କନକ ବ୍ୟୁରୋ : ଭାରତରୁ ୭ ହଜାର କୋଟିରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଥିବା ନୀରବ ମୋଦୀ ଭାରତ ଫେରିବା ନେଇ ଆଶା ସଂଚାର ହୋଇଛି । ଭାରତ ନଫେରିବାକୁ ବ୍ରିଟେନର ଏକ ହାଇକୋର୍ଟରେ ନୀରବ ମୋଦୀ ଯେଉଁ ଆବେଦନ କରିଥିଲେ ତାହା ଖାରାଜ ହୋଇଛି । ନୀରବ ମୋଦୀ ବ୍ରିଟେନ ହାଇକୋର୍ଟରେ ଆବେଦନ କରିଥିଲେ କି, ତାଙ୍କୁ ଭାରତ ଫଠାଇଦେବା ଉଚିତ ନୁହେଁ । ହେଲେ ଏହି ଆବେଦନ ଉପରେ ଶୁଣାଣି କରି ବ୍ରିଟେନ କୋର୍ଟ କହିଛନ୍ତି କି ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ କରିବା କୌଣସି ଦୃଷ୍ଟିକୋଣରୁ ଅନ୍ୟାୟ କିମ୍ବା ଦମନକାରୀ ନୁହେଁ ।

Advertisment

ସୂଚନା ଥାଉକି ନୀରବ ମୋଦୀ ଭାରତର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପାଖାପାଖି ୭ ହଜାର କୋଟି ଲୁଟି ବିଦେଶ ପଳାଇଯାଇଥିଲେ । ହେଲେ ଏବେ ସେ ଲଣ୍ଡନର ଏକ ଜେଲରେ ବନ୍ଦୀ ଭାବେ ରହିଛନ୍ତି । ଏପଟେ ତାଙ୍କୁ ତୁରନ୍ତ ଭାରତ ଫେରାଇଆଣିବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଏହି କ୍ରମରେ ଭାରତ ସରକାର ଏଜେନ୍ସି ଓ ଆଇନଗତ ଭାବେ ବ୍ରିଟେନ କୋର୍ଟରେ ଆବେଦନ କରିଥିଲେ କି ନୀରବ ମୋଦୀ ଭାରତର ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଧୋକା ଦେଇଛନ୍ତି । ଏଣୁ ତାଙ୍କ ଉପରେ ଆଇନଗତ ଦଣ୍ଡବିଧାନ ପାଇଁ ତାଙ୍କୁ ଭାରତକୁ ଫେରାଇ ଦିଆଯିବା ଉଚିତ୍ ।

ଭାରତ ସରକାରଙ୍କ ଏଭଳି ଆବେଦନକୁ ବିରୋଧ କରି ବିଭିନ୍ନ ତର୍କ ଉପସ୍ଥାପନ କରିଛନ୍ତି । ନୀରବ ମୋଦୀ ତର୍କ ରଖିଥିଲେ ଯେ ସେ ଭାରତୀୟ ଆଇନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ତାଙ୍କୁ ଭାରତୀୟ ଏଜେନ୍ସି ହାତରେ ସମର୍ପିତ କରା ନଯାଉ । ଏହି ଆବେଦନ ବ୍ରିଟେନର ତଳ କୋର୍ଟରେ ଖାରଜ ହେବା ପରେ ନୀରବ ମୋଦୀ ହାଇକୋର୍ଟକୁ ଯାଇଥିଲେ । ହେଲେ ହାଇକୋର୍ଟ ତାଙ୍କ ଆବେଦନକୁ ଆଜି ଖାରଜ କରିଦେଇଛନ୍ତି ।