ମହାରାଷ୍ଟ୍ରରେ ଆରମ୍ଭ ହେବ ଠାକରେ ରାଜ୍ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ, ଉଦ୍ଧବଙ୍କ ରାଜ୍ୟାଭିଷେକ ପାଇଁ ଜୋରଦାର ପ୍ରସ୍ତୁତି ।

248

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଆରମ୍ଭ ହେବ ଠାକରେ ରାଜ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏଥିପାଇଁ ମୁମ୍ବାଇର ଶିବାଜୀ ପାର୍କରେ ବ୍ୟାପକ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ୭୦ ହଜାରରୁ ଅଧିକ ଲୋକ ସାମିଲ ହେବା ଅନୁମାନ କରାଯାଉଛି । ସରକାର ଗଠନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଛନ୍ତି ଉଦ୍ଧବ ଠାକରେ ।

ମହାରାଷ୍ଟ୍ରରେ ଏବେ ଚାଲିବ ଠାକରେ ରାଜ । ପ୍ରଥମଥର ପାଇଁ ଠାକରେ ପରିବାରର ହେବ ଭୂମିକା ପରିବର୍ତନ । କିଙ୍ଗ ମେକରରୁ କିଙ୍ଗ ବନିବାକୁ ଯାଉଛନ୍ତି ଉଦ୍ଧବ ଠାକରେ । ବୁଧବାର ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟିବାକୁ ଗଲାବେଳେ ଉଦ୍ଧବ ଠାକରେଙ୍କ ଭୂମିକାରେ ବଡ ପରିବର୍ତନ ହୋଇସାରିଥିଲା । କାରଣ ମାତୋଶ୍ରୀର ପ୍ରଥମ ନେତା ଭାବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଦାବି ରଖିଥିଲେ ଉଦ୍ଧବ । ଯଦିଓ ନିର୍ବାଚନରେ ପୁଅ ଆଦିତ୍ୟ ଠାକରେଙ୍କୁ ଆଗକୁ କରି ଲଢିଥିଲେ ଶିବସେନା ମୁଖ୍ୟ । କିନ୍ତୁ ଏବେ ପରିବର୍ତୀତ ରାଜନୈତିକ ସମୀକରଣରେ ଉଦ୍ଧବଙ୍କୁ ଦାୟିତ୍ୱ ନେବାକୁ ପଡିବ । ମେଣ୍ଟ ସାଥୀଙ୍କୁ ସାଙ୍ଗରେ ନେଇ ବିଜେପି ଭଳି ବଡ ବିରୋଧୀ ଦଳର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡିବ ।

ମୁମ୍ବାଇର ଶିବାଜୀ ପାର୍କ । ଏହିଠାରେ ହେବ ଶିବସେନା-ଏନସିପି-କଂଗ୍ରେସ ମହା ବିକାଶ ଆଘାଡିର ଶପଥ ସମାରୋହ । ଉଦ୍ଧବ ଠାକରେଙ୍କ ଶପଥ ଉତ୍ସବକୁ ଐତିହାସିକ କରିବା ପାଇଁ ଜୋରଦାର ଉଦ୍ୟମ କରୁଛି ଶିବସେନା । ପ୍ରାୟ ୭୦ ହଜାର ଦର୍ଶକଙ୍କ ବସିବା ପାଇଁ ବନ୍ଦୋବସ୍ତ ହେଉଛି । ସେହିପରି ଏକ ବିରାଟ ମଞ୍ଚରେ ୧୦୦ରୁ ଅଧିକ ଅତିଥିଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଉଛି । ବିଜେପିକୁ କ୍ଷମତାରୁ ଦୂରେଇ ରଖି ସରକାରରେ ବସିବାକୁ ଯାଉଛନ୍ତି ଶିବସେନା ସହିତ ଏନସିପି ଓ କଂଗ୍ରେସ । ତେଣୁ ଶକ୍ତି ପ୍ରଦର୍ଶନ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କୁ ଆମନ୍ତ୍ରଣ କରିବା ପାଇଁ ଯୋଜନା ଚାଲିଛି ।

୨୩ ନଭେମ୍ବରରେ ଚୁପଚାପ ଶପଥ ନେଇଥିଲେ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ଶପଥ ନେବା ଯାଏଁ ଏ ବାବଦରେ କାହାରିକୁ ଜଣାନଥିଲା । ହେଲେ ବିଜେପି ଭଳି ଲୁଚିଛପି ଶପଥ ନେବାକୁ ଚାହୁଁନାହିଁ ଶିବସେନା । ଦଳ ପାଖରେ ବହୁମତ ବି ରହିଛି ଆଉ ସର୍ବ ସମ୍ମତିରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ବି ଘୋଷଣା କରାଯାଇଛି । ତେଣୁ ୨ଥର ଶପଥ ଗ୍ରହଣର ସମୟ ଓ ଥରେ ତାରିଖ ବଦଳି ସାରିଲାଣି । ତେବେ ୨୮ ତାରିଖରେ ଶିବାଜୀ ପାର୍କରେ ଶପଥ ଗ୍ରହଣ ନେଇ ନିଷ୍ପତି ଚୂଡାନ୍ତ ହୋଇଛି ।

କୁହାଯାଉଛି ତାରିଖ ଓ ସମୟ ପରିବର୍ତନ ପଛରେ ଜ୍ୟୋତିଷ ଗଣନା ଗୋଟିଏ କାରଣ ହୋଇପାରେ । କାରଣ ହିନ୍ଦୁତ୍ୱ ବିଚାରଧାରାରେ ରାଜନୀତି କରୁଥିବା ଶିବସେନା ଶୁଭ ମହୁରତ ନଦେଖି ସରକାର ଗଢିବ କେମିତି? ପ୍ରଥମଥର ପାଇଁ ରାଜ୍ୟର ଶାସନ ଭାର ନିଜ କାନ୍ଧକୁ ନେଲାବେଳେ ଉଦ୍ଧବଙ୍କ ଆଗରେ ବି ଦୁଇଧାର ଆହ୍ୱାନ ବି ରହିଛି । ଗୋଟିଏ ପଟେ ବିଚାରଧାରାରେ ଏକଦମ ଭିନ୍ନ ଏନସିପି ଓ କଂଗ୍ରେସକୁ ସାଙ୍ଗରେ ନେଇ ୫ ବର୍ଷ ଚାଲିବାକୁ ପଡିବ । ସେପଟେ ବିଜେପି ଭଳି ବଡଦଳ ବିରୋଧୀ ଆସନରେ ବସିବ ।