ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ସହିତ ମୁକାବିଲା କରିବା ପାଇଁ ବିଶ୍ବର ୨୮ ଟି ଦେଶ ପ୍ରଥମ ଥର ପାଇଁ ମିଳିତ ହୋଇଛନ୍ତି ।
ଏହି ପ୍ରକାରର ପ୍ରଥମ ଘଟଣାରେ ଆମେରିକା, ବ୍ରିଟେନ , ୟୁଏଇ, ଅଷ୍ଟ୍ରେଲିଆ ଏବଂ ଚୀନ୍ ସମେତ ସମସ୍ତ ଅନ୍ୟ କେତେକ ଦେଶ ସହମତ ହୋଇଛନ୍ତି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାନବତା ପାଇଁ ଏକ ଭୟଙ୍କର ବିପଦ ସୃଷ୍ଟି କରିବାକୁ ଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ପ୍ରକୃତରେ ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିବ କି ?
ଏହି ପ୍ରଶ୍ନଟି ଏବେ ସାଧାରଣଲୋକଙ୍କ ପ୍ରଶ୍ନ ହେଇ ଆଉ ରହିନାହିଁ । ଏହା ଏବେ ହେଉଛି ବ୍ରିଟେନରେ ଅନୁଷ୍ଠିତ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ AI ସୁରକ୍ଷା ଶିଖର ସମ୍ମିଳନୀରେ ଯୋଗଦେଇଥିବା ବିଶ୍ବର ମହା ମହାରଥୀ ମାନଙ୍କ ମୁଣ୍ଡରେ ଉଙ୍କି ମାରିଥିବା ପ୍ରଶ୍ନ । ଯେଉଁଠାରେ ମାନବତାକୁ AI ର ବିନାଶକାରୀ ସମ୍ଭାବନାରୁ ବଞ୍ଚାଇବା ପାଇଁ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । AI ସମ୍ବନ୍ଧୀୟ ସୁରକ୍ଷା ଶିଖର ସମ୍ମିଳନୀର ପ୍ରଥମ ଦିନରେ ୨୮ ଟି ଦେଶ ଏବଂ ୟୁରୋପୀୟ ୟୁନିଅନ୍ ବ୍ଲେଟଲି ଘୋଷଣାନାମା ସ୍ୱାକ୍ଷର କରିଥିଲେ ।
ଆଗାମୀ ପିଢି ଓ ମାନବତାକୁ ବଞ୍ଚାଇବାକୁ ପଡ଼ିବ ।
ଘୋଷଣାପତ୍ର ଅନୁଯାୟୀ ବ୍ରିଟେନରେ ଏହା ସହ ଜଡିତ କୌଣସି ପରୀକ୍ଷା କେନ୍ଦ୍ର ରହିବ ନାହିଁ । AI ସୁରକ୍ଷା ଅନୁସନ୍ଧାନ ଉପରେ ସମସ୍ତ ଦେଶ ମିଳିତ ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି । ଏହି ମାମଲାରେ ଆମେରିକା ଏବଂ ବ୍ରିଟେନ ନୂତନ ନିୟମ ବିକାଶରେ ନିଜ ନିଜର ଆଧିପତ୍ୟ ଦେଖେଇବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଦେଖାଯାଇଥିଲା ।
ଏହି ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି, ‘ଏହି ବୈଷୟିକ ପ୍ରଗତି ଆମ ଭବିଷ୍ୟ ପିଢି ପାଇଁ ଯେପରି ପ୍ରଗତି ଛଡା ଅଧିକ ପରିବର୍ତ୍ତନଶୀଳ ନହେଉ ସେଥିପ୍ରତି ଆମକୁ ସଜାଗ ରହିବାକୁ ପଡ଼ିବ । ଏହା ସହିତ AI ମଧ୍ୟ ଏକ ନିରାପଦ ଏବଂ ଦାୟିତ୍ୱପୂର୍ଣ ଢଙ୍ଗରେ ବିକଶିତ ହେବା ନିଶ୍ଚିତ କରିବା ଆମର ସମସ୍ତଙ୍କର ଦାୟିତ୍ଵ ଅଟେ । ଏବଂ ଏହି ପ୍ରକ୍ରିୟାରେ ଏଥିରୁ ଉତ୍ପନ୍ନ ବିପଦଗୁଡିକ ପୂର୍ବରୁ ଚିହ୍ନଟ କରାଯିବା ଆବଶ୍ୟକ ।
ଯଦି ଅସ୍ତ୍ରଶସ୍ତ୍ର ଗଚ୍ଛିତ କରିବାବେଳେ ମାନିଲେ ନହିଁ ତେବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବେଳେ ସହମତ ହେବେ କି ?
ଏକ ନୂତନ ଧରଣର ବୈଶିକ ସଂକଟ ଆଶଙ୍କା କରି ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋ ଓ ଚୀନ୍ ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରୀ ୱୁ ଜାହୁହୁ ଏବଂ ବ୍ରିଟିଶ ସରକାରୀ ମନ୍ତ୍ରୀମାନେ ଏହି ବୈଠକରେ ଯୋଗଦେଇ ସମସ୍ତଙ୍କୁ ଏକ ହେବାପାଇଁ ଆହ୍ବାନ ଦେଇଥିଲେ । ଶିଖର ସମ୍ମିଳନୀକୁ ଆୟୋଜନ କରିଥିବା ବ୍ରିଟିଶ ଅଧିକାରୀମାନଙ୍କ ମଧ୍ୟରୁ ମ୍ୟାଟ କ୍ଲିଫୋର୍ଡ୍, ରାଇମୋଣ୍ଡୋ ଏବଂ ୱୁଙ୍କ ଉପସ୍ଥିତିକୁ ଏକ ବଡ଼ ସଫଳତା ଏବଂ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ । ଚୀନ୍ ପ୍ରତିନିଧୀ ଏହି ଘୋଷଣାନାମାରେ ଦସ୍ତଖତ କରି କହିଥିଲେ ଅର୍ଥନୈତିକ ଅଭିବୃଦ୍ଧି, ନିରନ୍ତର ବିକାଶ ଏବଂ ନବସୃଜନ, ମାନବିକ ତଥା ମୌଳିକ ଅଧିକାରକୁ ସୁରକ୍ଷା ଦେବା ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏଆଇରେ ସହଯୋଗ କରିବାକୁ ଅପେକ୍ଷା କରିଛୁ । ଆମେ AI ସିଷ୍ଟମରେ ଆମର ପୂର୍ଣ୍ଣ ଶକ୍ତି ସହିତ କାମ କରିବୁ । ଆମେ ପାରସ୍ପରିକ ସମ୍ମାନ, ସମାନତା ଏବଂ ପାରସ୍ପରିକ ଲାଭର ନୀତିକୁ ସମର୍ଥନ କରିବୁ । କାରଣ ସମସ୍ତ ଦେଶର ଆକାର ଏବଂ ମାପକୁ ଖାତିର ନକରି AI ର ବିକାଶ ଏବଂ ବ୍ୟବହାର ପାଇଁ ସମାନ ଅଧିକାର ଅଛି ।
ଏଠାରେ କିଛି ସାଧରଣ ପ୍ରଶ୍ନ ମଧ୍ୟ ଉଠିଥାଏ ।
ଯେପରି ଟେକ୍ନୋଲୋଜି ସମ୍ବନ୍ଧରେ ଦୁନିଆର ଅନେକ ଦେଶ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ଚୀନ୍ ଏବଂ ଆମେରିକା ବ୍ୟତୀତ ୟୁରୋପୀୟ ଦେଶ ସହିତ ଚୀନ୍ର ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କାହାଠାରୁ ଅଛପା ନାହିଁ ।ସେହିଭଳି ଆମେରିକା ଏବଂ ରୁଷ ମଧ୍ୟରେ ଶତ୍ରୁତା ବେଶ ପୁରୁଣା । ଏହାର ଅର୍ଥ ହେଉଛି ବିଶ୍ୱ ଏବେ ଅନେକ ଦଳରେ ବିଭକ୍ତ । ପରମାଣୁ ବୋମା ହେଉ କିମ୍ବା ରାସାୟନିକ ଅସ୍ତ୍ର ହେଉ କିମ୍ବା ଜୈବିକ ଅସ୍ତ୍ର ହେଉ, ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅଧିକାଂଶ ବଡ ଦେଶ ବିନାଶକାରୀ ଅସ୍ତ୍ର ତିଆରି ଦୌଡ଼ରେ ସାମିଲ ଅଛନ୍ତି ଏଥିରେ କାହାରି ଦ୍ଵିମତ ନାହିଁ । ସତ୍ୟ ଯାହାବି ହୋଇପାରେ କିନ୍ତୁ କରୋନା ଭାଇରସକୁ ଚାଇନାର ବାୟୋୱାପନ୍ ମଧ୍ୟ କୁହାଯାଉଥିଲା । ଏଭଳି ପରିସ୍ଥିତିରେ ଏକ ବଡ ପ୍ରଶ୍ନ ଉଙ୍କି ମାରୁଛି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ସମଗ୍ର ମାନବତା ପାଇଁ ବିପଦ ଭାବରେ ବିବେଚନା କରି ଗୋଟିଏ ପ୍ଲାଟଫର୍ମରେ ଏକାଠି ହୋଇ ଏହି ଦେଶମାନେ ପ୍ରକୃତରେ ଯାହା କହୁଛନ୍ତି ତାହା ପାଳନ କରିବେ ତ ?
ଟେକ୍ ବିଶେଷଜ୍ଞମାନଙ୍କ ମତ
ଏହି ଶିଖର ସମ୍ମିଳନୀରେ ବୈଷୟିକ ଶିଳ୍ପ ଜଗତର ଭେଟେରାନମାନେ ମଧ୍ୟ ଭାଗ ନେଇଥିଲେ । ଏଥିରେ ଟେସଲା ସିଇଓ ତଥା ‘ଏକ୍ସ’ ମାଲିକ ଏଲୋନ୍ ମସ୍କ କହିଛନ୍ତି ଯେ ଏଆଇ ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ । ତଥାପି ଏହା ଯେ ଆମ ସମସ୍ତଙ୍କୁ ମାରିପାରିବ ଏପରି ସମ୍ଭାବନା ନାହିଁ କହିଲେ ଚାଲେ । ମୁଁ ଭାବୁଛି ଏହା ଗତି ଏବେ ମନ୍ଥର ଅଛି ତା ସହିତ ଆମପାଇଁ କିଛି ସୁଯୋଗ ବି ଅଛି । ଏହା ମାନବ ସଭ୍ୟତାର ଦୁର୍ବଳତା ସହିତ ମଧ୍ୟ ଜଡିତ ଏକଥା ଭୁଲିଯିବା ଉଚିତ ନୁହେଁ । ଯଦି ଆପଣ ଇତିହାସ ଅଧ୍ୟୟନ କରିବେ ତେବେ ଜାଣିବେ ଯେ ପ୍ରତ୍ୟେକ ସଭ୍ୟତାର ଏକ ଜୀବନକାଳ ମଧ୍ୟ ଅଛି । ସେହିଭଳି ସୋସିଆଲ ମିଡିଆ କମ୍ପାନୀର ମୁଖ୍ୟ ନିକ କ୍ଲେଗ କହିଛନ୍ତି ଯେ ଏଆଇ ସହ ଜଡିତ ସାମ୍ପ୍ରତିକ ସମସ୍ୟାର ସମାଧାନ ପାଇଁ ଯେତିକି ସମୟ ବିନିଯୋଗ କରାଯାଇ ଏହି ଦିଗରେ କାର୍ଯ୍ୟ କରାଯିବ ସେତେ ଭଲ ହେବ । AI ଉତ୍ପାଦିତ ବିଷୟବସ୍ତୁର ସ୍ୱଚ୍ଛତା ଏବଂ ସମ୍ଭାବନା ଉପରେ କାର୍ଯ୍ୟ କରିବା ଉଚିତ ।