କରୋନାକୁ ନେଇ ଖୁବଶୀଘ୍ର ଆସିପାରେ ଖୁସି ଖବର । ଟୀକା ପ୍ରସ୍ତୁତ କରୁଛି ବ୍ରିଟେନ । ଗୁରୁବାର ଦିନ ମଣିଷ ଶରୀରରେ ହେବ ପରୀକ୍ଷା ।

1,854

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ କୌଣସି ଔଷଧ କି ଟୀକା ବାହାରି ନଥିବା ବେଳେ କିଛି ଆଶ୍ୱସ୍ତିକର ଖବର ଆସିପାରେ ବୋଲି ଆଶା କରାଯାଉଛି । କାରଣ ଏହି ଭୂତାଣୁ ପାଇଁ ଟୀକା ପ୍ରସ୍ତୁତ କରିଛି ବ୍ରିଟେନ । ଯାହାକୁ ଗୁରୁବାର ଦିନ ପ୍ରଥମ ଥର ପାଇଁ ମଣିଷ ଶରୀରରେ ପରୀକ୍ଷା କରାଯିବ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଟୀକା ୮୦ ପ୍ରତିଶତ ସଫଳ ହୋଇପାରେ ବୋଲି ଆଶା କରାଯାଉଛି ।

ସାରା ବିଶ୍ୱରେ କରୋନା ସଙ୍କଟ ଦେଖାଦେଇଥିବା ବେଳେ କିଛି ଆଶ୍ୱସ୍ତିକର ଖବର ଆସିବା ଆଶା କରାଯାଉଛି । କାରଣ କରୋନା ଭୂତାଣୁ ଟିକା ପ୍ରସ୍ତୁତ କରୁଛି ବ୍ରିଟେନ । ଯାହାକୁ ଗୁରୁବାର ମଣିଷ ଦେହରେ ପରୀକ୍ଷା କରାଯିବ । କରୋନା ଭୂତାଣୁ ସହ ଲଢିବା ପାଇଁ ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ ଏହାର ଟୀକା ପ୍ରସ୍ତୁତ କରିବାରେ ସବୁ ବଳ ଲଗାଇ ଦେଇଥିବା ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରୀ ମ୍ୟାଟ ହେନକକ୍ ସୂଚନା ଦେଇଛନ୍ତି । କାରଣ କୋଭିଡ-୧୯ଭୂତାଣ ସଂକ୍ରମଣକୁ ରୋକିବା ପାଇଁ ଏଯାଏଁ କୌଣସି ଔଷଧ କି ଟୀକା ବାହାରି ନାହିଁ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଟୀକାକୁ ଗୁରୁବାର ଦିନ ମଣିଷ ଶରୀରରେ ପରୀକ୍ଷା କରାଯିବ । ଏଥିରେ ସଫଳତା ମିଳିବା ନେଇ ୮୦ ପ୍ରତିଶତ ଆଶା ରହିଛି ବୋଲି ବୈଜ୍ଞାନିକ କହିଛନ୍ତି । ତେବେ ଏହା ସଫଳ ହେଲେ କରୋନା ଭୂତାଣୁ ସଂକ୍ରମଣକୁ ରୋକାଯାଇପାରିବ ।

ଟୀକା ପ୍ରସ୍ତୁତ କରିବା ପାଇଁ ବ୍ରିଟେନ ସରକାର ୨କୋଟି ପାଉଣ୍ଡ ଦେଇଛନ୍ତି । ସେହିପରି ଲଣ୍ଡନର ଇମ୍ପେରିୟାଲ କଲେଜରେ ମଧ୍ୟ କରୋନା ଟୀକା ପ୍ରସ୍ତୁତ କରାଯାଉଛି । ଏଥିପାଇଁ ମଧ୍ୟ ବ୍ରିଟେନ ସରକାର ୨.୨୫କୋଟି ପାଉଣ୍ଡ ଖର୍ଚ୍ଚ କରିବେ । ସିଏନବିସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବ୍ରିଟେନର ବିଭିନ୍ନ ସ୍ଥାନରେ ୫୧୦ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କୁ ନେଇ ଅଧ୍ୟୟନ ଚାଲିଛି । ଏମାନଙ୍କ ବୟସ ୧୮ରୁ ୫୫ ବର୍ଷ ମଧ୍ୟରେ । ୫୧୦ ଜଣଙ୍କ ମଧ୍ୟରୁ ଅଧା ଜଣଙ୍କୁ ଭ୍ୟାକସିନ ଦିଆଯିବ । ଅନ୍ୟମାନଙ୍କୁ ମିନିଙ୍ଗିଟିସ ଏବଂ ସେପସିସ ଭଳି ରୋଗରୁ ବଂଚିବା ପାଇଁ କଂଟ୍ରୋଲ ଭ୍ୟାକସିନ ଦିଆଯିବ । ଟୀକାକରଣର ୧ ବର୍ଷ ପରେ ୬ ମାସ ଯାଏ ପରୀକ୍ଷା ଚାଲିବ । ବ୍ରିଟେନରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଏବେ ଅଗ୍ରାଧିକାର ଭିତିରେ ଟୀକା ପ୍ରସ୍ତୁତି ଉପରେ ଜୋର ଦିଆଯାଉଛି । ଏବଂ ଅନ୍ୟ ରାଷ୍ଟ୍ର ତୁଳନାରେ ଏଠାରେ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି ।

ବ୍ରିଟେନର କରୋନା ଟୀକା ନେଇ ଏପରି ସମୟରେ ଘୋଷଣା ହୋଇଛି ଯେଉଁ ସମୟରେ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କେବଳ ବ୍ରିଟେନରେ ମଙ୍ଗଳବାର ୮୨୩କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଏଠାରେ ମୃତକଙ୍କ ସଂଖ୍ୟା ୧୭ହଜାର ଟପିଛି । କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ କୌଣସି ଔଷଧ ଓ ଟୀକା ନଥିବା ବେଳେ କେବଳ ସାମାଜିକ ଦୂରତା ବଜାୟ ରଖି ଏହି ସଂକ୍ରମଣକୁ ରୋକାଯାଇପାରିବ । ଏପରି ସ୍ଥିତିରେ ବ୍ରିଟେନ ବିକଶିତ କରିଥିବା ଟୀକାକୁ ନେଇ ଆଶା ସଂଚାର ହୋଇଛି ।