କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ୩ମାସ ପୂରିବାକୁ ବସିଛି । ଉଭୟ ଦେଶରେ ହଜାର ସଂଖ୍ୟକ ଯବାନଙ୍କ ସହ ସାଧାରଣ ଲୋକଙ୍କର ମୃତ୍ୟୁ ହେଲାଣି । ହିସାବ ବାହାରେ କ୍ଷୟକ୍ଷତି କରି ଚାଲିଛି ଏହି ଯୁଦ୍ଧ । ଅନ୍ୟପଟେ କ୍ରମଶ ଏହି ଯୁଦ୍ଧ ପ୍ରାକୃତିକ ସମ୍ପଦକୁ ନଷ୍ଟ କରିବାକୁ ମୁହାଁଇଲାଣି । ମାରିୟୁପୋଲ ଷ୍ଟିଲପ୍ଲାଂଟକୁ ପୁଟିନ ବାହୀନୀ ଆକ୍ରମଣ କରି ଧ୍ୱଂସ କରିବା ପରେ ଏବେ ଏଥିରୁ ନିର୍ଗତ ରାସାୟନିକ ପଦାର୍ଥ ସାମୁଦ୍ରିକ ଜୀବନ ପାଇଁ ପ୍ରାଣନାଶକ ହେଲାଣି । ସେପଟେ ଆକ୍ରମଣକୁ ଆହୁରି ତ୍ରୀବ କରି ରଣଭୂମିରେ ପ୍ରଥମ ଥର ପାଇଁ ରୁଷ ଘାତକ ଟର୍ମିନେଟର ଟ୍ୟାଙ୍କକୁ ଓହ୍ଲାଇଛି ।
ଋୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ କେବଳ ମାନବଜାତି ଉପରେ ନୁହେଁ କ୍ରମଶ ଏହା ପ୍ରକୃତି ଉପରେ ପଡିବା ଆରମ୍ଭ କଲାଣି । ସ୍ଥିତି ଏଭଳି ହେଲାଣି କି ଅଜୋବ ସାଗରର ସାମୁଦ୍ରିକ ଜୀବନ ଉପରେ ବଡ ସଙ୍କଟ ମାଡି ଆସୁଛି । ମାରିୟୁପୋଲ ଷ୍ଟିଲ ପ୍ଲାଂଟରୁ ନିର୍ଗତ ରାସାୟନିକ ପଦାର୍ଥ ଅଜୋବ ସାଗରରେ ମିଶୁଛି । ଫଳରେ ଏଥିରେ ରହିଥିବା ସାମୁଦ୍ରିକ ଜୀବଙ୍କ ଜୀବନ ଏବେ ଘୋର ବିପଦରେ । ସେପଟେ ରୁଷ ପ୍ରତିରକ୍ଷାମନ୍ତ୍ରାଳୟ ଦାବି କରିଛି ମାରିୟୁପୋଲ ପ୍ଲାଂଟରେ ଲୁଚି ରହିଥିବା ୟୁକ୍ରେନର ଆଉ ୭୭୮ଜଣ ସୈନିକ ଆତ୍ମସର୍ମପଣ କରିଛନ୍ତି । ଏବେ ସୁଦ୍ଧା ୧୭୩୦ ୟୁକ୍ରେନ ସୈନିକ ଆତ୍ମସମର୍ପଣ କରିଥିବା ଦାବି କରୁଛି ରୁଷ ।
ସପ୍ତାହ ବିତି ଯାଇଥିଲେ ବି ୟୁକ୍ରେନକୁ ପୂରା ଅକ୍ତିଆର କରିବାରେ ଏବେ ସୁଦ୍ଧା ସଫଳ ହୋଇପାରିନି ରୁଷ । ତେଣୁ କଳେବଳେ କୌଶଳେ ୟୁକ୍ରେନକୁ ମାତ ଦେବା ପାଇଁ ଲଗାତାର ପ୍ରୟାସ କରୁଛି । ପ୍ରଥମଥର ପାଇଁ ଯୁଦ୍ଧ ଭିତରେ ଡୋନବାସରେ ଟରମିନେଟର ଟ୍ୟାଙ୍କକୁ ଲଢେଇ ମଇଦାନକୁ ଓହ୍ଲାଇଛି ରୁଷ । ବିଧ୍ୱଂସ୍ତକାରି ଏହି ଟ୍ୟାଙ୍କ ଶତ୍ରୁପକ୍ଷର ଉଭୟ ଟ୍ୟାଙ୍କ ଓ ହେଲିକପ୍ଟଟରକୁ ଟାର୍ଗେଟ କରିପାରେ ଏବଂ ଆଖି ପିଛୁଳାକେ ଧ୍ୱଂସ କରିବାର କ୍ଷମତା ରଖୁଛି ।
ସେପଟେ ପ୍ରତିଶୋଧ ପରାୟଣ ହୋଇ ରୁଷ ଏବେ ଫ୍ରାନ୍ସ,ଇଟାଲୀ,ସ୍ପେନର ୮୫ଜଣ କୁଟନୀତିଜ୍ଞଙ୍କୁ ନିଜ ଦେଶରୁ ବାହାର କରିଦେଇଥିବା ଜଣାପଡିଛି । ୧୨ ସପ୍ତାହରେ ପହଁଚିଥିବା ଯୁଦ୍ଧ ଏହା ଭିତରେ ଅନେକ କ୍ଷୟକ୍ଷତି କରିସାରିଲାଣି । ମାନବଜାତି, ପ୍ରକୃତି, ବିଶ୍ୱ ବଜାର । ଯୁଦ୍ଧର ସିଧାସଳଖ ଘାତକ ପ୍ରଭାବରେ ଅସ୍ତବ୍ୟସ୍ତ ହୋଇପଡିଛି ସାରା ବିଶ୍ୱ ।