ବ୍ରିଟେନରେ ସୁନକ ରାଜ ଶେଷ । ୧୪ ବର୍ଷ ପରେ ପ୍ରଚଣ୍ଡ ବିଜୟ ଅଭିମୁଖେ ଲେବର ପାର୍ଟି, କେୟର ଷ୍ଟାରମର ହେବେ ନୂଆ ପ୍ରଧାନମନ୍ତ୍ରୀ ।

1,034

କନକ ବ୍ୟୁରୋ : ବିଟ୍ରେନରେ ସରିଲା ସୁନକ ରାଜ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ଋଷି ସୁନକ । କନଜରଭେଟିଭ ପାର୍ଟିକୁ ମାତ୍ ଦେଇ ବ୍ରିଟେନରେ ବିଜୟ ଧ୍ୱଜା ଉଡାଇଛି ଲେବର ପାର୍ଟି । ଏହାସହ ଲେବର ପାର୍ଟିର ନେତା କେୟର ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଋଷି ସୁନକ । ପରାଜୟ ପାଇଁ ନିଜକୁ ଦାୟୀ କଲେ ଋଷି ସୁନକ । ଗତକାଲି ହାଉସ ଅଫ୍ କମନସ ପାଇଁ ମତଦାନ ହୋଇଥିଲା । ୬୫୦ ଆସନ ପାଇଁ ୪୦ ହଜାରରୁ ଅଧିକ ବୁଥରେ ମତଦାନ ହୋଇଛି ।

ଲେବର ପାର୍ଟିର ନେତା କେୟର ଷ୍ଟାରମର କହିଛନ୍ତି, ମତଦାତା ମାନେ ନିଜର ନିଷ୍ପତ୍ତି ଜଣାଇଛନ୍ତି ଏବଂ ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି । ଲେବର ପାର୍ଟି ତରଫରୁ କେୟର ଷ୍ଟାରମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ । ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମନସରେ ସରକାର ଗଠନ ପାଇଁ ୩୨୬ ଆସନର ଆବଶ୍ୟକତା ରହିଛି । ଯେଉଁ ଆସନ ଲେବର ପାର୍ଟି ପାର କରୁଥିବା ନେଇ ପ୍ରାରମ୍ଭିକ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ।

ଅନୁପ୍ରବେଶକାରୀଙ୍କୁ ରୋକିବାରେ ବିଫଳ, କରୋନାକୁ ସଠିକ ଭାବେ ପରିଚାଳନା ନକରିପାରିବା, ବ୍ରେକଜିଟ୍ ପାଇଁ ଘରୋଇ ବ୍ୟବସାୟୀ ପ୍ରଭାବିତ ହେବା ଭଳି କାରଣ ପାଇଁ ଭାରତର ଜ୍ବାଇଁ ସୁନକଙ୍କ ବିରୋଧରେ ଜନାଦେଶ ଯାଇଛି ବୋଲି କୁହାଯାଉଛି । ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହ ସଂପର୍କ ମଜବୁତ ହୋଇଥିଲା । ମୁକ୍ତ ବାଣିଜ୍ୟଠୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଭାରତ ସହ ସଂପର୍କ ମଜବୁତ ହୋଇଛି । ହେଲେ ଏବେ କ୍ଷମତା ପରିବର୍ତନ ହେଲେ ଦୁଇ ଦେଶ ମଧ୍ୟରେ ସଂପର୍କ ପ୍ରଭାବିତ ହେବାର ଆଶଙ୍କା ରହିଛି ।