନିଷ୍ପତିକୁ ସ୍ୱାଗତ ଜଣାଇବା ସହ ଧନ୍ୟବାଦ କହିଛନ୍ତି ।