ବ୍ରିଟେନରେ ଭାଇରସ ଓ ଭ୍ୟାକ୍ସିନ ମଧ୍ୟରେ ଲଢେଇ: ନୂଆ ରୂପରେ କରୋନାର ବ୍ୟାପକ ସଂକ୍ରମଣ ସଂପୂର୍ଣ୍ଣ ଲକଡାଉନ; ଫେବ୍ରୁଆରୀ ସୁଦ୍ଧା ୧ କୋଟି ୩୦ ଲକ୍ଷ ଲୋକଙ୍କ ଟିକାକରଣ ଲକ୍ଷ୍ୟ

ସପ୍ତାହେ ହେଲା ପ୍ରତିଦିନ ଆସୁଛି ୫୦ ହଜାରରୁ ଅଧିକ ନୂଆ ମାମଲା

92

କନକ ବ୍ୟୁରୋ: ଭାରତରେ ୧୦ଦିନ ଭିତରେ ଆରମ୍ଭ ହୋଇପାରେ କୋଭିଡ ଟିକାକରଣ । ଏଥିପାଇଁ ଭାରତ ସରକାର ମଧ୍ୟ ସବୁ ପ୍ରସ୍ତୁତି ଚୂଡାନ୍ତ କରିସାରିଛନ୍ତି । ଏହା ଜରୁରୀ ମଧ୍ୟ । କାରଣ ମହାମାରୀ କରୋନା ପୁଣିଥରେ ଶକ୍ତିଶାଳୀ ହେଉଛି । ବ୍ରିଟେନରେ ବଜାର ବନ୍ଦ । ଦୋକାନ, ଅଫିସ, ସ୍କୁଲ, କଲେଜ ସବୁଠି ତାଲା । ରାସ୍ତାଘାଟ ଶୂନସାନ । ଗତବର୍ଷ ମାର୍ଚ୍ଚ, ଏପ୍ରିଲ ପରେ ତୃତୀୟଥର ପାଇଁ ଇଂଲଣ୍ଡରେ ଏଭଳି ଶକ୍ତ ଲକଡାଉନ ଲଗାଯାଇଛି । ନୂଆ ରୂପରେ କରୋନାର ସଂକ୍ରମଣ ପରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ମହାମାରୀ ।

ଗତ ସପ୍ତାହେ ହେଲାଣି ଏଠାରେ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । କୋଭିଡର ସର୍ବାଧିକ ଆଲର୍ଟ ଲେବଲ- ୫ ଜାରି କରାଯାଇଛି । ଅର୍ଥାତ ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଏଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିବ । ୭ ଦିନ ଭିତରେ ଇଂଲଣ୍ଡର ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବଢିଯାଇଛି । ସେହିଭଲି କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ବ୍ରିଟେନରେ କରୋନାରେ ୭୫ ହଜାରରୁ ଅଧିକ ମୃତ୍ୟୁ ହେଲାଣି । ଫେବ୍ରୁଆରୀ ସୁଦ୍ଧା ଏହା ୧ ଲକ୍ଷ ଛୁଇଁବା ଆଶଙ୍କା କରାଯାଉଛି । ତେବେ ଇଂଲଣ୍ଡରେ ପୁଣି ଲକଡାଉନ ଫେରିବା, ସମଗ୍ର ବିଶ୍ୱ ପାଇଁ ସତର୍କ ଘଂଟି ହୋଇଛି ।

କାରଣ କରୋନାର ନୂଆ ଷ୍ଟ୍ରେନ, ବିପଦଜନକ ନହେଲେ ମଧ୍ୟ ଏହା ୫୦ରୁ ୭୦ ପ୍ରତିଶତ ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଯାହା ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରୁଛି । ମୁକାବିଲା ପାଇଁ ବ୍ରିଟେନ ସରକାର ଟିକାକରଣକୁ ଜୋରଦାର କରିଛନ୍ତି । ଫାଇଜର ଟିକା ପରେ ଅକ୍ସଫୋର୍ଡ ଟିକା ମଧ୍ୟ ଲୋକଙ୍କୁ ଦିଆଯାଉଛି । ଫେବ୍ରୁଆରୀ ଶେଷ ସୁଦ୍ଧା ୧ କୋଟି ୩୦ ଲକ୍ଷ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । କହିବାକୁ ଗଲେ ବ୍ରିଟେନରେ ଭାଇରସ ଓ ଭ୍ୟାକ୍ସିନ ଭିତରେ ଏକପ୍ରକାର ରେସ ଚାଲିଛି ।

Comments are closed.