କନକ ବ୍ୟୁରୋ : ଋଷିଆ ଓ ୟୁକ୍ରେନ ଯୁଦ୍ଧ ଭିତରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନ୍ୟୁକ୍ଲିୟର ଫୋର୍ସ ଅର୍ଥାତ ପରମାଣୁ ବାହିନୀକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେବାପରେ ସାରା ବିଶ୍ୱରେ ଚିନ୍ତା ଖେଳି ଯାଇଛି । ଆମେରିକା ସମେତ ନାଟୋ ଦେଶମାନେ ଏହାକୁ ନିନ୍ଦା କରିଛନ୍ତି । କିନ୍ତୁ ଏସବୁ ଭିତରେ ଋଷିଆ ୟୁକ୍ରେନ ରାଜଧାନୀ କିଭକୁ ଦଖଲ କରିବାପାଇଁ ସଂଘର୍ଷ କରୁଛି । ୟୁକ୍ରେନ ଦାବି କରୁଛି ଯେ ସେମାନେ ଏଯାଏଁ ୩୫୦୦ ଋଷିଆ ସେନାଙ୍କୁ ମାରି ସାରିଲେଣି ।

Advertisment

କିନ୍ତୁ ମିଳିତ ଜାତିସଂଘରେ ଏହି ଦାବିକୁ ଖଣ୍ଡନ କରିଛି ଋଷିଆ । କିନ୍ତୁ ରାଜଧାନୀ କିଭରେ ଋଷିଆ ସେନା ଓ ୟୁକ୍ରେନ୍ ସେନା ମଧ୍ୟରେ ବିଭିନ୍ନ ସ୍ଥାନରେ ଲଢେଇର ଖବର ସାମନାକୁ ଆସୁଛି । ୟୁକ୍ରେନର ଅନ୍ୟତମ ପ୍ରମୁଖ ସହର ଖାରକିଭକୁ ପ୍ରଥମ ୨୪ ଘଂଟା ମଧ୍ୟରେ ଅକ୍ତିଆର କରି ନେଇଥିଲେ ରୁଷିୟ ସେନା, କିନ୍ତୁ ବର୍ତମାନର ଖବର ଅନୁସାରେ ୟୁକ୍ରେନ ସେନା ଖାରକିଭରେ ବେଶ ସକ୍ରିୟ ହୋଇଗଲେଣି । ଇତି ମଧ୍ୟରେ ଋଷିଆ ଓ ୟୁକ୍ରେନ ଆଲୋଚନା କରିବା ପାଇଁ ରାଜି ହୋଇଛନ୍ତି । ପଡୋଶୀ ଦେଶ ବେଲାରୁସ ସୀମାରେ ଏହି ଆଲୋଚନା ହେବ । ବିନା ସର୍ତରେ ଆଲୋଚନା ପାଇଁ ଉଭୟ ରାଜି ହୋଇଛନ୍ତି । କିନ୍ତୁ ଏହି ଆଲୋଚନାରୁ ବିଶେଷ କିଛି ସୁଫଳ ମିଳିବା ନେଇ ଆଶା କରାଯାଉନାହିଁ ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ କହିଛନ୍ତିି ସେ ଏହି ଆଲୋଚନାରୁ ବିଶେଷ ସୁଫଳ ମିଳିବା ନେଇ ଆଶାବାଦୀ ନୁହନ୍ତି । ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ରୁଷିଆ ୟୁକ୍ରେନର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି । ତାଙ୍କର କହିବା ଅନୁସାରେ ୩୫୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ସେଥିରେ ୧୪ ଛୋଟପିଲା ଅଛନ୍ତି । ଋଷିଆ ସେନାର ଆକ୍ରମଣରେ ୧୬୮୪ ଜଣ ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି । ପରବର୍ତୀ ୨୪ ଘଂଟା ୟୁକ୍ରେନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶଙ୍କା କରୁଛନ୍ତି ଜେଲେନସ୍କି ।