ଚୁପ୍ ରହିଲେ ବିଜେପିରେ ମିଳେ ପୁରସ୍କାର । ମୁଁ ସ୍ୱର ଉତ୍ତୋଳନ କଲି, ମୋ ଟିକେଟ କାଟି ଦିଆଗଲା । ଜାଣନ୍ତୁ କାହିଁକି ଏଭଳି କହିଲେ ଉଦିତ୍ ରାଜ

315

ବିଜେପିରେ ଚୁପ ରହିଲେ ମିଳେ ପୁରସ୍କାର । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ସଜ ସଜ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଉଦିତ ରାଜ । ଲୋକସଭା ନିର୍ବାଚନ ଲଢିବା ପାଇଁ ତାଙ୍କୁ ବିଜେପି ଟିକେଟ ନ ଦେବାରୁ କଂଗ୍ରେସରେ ସାମିଲ ହୋଇଛନ୍ତି ଉଦିତ । ଆଉ କଂଗ୍ରେସରେ ସାମିଲ ହେବା ସହ ବିଜେପି ଉପରେ ମନଇଚ୍ଛା ବର୍ଷିଛନ୍ତି ଉଦିତ । ଏପରିକି ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କୁ ନେଇ ବଡ ବୟାନ ରଖିଛନ୍ତି ଉଦିତ । ସେ କହିଛନ୍ତି, ଚୁପ ରହୁଥିବା ଦଳିତ ନେତା ମାନଙ୍କୁ ବିଜେପି ପସନ୍ଦ କରିଥାଏ ଏବଂ ରାମନାଥ କୋବିନ୍ଦଙ୍କୁ ମଧ୍ୟ ଏହାର ପୁରସ୍କାର ମିଳିଛି ।

ଦିଲ୍ଲୀର ଉତ୍ତର-ପଶ୍ଚିମ ଆସନରୁ ୨୦୧୪ରେ ବିଜୟୀ ହୋଇଥିବା ଉଦିତ ରାଜ ପୁଣିଥରେ ଏହି ଆସନରେ ନିର୍ବାଚନ ଲଢିବାକୁ ଆଶା ବାନ୍ଧିଥିଲେ । କିନ୍ତୁ ଦଳ ଏଠାରେ ତାଙ୍କ ଟିକେଟ କାଟି ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କୁ ଟିକେଟ ଦେଇଛି । ତେବେ ଟିକେଟ କଟିବା ପରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ଉଦିତ । ତାଙ୍କ ଟିକେଟ କଟିବା ପଛର କାରଣ ଦର୍ଶାଇବାକୁ ଯାଇ ଉଦିତ କହିଛନ୍ତି, ୨ ଏପ୍ରିଲ ୨୦୧୮ରେ ବିଭିନ୍ନ ଦଳିତ ସଙ୍ଗଠନ ପକ୍ଷରୁ ହୋଇଥିବା ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରିଥିବାରୁ ତାହାର ଫଳ ମିଳିଲା । ଯଦି ସେତେବେଳେ ସେ ଚୁପ ରହିଥାନ୍ତେ ତେବେ ତାଙ୍କ ଟିକେଟ କଟା ଯାଇନଥାନ୍ତା ବୋଲି କହିଛନ୍ତି ଉଦିତ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦାହରଣ ଦେବାକୁ ଯାଇ ଉଦିତ କହିଛନ୍ତି, ୨୦ ମେ’ ୨୦୧୪ରେ ରାମନାଥ କୋବିନ୍ଦ ନିଜ ବାୟୋଡାଟା ଧରି ମୋ ପାଖକୁ ଆସିଥିଲେ । ଏପରିକି ତାଙ୍କ ପାଇଁ କିଛି କରିବାକୁ ନିବେଦନ କରିଥିଲେ । କାରଣ ୨୦୧୪ରେ ରାମନାଥ କୋବିନ୍ଦ ଟିକେଟ ପାଇଁ ଆଶାୟୀ ଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କୁ ଗୁରୁତ୍ୱ ଦିଆଯାଇନଥିଲା । କିନ୍ତୁ ସେତେବେଳେ ସେ ଚୁପ ରହିବା ଫଳରେ ତାଙ୍କୁ ଯେଉଁ ପୁରସ୍କାର ମିଳିଛି ତାହା ସମସ୍ତେ ଆଜି ଦେଖୁଛନ୍ତି ।

ଯଦି ସେତେବେଳେ ମୁଁ ଚୁପ୍ ରହିଥାନ୍ତି ତେବେ ରାମନାଥ କୋବିନ୍ଦଙ୍କ ଭଳି ମୋତେ ମଧ୍ୟ ପୁରସ୍କାର ମିଳିଥାନ୍ତା । ଏପରିକି ଆବଶ୍ୟକ ପଡିଥିଲେ ମୋତେ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ସୁଯୋଗ ମିଳିଥାନ୍ତା । କିନ୍ତୁ ଏପରି ନକରି ଦଳିତଙ୍କ ମାମଲାରେ ସ୍ୱର ଉତ୍ତୋଳନ କରିବାରୁ ମୋ ଟିକେଟ କାଟି ଦିଅଗଲା ବୋଲି କହିଛନ୍ତି ଉଦିତ୍ ରାଜ । ତେବେ କଂଗ୍ରେସରେ ବିନା କୌଣସି ସର୍ତ୍ତରେ ସେ ମିଶିଥିବା କହିଛନ୍ତି ଉଦିତ । ରାହୁଲଙ୍କ ସହ ମିଶି କଂଗ୍ରେସ ପାଇଁ ପ୍ରଚାର କରିବି ଓ ଏଠାରେ ବିଜେପି ଅମାନତ ହରାଇବ ବୋଲି କହିଛନ୍ତି ଉଦିତ ।