କେନ୍ଦ୍ର ପାଳିଲା ଉଜ୍ଜ୍ୱଳା ସ୍ୱାଭିମାନୀ ଉତ୍ସବ ! ଆୟୁଷ୍ମାନ ଯୋଜନା ନାଁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଦୁଇ କେନ୍ଦ୍ରମନ୍ତ୍ରୀ ।

100

କନକ ବ୍ୟୁରୋ: ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ୫୦ ହଜାରରୁ ଉଦ୍ଧ୍ୱର୍ ଲାଭାର୍ଥୀ ମାନଙ୍କ ସହ କଥାବାର୍ତା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ  । ଭିଡ଼ିଓ କନଫରେସିଂ ଜରିଆରେ ହିତାଧୀକାରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀ  । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହିଳା ମାନଙ୍କ ଜୀବନରେ ନୂଆ ଉତ୍ସାହ ଭରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ସ୍ମୃତି ଇରାନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅସମ୍ଭବକୁ ସମ୍ଭବ କରିବା ସହ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆଜି ମହିଳାଙ୍କ ସମ୍ମାନ ବଢାଇଛି  । 

ଧର୍ମେନ୍ଦ୍ରଙ୍କ କହିବା ମୁତାବକ ଓଡିଶାରେ ଉଜ୍ଜ୍ୱଳା ଗ୍ୟାସ୍ ଲାଭାର୍ଥୀଙ୍କ ସଂଖ୍ୟା ୩୬ ଲକ୍ଷରେ ପହଁଚିଛି । ଆଗାମୀ ଦିନରେ ସବୁ ଗରିବ ପରିବାରରେ କିପରି ଉଜ୍ଜଳା ଗ୍ୟାସ ପହଁଚିପାରିବ ଏନେଇ ମୋଦି ସରକାର ପ୍ରୟାସ ଜାରି ରଖିଛନ୍ତି । ସେହିପରି ଧର୍ମଗଡ, ଢେଙ୍କାନାଳ. ପଦ୍ମପୁର, ଏରମ, ବ୍ରହ୍ମଗିରି ପରି ଅଂଚଳରେ ଉପସ୍ଥିତ ଥିବା ହିତାଧିକାରୀ ମାନଙ୍କ ସହ ଉଭୟ ମନ୍ତ୍ରୀ ସିଧାସଳଖ ଆଲୋଚନା କରିଥିଲେ । ହିତାଧିକାରୀଙ୍କ କହିବା ମୁତାବକ ଉଜ୍ଜ୍ୱଳା ଯୋଜନା ଦ୍ୱାରା ନିଜ ପରିବାର ସହ ପିଲାଛୁଆଙ୍କୁ ସମୟ ଦେବାସହ ନିଜେ ମଧ୍ୟ ଆତ୍ମନିରର୍ଭରଶୀଳ ହୋଇପାରିଛନ୍ତି । 

ସେପଟେ ଇରାନୀ କହିଛନ୍ତି ଯେ, ମା ଓ ଭଉଣୀ ମାନେ ଘରେ ଦୁଇଓଳି ରୋଷାଇ କରିବା ପାଇଁ ବହୁ କଷ୍ଟ କରିବାକୁ ପଡୁଥିଲା । କାଠପତ୍ର ଜାଳି ଧୂଆଁରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଥିଲା । ଏହାର ସମାଧାନ କାହା ପାଖରେ ନଥିବା ବେଳେ ସମାଧାନର ସୂତ୍ର ଦେଶର ପ୍ରଧାନମନ୍ତ୍ରୀ ବାହର କରି ଦେଖାଇଲେ । ସେହିପରି ଗରିବ ଲୋକଙ୍କ ପାଇଁ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିବା ବେଳେ ଓଡିଶାରେ ଲୋକମାନେ ଏଥିରୁ ବଂଚିତ ହେଉଛନ୍ତି । ରାଜନୈତିକ କାରଣରୁ ଏହା ଲୋକମାନଙ୍କ ପାଖରେ ପହଁଚି ପାରୁନାହିଁ । ଏଠି ଉପସ୍ଥିତ ମା ଓ ଭଉଣୀ ମାନେ ଏନେଇ ସ୍ଥାନୀୟ ପ୍ରଶାସନକୁ ଜବାବ ମାଗିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଇରାନୀ ।