ଉଜ୍ଜଳା ଗ୍ୟାସ ଯୋଜନାରେ ମହାଦୁର୍ନୀତି । କେନ୍ଦ୍ରାପଡା ରାଜକନିକାରେ ହିତାଧିକାରୀଙ୍କୁ ମିଳିନି ଗ୍ୟାସ୍, କିନ୍ତୁ ଆକାଉଣ୍ଟକୁ ଆସୁଛି ସବସିଡି ଟଙ୍କା ।

1,530

କନକ ବ୍ୟୁରୋ : ଘରେ ଗ୍ୟାସ ନାହିଁ, କିନ୍ତୁ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ସବସିଡି । କେନ୍ଦ୍ରାପଡା ରାଜନଗରରୁ ଆସିଛି ଏମିତି ଖବର । ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର ମିଳିନାହିଁ, କିନ୍ତୁ ଆକାଉଣ୍ଟକୁ ନିୟମିତ ଭାବେ ଗ୍ୟାସ୍ ସବସିଡି ଟଙ୍କା ଆସୁଛି । ଏବେ ବି ହିତାଧିକାରୀ ଚୂଲିରେ ରୋଷେଇ କରି ଧୂଳିଧୂଆଁରେ ଘାଂଟି ହେଉଛନ୍ତି, ସେପଟେ ସେମାନଙ୍କ ନାଁରେ ଆସୁଥିବା ଗ୍ୟାସକୁ ବ୍ଲାକରେ ଅନ୍ୟକୁ ବିକ୍ରି କରି ମାଲାମାଲ ହେଉଛନ୍ତି ଗ୍ୟାସ୍ ବିତରକ ସଂସ୍ଥା ଓ ଏଜେଣ୍ଟ ।

ଘରେ ଗ୍ୟାସ୍ ନାହିଁ । ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ସବସିଡି ଟଙ୍କା । ଆପଣଙ୍କୁ ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରୁ । ଦୀର୍ଘଦିନ ଧରି ଗ୍ୟାସ ସଂଯୋଗ ପାଇଁ ଆବେଦନ କରିଥିଲେ ମଧ୍ୟ ଏଯାଏଁ ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ମିଳି ପାରିନାହିଁ । ମାତ୍ର ପ୍ରତିମାସରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସବସିଡି ଟଙ୍କା ଆସୁଥିବା ଦେଖିବାକୁ ମିଳୁଛି ।

ପ୍ରଶ୍ନ ଉଠୁଛି ଏମିତି କେମିତି ହେଉଛି, ଲୋକଙ୍କୁ ଗ୍ୟାସ ମିଳିନି, କିନ୍ତୁ ସବସିଡି ଟଙ୍କା ଆସୁଛି । ପଚାରୁ ପଚାରୁ ଜଣାପଡିଲା ହିତାଧିକାରୀଙ୍କ ନାଁରେ ଗ୍ୟାସ ଉଠାଇ ଅନ୍ୟ କାହାକୁ ବିକ୍ରି କରିଦେଉଛନ୍ତି ଏଜେଂଟ ।ଆଉ ଏସବୁ କାରବାର ବ୍ଲାକରେ ଚାଲିଛି । ଗୋଟିଏ ପଟେ ଗ୍ୟାସ ପାଇବା ପାଇଁ ହିତାଧିକାରୀମାନେ ଦୌଡି ଦୌଡି ନିରାଶ ହେଉଛନ୍ତି, ଓ ଅନ୍ୟପଟେ ଏଜେଂଟ ସେମାନଙ୍କ ଗ୍ୟାସକୁ ଆଉ କାହାକୁ ବିକ୍ରି କରି ଦେଉଛି । ଯାହାଫଳରେ ସେହି ଚୂଲି ଧୁଆଁରେ ଧନ୍ଦି ହେଉଛନ୍ତି ଲୋକେ ।