କନକ ବ୍ୟୁରୋ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୫୦ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷକୁ ଲାଗିଛି ବଡ ଝଟକା । ବ୍ଲାକ ସିରେ ରୁଷିଆର ଯୁଦ୍ଧ ପୋତ ଉଡ଼ାଇଦେଇଛି ୟୁକ୍ରେନ୍ । ଲଢେଇ ଭିତରେ ରୁଷିଆକୁ ବଡ କ୍ଷତି ପହଞ୍ଚାଇଥିବା ଦାବି କରିଛି ୟୁକ୍ରେନ । ବ୍ଲାକ ସିରେ ରୁଷିଆର ବଡ ଯୁଦ୍ଧଜାହାଜରେ ୟୁକ୍ରେନ ସେନା ମିଜାଇଲ ମାଡ କରି ଏହାକୁ ଧ୍ୱସଂ କରିଦିଆଯାଇଥିବା କହିଛି । ଯାହାଫଳରେ ଯୁଦ୍ଧଜାହାଜ ‘ମୋସ୍କଭା’ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।
ଓଡ଼େଶାର ଗଭର୍ଣ୍ଣର ମେକ୍ସିକୋ ମାର୍ଚୋଙ୍କୋ କହିଛନ୍ତି, ବ୍ଲାକ ସିରେ ବୁଧବାର ଦିନ ୟୁକ୍ରେନ ସେନା ମିଜାଇଲ ମାଡ କରି ରୁଷିଆର ଯୁଦ୍ଧ ଜାହାଜ ‘ମସ୍କୋଭା’କୁ ଧ୍ୱସଂ କରିଦେଇଛି । ବ୍ଲାକ ସିକୁ ସୁରକ୍ଷା ଯୋଗାଉଥିବା ନ୍ୟାପଚ୍ୟୁନ ମଜାଇଲ ଏହି ଯୁଦ୍ଧ ଜାହାଜକୁ ବଡ଼ କ୍ଷତି ପହଞ୍ଚାଇଛି । ଅପରପକ୍ଷରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଯୁଦ୍ଧ ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ଘଟଣାକୁ ସ୍ୱୀକାର କରିଛି । ଯୁଦ୍ଧ ଜାହାଜରେ ନିଆଁ ଲାଗି ବିସ୍ଫୋରଣ ଘଟିଥିବା ଜଣାପଡିଛି । ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଯୁଦ୍ଧ ଜାହାଜ କ୍ଷତିଗ୍ରସ୍ତ ହୋଇଛି କିନ୍ତୁ ଯୁଦ୍ଧ ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ନିଆଁ ଲାଗିବାରୁ ଗୋଳାବାରୁଦ ବିସ୍ଫୋରଣ ଯୋଗୁଁ କ୍ଷୟକ୍ଷତି ହୋଇଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କ ପରାମର୍ଶଦାତା ଓଲେସ୍କି ଅରେସ୍ତୋଭିଚ କହିଛନ୍ତି, ରୁଷିଆର ଯୁଦ୍ଧ ଜାହାଜକୁ ୟୁକ୍ରେନ ଧ୍ୱସଂ କରିବା ରୁଷିଆ ପାଇଁ ଏକ ବଡ କଥା । ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟର ବୟାନକୁ ଆଧାର କରି ଅର୍ନ୍ତଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସେଥିରେ ଉଲ୍ଲେଖ ଅଛି ଯେ, ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ କରାଯାଉଥିବା ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଏହି ଯୁଦ୍ଧ ଜାହାଜରେ ୫୧୦ଜଣ କର୍ମଚାରୀ ଥିବା ଜଣାପଡିଛି । ତେବେ ରୁଷିଆ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଏହି ଯୁଦ୍ଧଜାହାଜରେ ଥିବା ଗୋଳାବାରୁଦ ମଧ୍ୟ ବିସ୍ଫୋରଣ ହୋଇ ନଷ୍ଟ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ମସ୍କୋର ଏହି ଯୁଦ୍ଧ ଜାହାଜ ‘ମସ୍କୋଭା’ ଓଡ଼େଶା ଉପକୂଳ ଓ ମାରିୟୁପୋଲ ମଧ୍ୟରେ ଅବରୋଧକାରୀ ଭାବେ ରହିବା ସହ ଉପକୂଳବର୍ତୀ ସହର ଗୁଡିକ ଉପରେ ବୋମା ବର୍ଷଣ କରୁଥିଲା ।
ସେପଟେ ରୁଷ ମାରିୟୁପୋଲ ଉପରେ ଜୋରଦାର ଆକ୍ରମଣ କରୁଛି । ମାରିୟୁପୋଲରେ ରୁଷ ରାସାୟନିକ ଅସ୍ତ୍ର ବ୍ୟବହାର କରିଛି ବୋଲି ଦାବି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି । ମାରିୟୁପୋଲରେ ରୁଷ ଆକ୍ରମଣ ଯୋଗୁ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ମାରିୟୁପୋଲ ମେୟର କହିଛନ୍ତି । ଆଗକୁ ଏହି ସଂଖ୍ୟା ୨୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି । ଯୁଦ୍ଧ ଆରମ୍ଭରୁ ମାରିୟୁପୋଲ ଉପରେ ବାରମ୍ବାର ଆକ୍ରମଣ କରୁଛି ରୁଷ ସେନା ।