କନକ ବ୍ୟୁରୋ : ଉତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସୃଷ୍ଟି ହୋଇଛି । ଅଧାରେ ଅଟକିଯାଇଛି ଅଗର ମେସିନ । ଡ୍ରିଲିଂ ସମୟରେ ପଥର ସହ ମାଡ଼ ହେବା ଯୋଗୁଁ ମେସିନରେ ବୈଷୟିକ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଉଦ୍ଧାର କାର୍ଯ୍ୟ ବର୍ତମାନ ସମୟ ପାଇଁ ଅଟକି ରହିଛି । କ୍ରମାଗତ ତୃତୀୟ ଥର ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେଣୁ ବିକଳ୍ପ ବାଟ ବାଛିଛନ୍ତି ଉଦ୍ଧାରକାରୀ ଦଳ ।

Advertisment

ଏଣିକି ଭର୍ଟିକାଲ ଡ୍ରିଲିଂ ବା ଟନେଲର ଉପରପଟୁ ଖୋଳିବା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି । ଏଥିପାଇଁ ମେସିନ୍ ଗୁଡ଼ିକୁ ପାହାଡ଼ର ଉପରପଟକୁ ନିଆଯାଉଛି । ସେହିପରି ପାହାଡ଼ର ଉପରକୁ ୨୦ରୁ ଅଧିକ ଶ୍ରମିକ ଯାଇ ଖୋଳାଖୋଳି ଜାରି ରଖିଛନ୍ତି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ହେଉଥିବା ଉଦ୍ୟମରେ ଅନ୍ତିମ ମୁହୁର୍ତରେ ସମସ୍ୟା ସୃଷ୍ଟି ହୋଇଛି । ଯେଉଁଥିପାଇଁ ବିକଳ୍ପ ପନ୍ଥା ବାଛିଛି ଉଦ୍ଧାରକାରୀ ଦଳ । ଏହାରି ଭିତରେ ସୁଡ଼ଙ୍ଗରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ୧୪ ଦିନରେ ପହଂଚିଛି । ତେବେ ବାରମ୍ବାର ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଶ୍ରମିକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଛି ।

ଚଳିତ ମାସ ନଭେମ୍ବର ୧୨ ତାରିଖରେ ସୁଡ଼ଙ୍ଗ କାମ କରୁଥିବାବେଳେ ମାଟି ଅତଡ଼ା ଓ ପଥର ପଡ଼ି ଶ୍ରମିକ ମାନେ ଟନେଲ ଭିତରେ ଫସିରହିଥିଲେ । ଉତରକାଶୀରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସିଲକ୍ୟାରା ସୁଡ଼ଙ୍ଗରେ ଏହି ଖନନ ଚାଲିଥିଲା । କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷୀ ପ୍ରକଳ୍ପ ‘ଅଲ ୱେଦର ସଡ଼କ’ କାର୍ଯ୍ୟକ୍ରମ ଅଧିନରେ ସୁଡ଼ଙ୍ଗ ନିର୍ମାଣ କରାଯାଉଛି । ଏହି ଟନେଲ ନିର୍ମାଣ କାର୍ଯ୍ୟରେ ସାମିଲ ଥିବା ୮ଟି ରାଜ୍ୟର ୪୧ ଜଣ ଶ୍ରମିକ ଫସିରହିଛନ୍ତି । ଯେଉଁଥିରେ ଝାରଖଣ୍ଡର ସର୍ବାଧିକ ୧୫ଜଣ, ଉତରପ୍ରଦେଶର ୮ଜଣ, ଓଡ଼ିଶାର ୫ଜଣ, ବିହାରର ୫ଜଣ, ଆସାମର ୨ଜଣ, ଉତରାଖଣ୍ଡର ୨ଜଣ ଓ ପଶ୍ଚିମବଙ୍ଗର ୩ଜଣ, ହିମାଚଳ ପ୍ରଦେଶର ଜଣେ ଶ୍ରମିକ ସାମିଲ ଅଛନ୍ତି ।