ବ୍ରିଟେନ ନିର୍ବାଚନ, ଆଜି ଆସିବ ଫଳାଫଳ; ଏଗଜିଟ୍ ପୋଲରେ ପଛରେ ପଡ଼ିଲେ ରିଷି ସୁନକ, ବହୁମତ ଠାରୁ ଆଗରେ ଲେବର ପାର୍ଟି ।

254

କନକ ବ୍ୟୁରୋ: ବ୍ରିଟେନ ନିର୍ବାଚନରେ କିଏ ମାରିବ ବାଜି । ଆଜି ପ୍ରକାଶ ପାଇବ ଫଳାଫଳ । ଏଗଜିଟ୍ ପୋଲ ରିପୋର୍ଟରେ ଏବେର ବିରୋଧୀ ଦଳ ଲେବର ପାର୍ଟି ବହୁ ଆଗରେ ରହିଛି । ଗତକାଲି ହାଉସ ଅଫ୍ କମନସ ପାଇଁ ମତଦାନ ହୋଇଥିଲା । ୬୫୦ ଆସନ ପାଇଁ ୪୦ ହଜାରରୁ ଅଧିକ ବୁଥରେ ମତଦାନ ହୋଇଛି । ଏବେ ଭାରତର ଜ୍ବାଇଁ ତଥା କନଜରଭେଟିଭ୍ ପାର୍ଟିର ନେତା ଋଷି ସୁନକ ପ୍ରଧାନମନ୍ତ୍ରୀ ଅଛନ୍ତି । ଏଗଜିଟ୍ ପୋଲରେ ତାଙ୍କ ଦଳ ବହୁ ପଛରେ ରହିଛି । ଷ୍ଟାରମରଙ୍କ ନେତୃତ୍ବାଧୀନ ଲେବର ପାର୍ଟି ବହୁ ଆଗରେ ରହିଛି ।

ପାଖାପାଖି ୪୧୦ ଆସନ ଲେବର ପାର୍ଟି ଏବଂ ୧୩୧ ଆସନ କଂଜରଭେଟିଭ୍ ପାର୍ଟି ପାଇବା ନେଇ ଆକଳନ କରାଯାଇଛି । ମୋଟ୍ ଭୋଟରଙ୍କ ମଧ୍ୟରେ ୨୫ ଲକ୍ଷ ପ୍ରବାସୀ ଭାରତୀୟ ରହିଛନ୍ତି । ଅନୁପ୍ରବେଶକାରୀଙ୍କୁ ରୋକିବାରେ ବିଫଳ, କରୋନାକୁ ସଠିକ ଭାବେ ପରିଚାଳନା ନକରିପାରିବା, ବ୍ରେକଜିଟ୍ ପାଇଁ ଘରୋଇ ବ୍ୟବସାୟୀ ପ୍ରଭାବିତ ହେବା ଭଳି କାରଣ ପାଇଁ ଭାରତର ଜ୍ବାଇଁ ସୁନକଙ୍କ ବିରୋଧରେ ଜନାଦେଶ ଯାଇଛି ବୋଲି କୁହାଯାଉଛି । ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହ ସମ୍ପର୍କ ମଜବୁତ ହୋଇଥିଲା । ମୁକ୍ତ ବାଣିଜ୍ୟଠୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଭାରତ ସହ ସମ୍ପର୍କ ମଜବୁତ ହୋଇଛି । ହେଲେ ଏବେ କ୍ଷମତା ପରିବର୍ତ୍ତନ ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପ୍ରଭାବିତ ହେବାର ଆଶଙ୍କା ରହିଛି ।