image courtesy-http://www.livemint.com
କନକ ବ୍ୟୁରୋ : ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ପାଠ ପଢିବେ ଛାତ୍ରଛାତ୍ରୀ ।ଆମେରିକାରେ ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ତତ୍ପରତା ପ୍ରକାଶ କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)। ଯେକୌଣସି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ସମୟରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ କିଭଳି ମୁକାବିଲା କରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା କଲେଜ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ଏହି ବିଷୟଗୁଡ଼ିକୁ ସ୍ଥାନିତ କରିବାକୁ ୟୁଜିସି ପକ୍ଷରୁ ନିର୍ଦେଶ ଦିଆଯାଇଛି।
ପୂର୍ବରୁ ୨୦୧୫ରେ ପାକିସ୍ତାନର ଏକ ଶିକ୍ଷାନୁଷ୍ଠାନରେ ଆତଙ୍କବାଦୀ ଆକ୍ରମଣ ପରେ ୟୁଜିସି ଦ୍ୱାରା ଏଭଳି ଗାଇଡଲାଇନ୍ ଜାରି ହୋଇଥିଲେ ମଧ୍ୟ ଅଧିକାଂଶ ବିଶ୍ୱବିଦ୍ୟାଳୟ ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାନ୍ତି। ଯେଉଁଥିପାଇଁ ୟୁଜିସି ପକ୍ଷରୁ ପୁଣିଥରେ ଏକ ବିଜ୍ଞପ୍ତି ଜାରି ହୋଇଛି।
ଗତ କିଛି ବର୍ଷ ହେଲା ଆତଙ୍କବାଦ ସବୁ ଦେଶ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଥିବାରୁ କେନ୍ଦ୍ର ସରକାର ଏଥିପ୍ରତି ଗୁରୁତ୍ୱ ଦେଇଛନ୍ତି। ଛାତ୍ରଛାତ୍ରୀ କିଭଳି ଆତଙ୍କବାଦୀ ଆକ୍ରମଣରୁ ମୁକାବିଲା କରିପାରିବେ ସେନେଇ ଶିକ୍ଷାଦାନ କରାଯିବ। ବିଶ୍ୱବିଦ୍ୟାଳୟଗୁଡ଼ିକ ଏନେଇ ପାଠ୍ୟକ୍ରମ ପ୍ରସ୍ତୁତ କରିବେ। ପ୍ରତି ପିଲାଙ୍କ ଲାଗି ଏହି ପାଠ୍ୟକ୍ରମ ବାଧ୍ୟତାମୂଳକ ହେବ। ଏଥିରେ ଭୂମିକମ୍ପ, ବୋମା ବିସ୍ଫୋରଣ ଆଶଙ୍କା, ବିସ୍ଫୋରକ ସାମଗ୍ରୀ ପକାଇବା, କ୍ୟାମ୍ପସରେ ଗୁଳିକାଣ୍ଡ ଓ ଆତଙ୍କବାଦୀ ଆକ୍ରମଣକୁ କିଭଳି ମୁକାବିଲା କରିହେବ ସେନେଇ ପାଠ୍ୟକ୍ରମରେ ଉଲ୍ଲେଖ କରାଯିବ।
ଏଥିସହ ଆର୍ଥିକ ଜରୁରୀ ଅବସ୍ଥା ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ଏନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ କୁହାଯାଇଛି। ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକ ଲାଗି ମଧ୍ୟ ସେଭଳି ନିୟମ ଲାଗୁ ହେବ। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏନେଇ ସମସ୍ତ କଲେଜ କର୍ତୃପକ୍ଷଙ୍କୁ ନିର୍ଦେଶ ଦେବେ।
ୟୁଜିସି ସଚିବ ପି.କେ. ଠାକୁର କହିଛନ୍ତି ଯେ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଭିତର ଏବଂ ବାହାରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ୨୦୧୫ ଏପ୍ରିଲ ୧୬ରେ ଗାଇଡଲାଇନ୍ ଜାରି କରିଥିଲେ। ହେଲେ ତାହାକୁ ଏପର୍ଯ୍ୟନ୍ତ ସଠିକ୍ ଭାବେ ପାଳନ କରାଯାଇ ନାହିଁ। ତେଣୁ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ସଚେତନ କରିବା ଲାଗି ପୁଣିଥରେ ଗୁରୁତ୍ୱ ଦିଆଯାଇଛି। ବିପର୍ଯ୍ୟୟ ବା ବାହ୍ୟ ଆକ୍ରମଣକୁ ଛାତ୍ରଛାତ୍ରୀ କିଭଳି ମୁକାବିଲା କରିବେ ସେଦିଗରେ ପଦକ୍ଷେପ ନେବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ କୁହାଯାଇଛି।
Follow Us