କନକ ବ୍ୟୁରୋ : କାବୁଲରୁ ୟୁକ୍ରେନର ଏକ ବିମାନ ହାଇଜାକ । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ସାମ୍ନାକୁ ଆସିଛି । ଆଫଗାନିସ୍ତାନରୁ ନିଜ ଦେଶର ଲୋକଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିବା ୟୁକ୍ରେନର ଏକ ବିମାନକୁ ଅପହରଣ କରାଯାଇଥିବା ନେଇ ୟୁକ୍ରେନର ମନ୍ତ୍ରୀ ଦାବି କରିଛନ୍ତି । ଅପହରଣ ହୋଇଥିବା ବିମାନଟିକୁ ଇରାନ ନିଆଯାଇଥିବା ସୂଚନା ମିଳିଛି । ୟୁକେନ୍ରର ମନ୍ତ୍ରୀଙ୍କ କହିବା ମୁତାବକ, ରବିବାର ବିମାନଟିକୁ କିଛି ଅଜ୍ଞାତ ଲୋକ ଅପହରଣ କରିନେଇଛନ୍ତି ।

Advertisment

ୟୁକ୍ରେନର ବିଦେଶ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗତ ରବିବାର କାବୁଲ ବିମାନବନ୍ଦରରୁ ୟୁକ୍ରେନର ଏକ ବିମାନକୁ ହାଇଜାକ କରାଯାଇଥିଲା । କିଛି ଅଜ୍ଞାତ ଲୋକ ଏହାକୁ ହାଇଜାକ କରିଛନ୍ତି । ବିମାନଟିକୁ ମଙ୍ଗଳବାର ଇରାନ ଅଣାଯାଇଛି । ଯାହାଦ୍ୱାରା ଆମର ଉଦ୍ଧାର କାର୍ଯ୍ୟ ସଫଳ ହୋଇପାରିନି । ତେବେ ଏନେଇ ଇରାନର ମନ୍ତ୍ରୀ କହିଛନ୍ତି, ବିମାନଟି ଇରାନର ମଶାହାଦ ବିମାନବନ୍ଦରକୁ ଆସିଥିଲା କିନ୍ତୁ ଇନ୍ଧନ ଭରିବା ପରେ ୟୁକ୍ରେନ ଅଭିମୁଖେ ଯାତ୍ରା କରିଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ କିଛି ଅଜ୍ଞାତ ଲୋକ ବିମାନଟିକୁ ହାଇଜାକ କରିଛନ୍ତି । ତେବେ କେଉଁମାନେ ବିମାନଟିକୁ ଅପହରଣ କରିଛନ୍ତି ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବିଭିନ୍ନ ଦେଶ ପକ୍ଷରୁ ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଜ ଦେଶର ଲୋକଙ୍କୁ ଉଦ୍ଧାର ପାଇଁ ଅଧିକାଂଶ ଦେଶର ସେନା ଏବେ ମଧ୍ୟ କାବୁଲ ବିମାନବନ୍ଦରରେ ଡେରା ପକାଇଛନ୍ତି ।