ଘରେ ବସି କରନ୍ତୁ ଅଧାରକାର୍ଡରେ ଠିକଣା ଅପଡେଟ: ଦରକାର ନାହିଁ କୌଣସି ଡକ୍ୟୁମେଣ୍ଟ

357

କନକ ବ୍ୟୁରୋ: ଆଧାରକାର୍ଡରେ ଠିକଣା ଅପଡେଟ କରିବାକୁ ନେଇ ଆପଣ ଚିନ୍ତାରେ ଅଛନ୍ତି କି? ଠିକଣା ଅପଡେଟ ପାଇଁ ଏ ଅଫିସରୁ ସେ ଅଫିସରେ ଚକ୍କର କାଟିବାକୁ ପଡୁଛି କି? ତେବେ ଆପଣଙ୍କ ଚିନ୍ତା ଏବେ ଦୂର ହୋଇଯାଇଛି । ଆପଣ ସହଜରେ ଘରେ ବସି କରିପାରିବେ ଆପଣଙ୍କ ଆଧାରକାର୍ଡରେ ଠିକଣା ଅପଡେଟ । ଆଉ ଏଥିରେ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟ ମଧ୍ୟ ଦରକାର ପଡିବ ନାହିଁ । କେବଳ ଆପଣଙ୍କ ଘରର ମୁରବୀ ରାଜି ହୋଇଗଲେ ଅପଡେଟ ହୋଇଯିବ ଆପଣଙ୍କ ଠିକଣା ।

ପୂର୍ବରୁ ଆଧାରକାର୍ଡରେ ଠିକଣା ଅପଡେଟ ପାଇଁ ରାସନକାର୍ଡ, ମ୍ୟାରେଜ ସାର୍ଟିଫିକେଟ, ପାସପୋର୍ଟ ଭଳି ଡକ୍ୟୁମେଣ୍ଟ ଦରକାର ପଡୁଥିଲା । ଯଦି ଏସବୁ ନାହିଁ ତେବେ ଆପଣଙ୍କ ଅଞ୍ଚଳର ଏମଏଲଏ କିମ୍ବା ସରପଞ୍ଚଙ୍କ ଚିଠି ଦରକାର ପଡେ । ହେଲେ ଏବେ ଏସବୁର କୌଣସି ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଘରର ମୁରବୀଙ୍କ ଡକ୍ୟୁମେଣ୍ଟ ଦେଇ ଆପଣ ଆଧାରରେ ଠିକଣା ଅପଡେଟ କରିପାରିବେ ।

ଯଦି ଆପଣଙ୍କ ପାଖରେ ଠିକଣା ଅପଡେଟ କରିବା ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନାହିଁ କିମ୍ବା ନବବିବାହିତାମାନେ ନିଜ ଘର ମୁରବୀଙ୍କ ଡକ୍ୟୁମେଣ୍ଟ ଦେଇ ଏହି ସୁବିଧା ପାଇପାରିବେ । ଯେଉଁ ଡକ୍ୟୁମେଣ୍ଟରେ ତାଙ୍କ ସହ ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କ ସ୍ପଷ୍ଟ ଜଣାପଡୁଥିବ । ୟୁଆଇଡିଏଆଇର ନିୟମ ଅନୁସାରେ ୧୮ ବର୍ଷରୁ ଅଧିକ କୌଣସି ବ୍ୟକ୍ତି ଘରର ମୁରବୀର ଭୂମିକା ନିଭାଇ ପାରିବେ । ଏହି ଡକ୍ୟୁମେଣ୍ଟ ସାହାଯ୍ୟରେ ଆପଣ ସହଜରେ ଘରେ ବସି ଆପଣଙ୍କ ଠିକଣା ଅପଡେଟ କରିପାରିବେ ।

ତେବେ ଅନଲାଇନରେ କେମିତି ଆପଣ ଠିକଣା ଅପଡଟେ କରିବେ? ଜାଣିବା ପାଇଁ ଏହି ପ୍ରକ୍ରିୟା ଉପରେ ଥରେ ନଜର ପକାନ୍ତୁ

ପ୍ରଥମେ ଆପଣଙ୍କୁ myaadhaar.uidai.gov.in ରେ ଲଗଇନ କରି ଅପଡେଟ ଆଧାରରେ କ୍ଲିକ କରିବାକୁ ପଡିବ ।
ସେଠାରେ ଆପଣଙ୍କୁ ଆପଣଙ୍କ ମୁରବୀଙ୍କ ଆଧାର ନମ୍ବର ଦେବାକୁ ହେବ ।
ମୁରବୀଙ୍କ ସହ ଆପଣଙ୍କ ସମ୍ପର୍କ ପ୍ରମାଣ ଥିବା ଡକ୍ୟୁମେଣ୍ଟ ଦେବାକୁ ପଡିବ ।
ଏହାପରେ ୫୦ ଟଙ୍କାର ଏକ ପେମେଣ୍ଟ କରିବାକୁ ପଡିବ ।
ପେମେଣ୍ଟ କରିବା ପରେ ମୁରବୀଙ୍କ ପାଖରୁ ଏକ ମେସେଜ ଯିବ, ଯେଉଁଥିରେ ଆଡ୍ରେସ ରିକ୍ୱେଷ୍ଟ ଥିବ ।
ମୁରବୀଙ୍କ ଅନୁମତି ମିଳିବା ପରେ ଆପଣଙ୍କ ଆଧାର ଠିକଣା ଅପଡେଟର ପ୍ରକ୍ରିୟା ଆରମ୍ଭ ହୋଇଯିବ । ଆଉ ୩୦ ଦିନ ଭିତରେ ଏହା ଶେଷ ହୋଇଯିବ ।

ଏଭଳି ଭାବରେ ସହଜରେ ଆପଣ ଘରେ ବସି ଆପଣଙ୍କ ଆଧାର ଠିକଣା ଅପଡେଟ କରିପାରିବେ । ନା ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟର ଦରକାର ପଡିବ ନା କେଉଁ ଅଫିସର ଚକ୍କର କାଟିବାକୁ ପଡିବ । କେବଳ ଅନଲାଇନରେ ଆପଣ ଆପଣଙ୍କ ଆଧାର ଅପଡେଟର ସୁବିଧା ପାଇପାରିବେ ।