ଆସନ୍ତାମାସରେ ଆସିପାରେ କୋଭିଡ୍ ଟିକା । ବ୍ରିଟେନର ଖବରକାଗଜ ରିପୋର୍ଟ ବଢ଼ାଇଲା ଚର୍ଚ୍ଚା । କରୋନା ଟିକାକୁ ନେଇ ଦେଖନ୍ତୁ ସବୁଠାରୁ ବଡ଼ ଖବର ।

754

କନକ ବ୍ୟୁରୋ : କୋଭିଡ ଭ୍ୟାକସିନକୁ ନେଇ ଅନ୍ତର୍ଜାତୀୟ ଖବର କାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଯଦି ସତ ହୁଏ ତେବେ ଏହା ସମସ୍ତଙ୍କ ପାଇଁ ଏକ ବଡ ଆଶ୍ୱସ୍ତି ହେବ । ବ୍ରିଟେନର ଏକ ଟାବଲଏଡ ଖବର କାଗଜ ‘ଦି ସନ’ ରିପୋର୍ଟ ପ୍ରକାଶ କରିଛି-ଯେ ଲଣ୍ଡନର ଏକ ହସ୍ପିଟାଲକୁ ଭ୍ୟାକସିନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ରଏଟର୍ସ ମଧ୍ୟ ‘ଦି ସନ’ର ରିପୋର୍ଟକୁ ଆଧାର କରି କହିଛି, ଲଣ୍ଡନର ଏହି ହସ୍ପିଟାଲକୁ ନଭେମ୍ବର ୨ରୁ ଆରମ୍ଭ ହେଉଥିବା ସପ୍ତାହରେ ଭ୍ୟାକସିନ ଦିଆଯିବ ବୋଲି କୁହାଯାଇଛି ।

କିନ୍ତୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇନାହିଁ । ସେପଟେ ନ୍ୟୁଜିଲ୍ୟାଣ୍ଡର ଏକ ପ୍ରତିଷ୍ଠିତ ଖବର କାଗଜ ‘ନ୍ୟୁଜିଲ୍ୟାଣ୍ଡ ହେରାଲଡ’କୁ ସାକ୍ଷାତକାର ଦେଇ ଅକ୍ସଫୋର୍ଡର ପ୍ରୋଜେକ୍ଟ ମୁଖ୍ୟ କହିଛନ୍ତି, ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପକ୍ଷରୁ ଶହ ଶହ କୋଟି ଡୋଜ ପ୍ରସ୍ତୁତ ହୋଇସାରିଛି ।

ବ୍ରିଟେନର ଏକ ପ୍ରତିଷ୍ଠିତ ଓ ଲୋକପ୍ରିୟ ଖବର କାଗଜ ‘ଦି ସନ’ରେ ପ୍ରକାଶ ପାଇଥିବା ଏହି ଖବରକୁ ବିଶ୍ୱର ଅନେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । ଦି ସନ ଏହି ରିପୋର୍ଟରେ କହିଛି, ଲଣ୍ଡନର ଏକ ପ୍ରତିଷ୍ଠିତ ହସ୍ପିଟାଲର ଟ୍ରଷ୍ଟକୁ କୋଭିଡ ଭ୍ୟାକସିନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆଷ୍ଟ୍ରାଜେନିକା ସହ ମିଶି ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କରାଯାଉଥିବା କୋଭିସିଲ୍ଡ ଟିକା ଏହି ହସ୍ପିଟାଲକୁ ମିଳିବ ବୋଲି ଏହି ଖବର କାଗଜ ପ୍ରକାଶ କରିଛି । ନଭେମ୍ବର ୨ ତାରିଖରେ ଅର୍ଥାତ ଆଉ ୫ଦିନ ପରେ ଲଣ୍ଡନର ହସ୍ପିଟାଲକୁ ଟିକା ମିଳିଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ରଏଟର୍ସ ମଧ୍ୟ ‘ଦି ସନ’ ଖବର କାଗଜକୁ କୋଟ କରି ରିପୋର୍ଟ କରିଛି । ରଏଟର୍ସ ମଧ୍ୟ କହିଛି, ୨ ତାରିଖରୁ ଆରମ୍ଭ ହେଉଥିବା ସପ୍ତାହରେ ଲଣ୍ଡନର ସେହି ହସ୍ପିଟାଲକୁ ଭ୍ୟାକସିନ ଦିଆଯିବ ।

ସେପଟେ ଅକ୍ସଫୋର୍ଡ ୟୁନିଭର୍ସିଟିର ଟିକା ପ୍ରସ୍ତୁତ କରୁଥିବା ପ୍ରଜେକ୍ଟର ଜଣେ ପ୍ରମୁଖ ବିଶେଷଜ୍ଞ ଏଡ୍ରିଆନ ହିଲ୍ ନ୍ୟୁଜିଲାଣ୍ଡ ହେରାଲଡ୍ ନାମକ ଏକ ପ୍ରତିଷ୍ଠିତ ଖବରକାଗଜକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, କ୍ରିସମସ୍ ପୂର୍ବରୁ ଟିକାକରଣ କରିବା ଅସମ୍ଭବ ନୁହେଁ । ସେ କହିଛନ୍ତି ଶହ ଶହ କୋଟି ଡୋଜ୍ ପ୍ରସ୍ତୁତ ହୋଇ ରହିଛି । ଦୁଇଟି ପର୍ଯ୍ୟାୟରେ ଅକ୍ସଫୋର୍ଡ ଟିକା କୋଭିସିଲ୍ଡର ପରୀକ୍ଷଣ କରାଯାଇଥିଲା । ଏଥିରୁ ବେଶ୍ ଭଲ ଫଳାଫଳ ମିଳିଥିଲା ।

ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ଏହି ଟିକା ପ୍ରଜେକ୍ଟରେ ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ ମଧ୍ୟ ଭାଗୀଦାର ଅଛି । ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପ୍ରସ୍ତୁତକାରୀ କମ୍ପାନୀଭାବେ ସାରାବିଶ୍ୱରେ ଜଣାଶୁଣା । ତେଣୁ ଯଦି କୋଭିସିଲ୍ଡ ଟିକା ଶୀଘ୍ର ଆସିଯାଏ, ତେବେ ଭାରତରେ ମଧ୍ୟ ବିଶେଷ ବିଳମ୍ବ ହେବ ନାହିଁ ବୋଲି ଅନୁମାନ କରାଯାଉଛି ।