ବ୍ରିଟେନରେ ପେଟ୍ରୋଲ ପାଇଁ ହାହାକାର: ପାଣି ବୋତଲରେ ପେଟ୍ରୋଲ ଭରିନେବାକୁ ଧସ୍ତାଧସ୍ତି । ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା

334

କନକ ବ୍ୟୁରୋ : ବ୍ରିଟେନରେ ଏବେ ହାହାକାର ପରିସ୍ଥିତି । ଦେଶରେ ଏବେ ୯୦ପ୍ରତିଶତ ପେଟ୍ରୋଲ ପମ୍ପରେ ତାଲା ଝୁଲୁଥିବାବେଳେ ବାକି ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକପ୍ରକାର ବିଚଳିତ ଭାବ ଦେଖାଦେଇଛି । କିଛି ବି ଜାଗା ମିଳିଲେ ସେଥିରେ ପ୍ରେଟୋଲ ଭର୍ତ୍ତି କରିନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି । ଏଥିପାଇଁ କିଛି ସ୍ଥାନରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱାସ୍ଥ୍ୟକର୍ମୀମାନେ ହସ୍ପିଟାଲ ବଦଳରେ ପେଟୋଲ ପମ୍ପରେ ଉପସ୍ଥିତ ଥିବା ଦେଖାଯାଉଛି । କାରଣ ଏଭଳି ସ୍ଥିତିରେ ପେଟ୍ରୋଲ କିଣିବାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦେବାକୁ ଘୋଷଣା କରିଛନ୍ତି ବ୍ରିଟେନ୍ ସରକାର । କାରଣ ପେଟ୍ରୋଲ ସଙ୍କଟକୁ ନେଇ ଯେପରି ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ତେବେ ପ୍ରକୃତରେ ଦେଶରେ ପ୍ରେଟୋଲ ଜିଡେଲର ଅଭାବ ଯୋଗୁଁ ନୁହେଁ । ଏସବୁ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି । ତାହାଲେ କାରଣ କ’ଣ?

ବ୍ରିଟେନରେ ପେଟ୍ରୋଲ ପମ୍ପ ମାନଙ୍କରେ ଏପରି ସଙ୍କଟ ଦେଖାଯିବାର କାରଣ ହେଉଛି ଲୋରି ଡ୍ରାଇଭରଙ୍କ ଘୋର ଅଭାବ । ଯେଉଁଥିପାଇଁ ପେଟ୍ରୋଲ ସପ୍ଲାଏ ଚେନ୍ ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ରିଫାଇନାରୀରୁ ପେଟ୍ରୋଲ ପମ୍ପ ପାଖରେ ପେଟ୍ରୋଲ ପହଞ୍ଚାଇବାକୁ ମଧ୍ୟ ଡ୍ରାଇଭର ମିଳୁନାହାନ୍ତି । ଯାହାର ପ୍ରଭାବରେ ପେଟ୍ରୋଲ ପମ୍ପ ଖାଲି ପଡୁଛି । କେବଳ କିଛି ସ୍ଥାନରେ ନୁହେଁ ପୂରା ବ୍ରିଟେନରେ ଏବେ ଏଭଳି ସ୍ଥିତି ଉପୁଜିଛି । ଲୋକେ ପେଟ୍ରୋଲ ପାଇଁ ପରସ୍ପର ସହ ଝଗଡା କରୁଛନ୍ତି ।  ଏହି ସଙ୍କଟକୁ ଦୂର କରିବାକୁ ବୋରିସ ସରକାର ଟ୍ରକ ଡ୍ରାଇଭରଙ୍କ ପାଇଁ ଅସ୍ଥାୟୀ ଭିସା ଜାରି କରିପାରନ୍ତି । ଯାହାଦ୍ୱାରା ଟ୍ରକ ଚାଳକ ଓ ଶ୍ରମିକଙ୍କ ସଙ୍କଟ ଦୂର କରାଯାଇପାରିବ । ତେଣୁ ଖୁବଶୀଘ୍ର ୫୦୦୦ ବିଦେଶୀ ଡ୍ରାଇଭରଙ୍କ ପାଇଁ ଜରୁରୀକାଳୀନ ଭିସା ଜାରି କରିବାକୁ ଅନୁମତି ଦେଇପାରନ୍ତି ବ୍ରିଟେନ ସରକାର । କେବଳ ଏତିକି ନୁହେଁ ଯଥାଶିଘ୍ର ଏହି ସଙ୍କଟକୁ ଦୂରେଇବାକୁ ସୈନିକଙ୍କୁ ଡ୍ରାଇଭର ହିସାବରେ ମୁତୟନ କରିବାକୁ ମଧ୍ୟ ଯୋଜନା କରୁଛନ୍ତି ବ୍ରିଟେନ୍ ସରକାର ।

କେବଳ ପେଟ୍ରୋଲ ପମ୍ପ ନୁହେଁ ବରଂ ବଡ ବଡ ସୁପରମାର୍କେଟରେ ମଧ୍ୟ ସମାନ ଅବସ୍ଥା । ସୁପରମାର୍କେଟକୁ ଠିକ୍ ସମୟରେ ସାମଗ୍ରୀ ପହଞ୍ଚୁନଥିବାରୁ ଲୋକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି । ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନକୁ ଅଧିକାଂଶ ଲୋରୀ ଡ୍ରାଇଭର ୟୁରୋପୀୟ ରାଷ୍ଟ୍ର୍ରରୁ ଆସିଥାନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ ଅଧିକାଂଶ କରୋନାରେ ଆକ୍ରାନ୍ତ ହେବା ପରେ ନିଜ ନିଜ ଦେଶକୁ ଫେରିଯାଇଛନ୍ତି । ଏବେ କରୋନାର ତୃତୀୟ ଲହରକୁ ନେଇ ପୁଣି ଲୋକେ ଆଙ୍କା ଭିତରେ ଥିବାରୁ ବ୍ରିଟେନରେ ଏବେ ଲକ୍ଷେରୁ ଅଧିକ ଡ୍ରାଇଭରଙ୍କ ଅଭାବ ଦେଖାଦେଇଛି । ଏପରି ସ୍ଥିତିରେ ବାର୍ଷିକ (୬୩ ହଜାର ପାଉଣ୍ଡ) ୭୮ ଲକ୍ଷ ଦରମା ଦେଲେ ବି ଡ୍ରାଇଭର ଆସୁନାହାଁନ୍ତି । ଆଗକୁ ଖାଦ୍ୟାଭାବ ସମସ୍ୟା ଆହୁରି ଗୁରୁତର ହେବ । ଯାହା ବି ଦ୍ରବ୍ୟ ମିଳିବ ତାହାର ଚଢା ଦାମ ରହିବ ବୋଲି ପୂର୍ବାନୁମାନ କରାଯାଉଛି ।ସରକାର ଏହି ସମସ୍ୟାକୁ ଦୂର କରିବାକୁ ତ୍ୱରିତ ପଦକ୍ଷେପ ନନେଲେ ପରିସ୍ଥିତି ନିୟନ୍ତ୍ରଣ ବାହରକୁ ଯାଇପାରେ ବୋଲି ଅନୁମାନ କରାଯାଉଛି ।