ସଂକଟ ବଢ଼ୁଥିବା ବେଳେ ମିଳିଲା ସହାୟତାର ପ୍ରତିଶ୍ରୁତି : ଭାରତକୁ ସହାୟତା ପାଇଁ ଆଗେଇ ଆସିଲେ ଜର୍ମାନୀ, ବ୍ରିଟେନ ଓ ୟୁରୋପୀୟ ସଂଘ

ବିଭିନ୍ନ ମହଲରୁ ସମାଲୋଚନା ପରେ ଭେଂଟିଲେଟର ଓ ଟିକା ପାଇଁ କଂଚାମାଲ ଯୋଗାଇବାକୁ ଘୋଷଣା କଲା ଆମେରିକା

210

କନକ ବ୍ୟୁରୋ : ଭାରତରେ କରୋନା ସଂକଟ ବଢ଼ୁଥିବା ବେଳେ ମିଳିଲା ସହାୟତାର ପ୍ରତିଶ୍ରୁତି । ଭାରତକୁ ସହାୟତା ପାଇଁ ଆଗେଇ ଆସିଲେ ଜର୍ମାନୀ, ବ୍ରିଟେନ ଓ ୟୁରୋପୀୟ ସଂଘ । କରୋନା ସଂକଟ ସମୟରେ ଦୃଢ଼ ଭାବେ ଭାରତ ସହ ରହିଛୁ ବୋଲି କହିଛନ୍ତି ଜର୍ମାନୀ ଚାନ୍ସଲର ଏଂଜେଲା ମାର୍କେଲ । ବ୍ରିଟେନ ମଧ୍ୟ ଭାରତକୁ ଭେଂଟିଲେଟର ଏବଂ ଅକ୍ସିଜେନ କନସେନଟ୍ରେଟର ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି । ବ୍ରିଟେନରୁ ଖୁବଶୀଘ୍ର ଏସବୁ ସାମଗ୍ରୀ ଦିଲ୍ଲୀରେ ପହଂଚିବ ବୋଲି ଜଣାପଡ଼ିଛି ।

କାନାଡା ସରକାର ମଧ୍ୟ ଭାରତକୁ ପିପିଇ କିଟ୍, ଭେଂଟିଲେଟର ଏବଂ ଅନ୍ୟ ଅତ୍ୟାବଶ୍ୟକ ମେଡିକାଲ ଉପକରଣ ପଠାଇବାକୁ ଘୋଷଣା କରିଛନ୍ତି । ଭାରତରେ ମେ ମଧ୍ୟଭାଗ ସୁଦ୍ଧା ଦୈନିକ କରୋନା ମୃତ୍ୟୁ ୫ ହଜାର ଛୁଇଁବ ବୋଲି ଆମେରିକାର ଏକ ଗବେଷଣା ସଂସ୍ଥା ଆକଳନ କରିଛି । ସେହିପରି ଆମେରିକା ଓ ବ୍ରାଜିଲ ପରି ଦେଶରେ କୋଭିଡ ସ୍ଥିତି ଅତି ସଂକଟଜନକ ହୋଇପଡ଼ିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କ ନିରବତାକୁ ସହ୍ୟ କରିପାରିନାହାନ୍ତି ସାମାଜିକ ଗଣମାଧ୍ୟମର ଅନୁଗାମୀମାନେ ।

ଏଭଳି ସ୍ଥିତିରେ ଆମେରିକାର ଅବ୍ୟବହୃତ ହୋଇ ଗଚ୍ଛିତ ହୋଇ ରହିଥିବା ଗଦା ଗଦା କୋଭିଡ  ଟିକା ଉପରେ ବାଇଡେନ-ହାରିସ ପ୍ରଶାସନ ଏପରି ମାଡିବସିବା ଓ ଇର୍ଷାନ୍ୱିତ ହୋଇ ପାଟେଂଟରର ସୁରକ୍ଷା ଆଳରେ ଅନ୍ୟ ଦେଶରେ ଆବଶ୍ୟକତା ପ୍ରତି କର୍ଣ୍ଣପାତ ନକରିବା ଦୁର୍ଭାଗ୍ୟଜନକ ବୋଲି ଅନେକ ସମାଲୋଚନା କରିଛନ୍ତି । ବିଭିନ୍ନ ମହଲରୁ ସମାଲୋଚନା ପରେ ଭେଂଟିଲେଟର ଓ ଟିକା ପାଇଁ କଂଚାମାଲ ଯୋଗାଇବାକୁ ଘୋଷଣା କରିଛି ଆମେରିକା ।