କନକ ବ୍ୟୁରୋ : ଆମେରିକାରେ କମୁଛି କରୋନା, ହଟୁଛି କଟକଣା । ଦେଶରେ କରୋନା ସଂକ୍ରମଣ ଏବେ ତଳମୁହାଁ ହୋଇଥିବାରୁ କଟକଣା କୋହଳ କରୁଛନ୍ତି ସରକାର । ଗୋଟିଏ ପରେ ଗୋଟିଏ ସହର ମାସ୍କ ଫ୍ରି କରାଯାଉଛି । ନ୍ୟୁୟର୍କ ସିଟିରେ ମାସ୍କ ପିନ୍ଧିବା ଉପରେ କଟକଣା କୋହଳ ହୋଇଛି । ନ୍ୟୁୟର୍କ ସିଟିର ଗଭର୍ଣ୍ଣର କହିଛନ୍ତି, ଘରୋଇ କାମ ବେଳେ ଆବଶ୍ୟକ ନାହିଁ ମାସ୍କ ପିନ୍ଧିବା ।

Advertisment

କୌଣସି ଅଫିସରେ କାମ କରୁଥିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି । ହେଲେ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବ । ସଂକ୍ରମଣ କମୁଥିବାରୁ ଅନେକ ସହର କଟକଣା କୋହଳ କରୁଛନ୍ତି । କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ଫେବ୍ରୁଆରୀ ୧୫ ତାରିଖରୁ କାଲିଫର୍ଣ୍ଣିଆରେ ମାସ୍କ ପିନ୍ଧିବା ଆବଶ୍ୟକତା ପଡ଼ିବ ନାହିଁ । ଓରେଗନରେ ମଧ୍ୟ ମାସ୍କ ପିନ୍ଧିବା ଉପରେ କଟକଣା ହଟାଯାଇଛି ।

ସେପଟେ କରୋନା ଆଇସୋଲେସନ୍ ନିୟମ ଶେଷ କରିବା ନେଇ ସଙ୍କେତ ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜୋନ୍ସନ୍ । ଚଳିତ ମାସ ଶେଷରୁ ଆଇସୋଲେସନ୍ ନିୟମର କୌଣସି ଆବଶ୍ୟକତା ପଡିବ ନାହିଁ ବୋଲି କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ଏହା ସହ ସମସ୍ତ ଘରୋଇ କରୋନା କଟକଣା ହଟାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ୫ ଦିନ ସଂଗରୋଧରେ ରହିବାକୁ ପଡ଼ୁଛି । ଆସନ୍ତା ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଏହି ନିୟମ ରହିଛି । ହେଲେ ସଂକ୍ରମଣ ହ୍ରାସ ପାଉଥିବାରୁ ଏହି ନିୟମରେ ପରିବର୍ତ୍ତନ ହୋଇପାରେ ବୋଲି ସଂକେତ ମିଳିଛି ।