ୟୁଜି, ପିଜି ଶେଷ ସେମିଷ୍ଟର ପରୀକ୍ଷା ପ୍ରସଙ୍ଗ : ମାସକ ମଧ୍ୟରେ ପରୀକ୍ଷା ସରିବ; ଅକ୍ଟୋବର ୩୧ସୁଦ୍ଧା ପରୀକ୍ଷା ଫଳ

247

କନକ ବ୍ୟୁରୋ : ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା କରାଇବାକୁ ସୁପ୍ରିମକୋର୍ଟ ରାୟ ଦେବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୟୁଜିସିର ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ୟୁଜି ଓ ପିଜି ଶେଷବର୍ଷ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୩୦ ତଥା ଆସନ୍ତା ମାସକ ମଧ୍ୟରେ ଶେଷ ହେବ। ଅକ୍ଟୋବର ୩୧ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରିବାକୁ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକଙ୍କ ଭିଡିଓ କନ୍‍ଫେର୍‍ନ୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ୟୁଜିସି ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା ଅଫଲାଇନ୍‍, ଅନ୍‍ଲାଇନ୍‍, ବ୍ଲେଣ୍ଡେଡ୍‍( ଉଭୟ ଅନ୍‍ଲାଇନ୍‍ ଓ ଅଫଲାଇନ୍‍) ମୋଡରେ ମଲ୍ଟିପୁଲ୍‍ ଚଏସ୍‍, ଓପନ୍‍ ବୁକ୍‍, ଓଏମ୍‍ଆର୍‍ ଆଦି ଯେକୌଣସି ଅନୁମୋଦିତ ପଦ୍ଧତିରେ କରାଯାଇ ପାରିବ। ଉପଯୁକ୍ତ ପରୀକ୍ଷା ପଦ୍ଧତି ଅବଲମ୍ବନ ବିଷୟରେ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ନିଷ୍ପତ୍ତି ନେବେ। ଯେଉଁ ଛାତ୍ରଛାତ୍ରୀ ଫାଇନାଲ ପରୀକ୍ଷା ଦେବାକୁ ଚାହିଁବେ ନାହିଁ କିମ୍ବା ଦେଇପାରିବେ ନାହିଁ, ସେମାନଙ୍କ ଲାଗି କୋଭିଡ୍‍-୧୯ ପରିସ୍ଥିତି ସୁଧୁରିଲେ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରୀକ୍ଷା ପେନ୍‍ ଓ ପେପର ମୋଡ୍‌ରେ ଡିସେମ୍ବର ମାସରେ କରିବା ପାଇଁ ବ୍ୟବସ୍ଥା କରାଯିବ। ଏଥିସହ ଫାଇନାଲ୍‍ ସେମିଷ୍ଟର ବା ଶେଷବର୍ଷର ଛାତ୍ରଛାତ୍ରୀଙ୍କ ବ୍ୟାକ୍‍ ପେପର ପରୀକ୍ଷା କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।