କନକ ବ୍ୟୁରୋ: ଯୁଦ୍ଧ ମଧ୍ୟରେ ୟୁକ୍ରେନ ମନ୍ତ୍ରୀ କରିଛନ୍ତି ଏକ ବଡ ଦାବି । ପୁଟିନଙ୍କ ଗାଳି ଶୁଣି ଋଷର ପ୍ରତିରକ୍ଷାମନ୍ତ୍ରୀ ସର୍ଗେଇ ସୋଇଗୁଙ୍କର ହୃଦଘାତ ହୋଇଛି । ୟୁକ୍ରେନରେ ନିଜ ସୈନ୍ୟଙ୍କ ବିଫଳତା ପାଇଁ ସର୍ଗେଇଙ୍କୁ ଦାୟୀ କରିଥିଲେ ପୁଟିନ୍ । ଏହାସହ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ହଠାତ୍ ସର୍ଗେଇଙ୍କର ହାର୍ଟଆଟାକ୍ ହୋଇଥିବା କୁହାଯାଉଛି ।
ସୂଚନା ମୁତାବକ, ସର୍ଗେଇ ସୋଇଗୁ ହେଉଛନ୍ତି ଋଷ- ୟୁକ୍ରେନର ଦ୍ୱିତୀୟ ମାଷ୍ଟରମାଇଣ୍ଡ । ହେଲେ ତାଙ୍କୁ ମାର୍ଚ୍ଚ ୧୧ ତାରିଖ ପରଠାରୁ ଦେଖିବାକୁ ମିଳୁନାହିଁ । ଟେଲିଭିଜନରେ ମଧ୍ୟ ତାଙ୍କୁ ମାର୍ଚ୍ଚ ୨୪ ତାରିଖରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ତାଙ୍କର ଗାଏବ ହୋଇଯିବା ପରେ ତାଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । କୁହାଯାଉଛି ଯେ, ୟୁକ୍ରେନର ମୁଖ୍ୟ ସହର ଖାରକିବ୍ , କିବ୍ ଉପରେ ଏଯାଏଁ କବଜା କରିନପାରିବାକୁ ନେଇ କ୍ରେମଲିନ୍ ତଥା ପୁଟିନଙ୍କ କାର୍ଯ୍ୟାଳୟ ପକ୍ଷରୁ ସର୍ଗେଇଙ୍କୁ ଦଣ୍ଡିତ କରାଯାଇଛି ।