ଆଜି ଠାରୁ ମହାରାଷ୍ଟ୍ରରେ ଠାକରେ ରାଜ୍ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ, ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ୪୦୦ କୃଷକଙ୍କୁ ମିଳିଲା ନିମନ୍ତ୍ରଣ ।

400

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି ସନ୍ଧ୍ୟା ୬ଟା ୪୦ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ ବୋଲି ଜଣାପଡ଼ିଛି। ଏଥିରେ ଶିବ ସେନା, ଏନସିପି ଏବଂ କଂଗ୍ରେସର ମନ୍ତ୍ରୀ ରହିବେ। ଏହି ତିନି ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସମେତ ୧୫ ଜଣ ମନ୍ତ୍ରୀ ଶିବସେନାରୁ ରହିବେ। ଉପମୁଖ୍ୟମନ୍ତ୍ରୀ ପଦ ଶରଦ ପାୱାରଙ୍କ ଏନସିପିକୁ ଯିବ। ଏହି ଦଳର ଆଉ ୧୩ ଜଣ ମନ୍ତ୍ରୀ ହେବେ। ସେହିଭଳି କଂଗ୍ରେସକୁ ବାଚସ୍ପତି ପଦ ମିଳିବ ଏବଂ ଏହି ଦଳକୁ ୧୩ଟି ମନ୍ତ୍ରୀ ପଦ ମିଳିବ। ତେବେ ଗୃହ ଓ ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ କାହା ହାତରେ ରହିବ ତାହା ଜଣାପଡ଼ି ନାହିଁ।

ମନ୍ତ୍ରିମଣ୍ଡଳ ଗଠନ ନେଇ ଗତକାଲି ଦିନ ତମାମ ତିନି ଦଳର ନେତାମାନଙ୍କ ମଧ୍ୟରେ‌ ବିଚାର ଆଲୋଚନା ଚାଲିଥିଲା। ଏଥିରେ‌ ଉଦ୍ଧବ ଠାକରେ, ଶରଦ ପାୱାର ଏବଂ କଂଗ୍ରେସ ନେତା ଅହମ୍ମଦ ପଟେଲ ସାମିଲ ଥିଲେ। ଏହାପୂର୍ବରୁ ଉଦ୍ଧବ ଠାକରେ ପୃଥକ ଭାବେ ଶରଦ ପାୱାରଙ୍କୁ ଭେଟିବା ପରେ ପୁଣି ପାୱାର କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଭେଟି ଆଲୋଚନା କରିଥିଲେ।

ଶିବାଜୀ ପାର୍କରେ ବିଶାଳ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ଉତ୍ସବ ପାଇଁ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଳାରୁ ପ୍ରାୟ ୪୦୦ କୃଷକଙ୍କୁ ଆମନ୍ତ୍ରିତ କରାଯାଇଛି। ଆତ୍ମହତ୍ୟା କରିଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରିତ କରାଯାଇଛି। କୃଷକଙ୍କୁ ସମ୍ମାନ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଶିବସେନା ନେତା ସଂଜୟ ରାଉତ କହିଛନ୍ତି। ରାଉତ କହିଛନ୍ତି ଯେ ଆମେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ମଧ୍ୟ ନିମନ୍ତ୍ରଣ କରିଛୁ। ତେବେ ଏ ଦିଗରେ ଆନୁଷ୍ଠାନିକ ଭାବେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଶପଥ ଉତ୍ସବକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମନ୍ତ୍ରିତ ହୋଇଥିଲେ ମଧ୍ୟ ସେମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଉଦ୍ଧବ ଠାକରେ ଗତକାଲି ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ କେବେ ବି ସ୍ୱପ୍ନ ଦେଖି ନଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଥିବାରୁ ସେ ଗତକାଲି ସୋନିଆଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିଭଳି ଏନସିପି ନେତା ଅଜିତ ପାୱାର କହିଛନ୍ତି ଯେ ବିଜେପି ସହିତ ସରକାର ଗଠନ ପାଇଁ ତାଙ୍କର ପଦକ୍ଷେପ ଦଳ ବିରୋଧରେ ବିଦ୍ରୋହ ନଥିଲା। ସେ ଏନସିପିରେ ଅଛନ୍ତି ଓ ରହିବେ। ଶରଦ ପାୱାରଙ୍କ ନିର୍ଦେଶ ଅନୁସାରେ ହିଁ ସେ କାମ କରିବେ।