ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଜାତିସଂଘରେ କ୍ଷୋଭ ପ୍ରକାଶ କଲା ଭାରତ : ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଲେ ପରିସ୍ଥିତି ଉଦବେଗଜନକ,ଶୀଘ୍ର ଶେଷ ହେଉ ଯୁଦ୍ଧ

87

କନକ ବ୍ୟୁରୋ : ତୁରନ୍ତ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆହ୍ୱାନ ଦେଇଛି ଭାରତ । ମିଳିତ ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଭାରତ କହିଛି ପରିସ୍ଥିତି ଅତି ଉଦବେଗଜନକ । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ୟୁକ୍ରେନ ସଂଘର୍ଷ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାଜନକ ହୋଇଛି । ଫଳାଫଳ ଯାହା ଆସୁଛି, ତାହା ପ୍ରକୃତରେ ସମସ୍ତଙ୍କୁ ବିଚଳିତ କରିଛି । ଏହା ଯୁଦ୍ଧର ସମୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ।

ଏହାକୁ ଦୋହରାଇ ଜୟଶଙ୍କର କହିଛନ୍ତି, ତୁରନ୍ତ ଯୁଦ୍ଧ ବନ୍ଦ କରି କୂଟନୈତିକ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହେଉ । ମାନବିକ ଅଧିକାର ଓ ଅନ୍ତର୍ଜାତୀୟ ନିୟମର ଉଲଂଘନର କୌଣସି ଯଥାର୍ଥତା ନାହିଁ । ଯେଉଁଠାରେ ଏପରି ଘଟୁଛି, ଏହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ବିଶ୍ୱର ଦୂରଦୂରାନ୍ତରେ ମଧ୍ୟ ଏହି ଯୁଦ୍ଧର ପ୍ରଭାବ ପଡୁଛି ବୋଲି ଜୟଶଙ୍କର କହିଛନ୍ତି । ସାରା ବିଶ୍ୱରେ ଦରଦାମ ବୃଦ୍ଧି, ଖାଦ୍ୟ ଶସ୍ୟ, ସାର ଓ ଇନ୍ଧନର ଅଭାବ ଅନୁଭୂତ ହେଉଛି । ଗତକାଲି ୟ୍ରୁକ୍ରେନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଭାରତର ନୀତିଗତ ସ୍ଥିିତି ବିଷୟରେ ଜୟଶଙ୍କର ଅବଗତ କରିଥିଲେ ।