କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ୧୩ ଦିନରେ ପହଁଚିଲାଣି । ତଥାପି ସ୍ୱାଭାବିକ୍ ହେଉନାହିଁ ସ୍ଥିତି । ବରଂ ଦିନକୁ ଦିନ ଗାଜାରେ ବଢିବାରେ ଲାଗିଛି ସମସ୍ୟା । ତଥାପି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁ ହମାସ୍ । ଇସ୍ରାଏଲ ସେନା ବିରୋଧରେ ଜାରି ରଖିଛି ଯୁଦ୍ଧ । ତେଲ ଅବିବ୍ ଓ ଜେରୁଜେଲମ୍ ଉପରକୁ ବାରମ୍ବାର ମିଜାଇଲ୍ ଓ ରକେଟ୍ ମାଡ କରୁଛି ହମାସ ଆତଙ୍କୀ ସଙ୍ଗଠନ । ଆଉ ତେଲ ଅବିବ୍ରେ ତୁହାକୁ ତୁହା ବାଜୁଛି ସତର୍କର ସାଇରନ୍ । ଏହି ସାଇରନ୍ ଭିତରେ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଉ ଗୁରୁବାର ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ୍ ଇସ୍ରାଏଲ ଗସ୍ତ କରି ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟାହୁଙ୍କୁ ଭେଟିଛନ୍ତି । ସୁନକ୍ କହିଛନ୍ତି, ଏଭଳି ଭୟଙ୍କର ସ୍ଥିତିରେ ଇସ୍ରାଏଲ ନାଗରୀକଙ୍କ ସହ ରହିଛି ବ୍ରିଟେନ୍ । ଗାଜାରେ ଯାହା ପରିସ୍ଥିତି ରହିଛି, ଏଥିପାଇଁ ହମାସ ଦାୟୀ । ସେଠାରେ ଥିବା ପାଲେଷ୍ଟାଇନ୍ ନାଗରିକ ହମସା ପାଇଁ ବଳି ପଡୁଛନ୍ତି । ତେବେ ଗାଜାକୁ ମାନବତାବାଦୀ ସହାୟତା ଯୋଗାଇଦେବା ନିହାତି ଜରୁରୀ ।

Advertisment

ବୁଧବାର ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ସମାନ କଥା କହିଥିଲେ । ବାଇଡେନ୍ କହିଥିଲେଷ ଇସ୍ରାଏଲ ବାସିନ୍ଦା ନିଜକୁ ଏକା ନ ଭାବନ୍ତୁ । ଆମେରିକା ତାଙ୍କ ସହ ରହିଛି । ତୁହାକୁ ତୁହା ମିସାଇଲ ମାଡ, ଆକ୍ରମଣ ଭିତରେ ଗାଜାରେ ହା ହାକାର ସ୍ଥିତି ଦେଖିବାକୁ ମିଳିଛି । ଗଲ୍ଫ ନ୍ୟୁଜର ରିପୋର୍ଟ ଅନୁସାରେ ଗାଜାର ଲୋକେ ଏବେ କେବଳ ବଂଚି ରହିବା ପାଇଁ ଦିନ ରାତି ସଂଘର୍ଷ କରୁଛନ୍ତି । ଅଧିକାଂଶ ଲୋକଙ୍କ ପାଖରେ ରହିବାକୁ ଘର ନାହିଁ । ରାସ୍ତାରେ ଜରି ପାଲ ଟାଣି ରାତି ବିତାଉଛନ୍ତି । ଏହାରି ଭିତରେ କେତେବେଳେ ଆକ୍ରମଣ ହୋଇଯିବ ତାର ବି ଭୟ ରହିଛି । ନା ଅଛି ଲୋକଙ୍କ ପାଖରେ ଖାଦ୍ୟ, ନା ପାନୀୟ । ବିନା ବିଜୁଳିରେ ଡାକ୍ତରଖାନା ବି ଠିକ୍ ସେ ଚାଲି ପାରୁନି କି ରୋଗୀ ସେବା ହୋଇ ପାରୁ ନାହିଁ । ଏହାରି ଭିତରେ ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ଲୋକଙ୍କୁ ଅପିଲ୍ କରିଛନ୍ତି – କାହା ପାଖରେ ଜଦି ୧ ଲିଟର ଡିଜେଲ ଅଛି ତାହାଲେ ଡାକ୍ତରଖାନାକୁ ଦାନ କରନ୍ତୁ । ଡାକ୍ତରଖାନାରେ ଜେନେରଟ୍ ଚଳାଇବା ପାଇଁ ଏହାର ଆବଶ୍ୟକତା ରହିଛି । ଆପଣଙ୍କ ସାହାଯ୍ୟରେ କାହାର ଜୀବନ ବଂଚି ପାରିବ ।

ସେପଟେ ହମାସକୁ ସମର୍ଥନ କରୁଥିବା ଲେବାନନ୍ର ଆତଙ୍କୀ ସଙ୍ଗଠନ ହିଜବୁଲ୍ଲାହ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ସେନା । ବୁଧବାର ବିଳମ୍ବିତ ରାତିରେ ହିଜବୁଲ୍ଲାହର ବିଭିନ୍ନ ଶିବିର ଉପରେ ମିଜାଇଲ ମାଡ କରିଛି । ଏଥିରେ ଜଣେ କୁଖ୍ୟାତ ଆତଙ୍କୀ ନିପାତ ହୋଇଥିବା ଦାବି କରିଛି ଆଇଡିଏଫ୍ । ସେପଟେ ୱେଷ୍ଟବ୍ୟାଙ୍କରେ ଥିବା ପାଲେଷ୍ଟାଇନ୍ ନାଗରିକଙ୍କ କଡା ନଜର ରଖାଯାଉଛି । ଏମାନଙ୍କ ଭିତରେ ବି ହମାସ ଆତଙ୍କୀ ଥିବା ଦାବି କରୁଛି ଇସ୍ରାଏଲ ସେନା । ଇସ୍ରାଏଲରେ ଏବେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଆଗାମୀ ଦିନରେ କେଉଁ ରୂପ ନେବ ଦେଖିବାକୁ ବାକି ରହିଲା ।