କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି । ଋଷର ପ୍ରଚଣ୍ଡ ଆକ୍ରମଣର ମୁହଁତୋଡ ଜବାବ ଦେଉଛି ୟୁକ୍ରେନ ସେନା । ଯୁଦ୍ଧକୁ ୨ ମାସ ପୁରିବାକୁ ଯାଉଛି, କିନ୍ତୁ ଏଯାଏଁ ଋଷର ବିଶାଳ ସେନା ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ କବଜା କରିପାରିନାହିଁ । ଆଉ ଏହା ପଛର କାରଣ ହେଉଛି ଋଷ ସେନାକୁ ଅଟକାଇବାକୁ ୟୁକ୍ରେନ ସେନା କରିଥିବା ସ୍ୱତନ୍ତ୍ର ରଣନୀତି । ଏହାସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରି ଋଷ ସେନାର ଚିନ୍ତା ବଢାଇଛି ୟୁକ୍ରେନ । ଆଉ ୟୁକ୍ରେନ ସେନାର ସୁରକ୍ଷାକବଚ ସାଜିଥିବା ସେହିଭଳି ଏକ ଅସ୍ତ୍ର ହେଉଛି MANPADS । ଅଥାର୍ତ ମ୍ୟାନ୍ ପୋର୍ଟେବଲ ଏୟାର ଡିଫେନ୍ସ ସିଷ୍ଟମ । ଯେଉଁଥିରେ ଷ୍ଟାରଷ୍ଟ୍ରିକ ମିସାଇଲ ଦ୍ୱାରା ଶତ୍ରୁପକ୍ଷର ତୋପ, ଲଢୁଆ ବିମାନକୁ ବେଶ ସହଜରେ ଧ୍ୱଂସ କରିପାରୁଛି ୟୁକ୍ରେନ୍ । ଆଉ ଏହାଦ୍ୱାରା ଆକାଶପଥରୁ ଋଷ କରୁଥିବା ଆକ୍ରମଣକୁ ବେଶ ସହଜରେ ପ୍ରତିହତ କରିପାରୁଛି ୟୁକ୍ରେନ୍ ।

Advertisment

ଯୁଦ୍ଧ ଭିତରେ ରାଡାରରୁ ବର୍ତ୍ତିବା ପାଇଁ ଋଷର ଲଢୁଆ ବିମାନ ଗୁଡିକ ବେଶ ତଳେ ଉଡିଥାନ୍ତି । ଆଉ ଏହି ସୁଯୋଗ ଅପେକ୍ଷା କରି ରହିଥାନ୍ତି ୟୁକ୍ରେନ୍ ସେନା । ରାଡାରରୁ ସିନା ଲଢୁଆ ବିମାନ ବର୍ତ୍ତିଯିବ କିନ୍ତୁ ଷ୍ଟାରଷ୍ଟ୍ରେକ ମିସାଇଲ ମାଡରୁ ବର୍ତ୍ତିବା ସହଜ ନୁହେଁ । ଆଉ ୟୁକ୍ରେନ୍ ସେନା ଏହି ସୁଯୋଗରେ ଋଷର ଲଢୁଆ ବିମାନକୁ ମିସାଇଲ ମାଡ କରି ଖସାଇବାରେ ସଫଳ ହେଉଛନ୍ତି । ଆଉ ବିଟ୍ରେନ ସେନା ଏବେ ୟୁକ୍ରେନ ଏଭଳି ମ୍ୟାନ୍ ପୋର୍ଟେବଲ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇ ଦେଉଛି ।

publive-imageବ୍ରିଟେନ ସେନା ପାଖରେ ଏହି ଏୟାର ଡିଫେନ୍ସ ସିଷ୍ଟମ ସହ ଷ୍ଟାରଷ୍ଟ୍ରେକ ମିସାଇଲ ୧୯୯୭ରୁ ରହିଛି । ଏହାର ଡିଜାଇନ ୧୯୮୦ ମସିହାରେ କରାଯାଇଥିଲା । ଏବେ ସୁଦ୍ଧା ବ୍ରିଟେନ ପାଖରେ ୭୦୦ରୁ ଅଧିକ ଏହି ଅସ୍ତ୍ର ରହିଛି । ୧୪ କିଲୋଗ୍ରାମର ଏହି ଘାତକ ଅସ୍ତ୍ରର ଲମ୍ବ ୪ ଫୁଟ୍ ୭ ଇଞ୍ଚ ରହିଛି । ଯେଉଁଥିପାଇଁ ଏହାକୁ ବେଶ ସହଜରେ ବ୍ୟବହାର କରାଯାଇପାରିବ । ଷ୍ଟାରଷ୍ଟ୍ରିକ ମିସାଇଲର ଷ୍ଟ୍ରାଇକ ରେଞ୍ଜ ୩ରୁ ୭ କିଲୋମିଟର ହୋଇଥିବା ବେଳେ ଏଥିରେ ୩ଟି ବିସ୍ଫୋରକ ଧାରୁଆ ତୀର ରହିଛି । ଯାହା ଟ୍ୟାଙ୍କ ଭଳି ବଡ ବଡ ଯୁଦ୍ଧାସ୍ତ୍ରକୁ ଫଟାଇ ଦେଇଥାଏ । ଆଉ ଏହାପରେ ଏଥିରେ ବିସ୍ଫୋରଣ ହୋଇଥାଏ । ଏହି ବିସ୍ଫୋରକ ତୀରର ଓଜନ ୪୫୦ ଗ୍ରାମ ।

ଏହି ଏୟାର ଡିଫେନ୍ସ ସିଷ୍ଟମରେ ଲେଜର ଲାଇଟ ଲାଗିଥାଏ । ଶତ୍ରୁ ପକ୍ଷର ବିମାନ ଓ ତୋପକୁ ଦୂରରୁ ଦେଖିବା ପାଇଁ ଜୁମ ଲେନ୍ସ ଲାଗିଥାଏ । ଯାହାଦ୍ୱାରା ଦୂରରେ ଥିବା ଟାର୍ଗେଟକୁ ଦେଖିବା ପରେ ଲେଜର ଲାଇଟ ଜରିଆରେ ଆକ୍ରମଣ ପାଇଁ ଟାର୍ଗେଟ ସ୍ଥିର କରାଯାଏ । ଆଉ ଟାର୍ଗେଟ ରେଞ୍ଜକୁ ଆସିବା କ୍ଷଣି ଷ୍ଟାରଷ୍ଟ୍ରିକ ମିସାଇଲରେ ଘାତକ ଆକ୍ରମଣ ହୋଇଥାଏ । ଏହି ଷ୍ଟାରଷ୍ଟ୍ରିକ ମିସାଇଲ ଜରିଆରେ ରାତିର ଅନ୍ଧକାରରେ ମଧ୍ୟ ଆକ୍ରମଣ କରାଯାଇପାରିବ । ଏହା ଶବ୍ଦ, ଉତ୍ତାପ ଓ ରେଡିଓ ତରଙ୍ଗକୁ ଆଧାର କରି ଆକ୍ରମଣ କରିପାରେ । ସବୁଠୁ ବଡ କଥା ହେଲା, ଏହାକୁ ଆଣ୍ଟି ରାଡାର ମିସାଇଲ ଜରିଆରେ ମଧ୍ୟ ନଷ୍ଟ କରାଯାଇପାରିବ ନାହିଁ । ଜଳ, ସ୍ଥଳ ଓ ଆକାଶପଥରୁ ଏହି ଷ୍ଟାରଷ୍ଟ୍ରିକ ମିସାଇଲ ଦ୍ୱାରା ଆକ୍ରମଣ କରାଯାଇପାରିବ । ଏବେ ଏହି ଘାତକ ମିସାଇଲ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ୟୁକ୍ରେନ ବ୍ୟବହାର କରୁଛନ୍ତି । ଆଉ ୟୁକ୍ରେନରେ ଏହି ମିସାଇଲ ନିଜର ଶକ୍ତି ଦେଖାଇବା ସହ ଋଷ ସେନାକୁ କଡା ଚ୍ୟାଲେଞ୍ଜ ଦେଉଛି ।