କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ସମର୍ଥନ ବଢିବାରେ ଲାଗିଛି । ଏହି କ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ଓ ଶିବସେନା (ଉଦ୍ଧବ ଠାକରେ ଗ୍ରୁପ) ରୁ ଉଦ୍ଧବ ଠାକରେ ଯୋଗ ଦେବାର ଥିଲା । ହେଲେ କୌଣସି କାରଣରୁ ଏହି ଦୁଇ ବରିଷ୍ଠ ନେତା ଏବେ ଭାରତ ଯୋଡ ଯାତ୍ରାରେ ଯୋଗ ଦେଇପାରୁ ନଥିବା ବେଳେ ଶିବସେନାର ବିଧାୟକ ଆଦିଥ୍ୟ ଠାକରେ ଓ ଏନସିପିର ବିଧାୟକ ରୋହିତ ପାୱାର ଭାରତ ଯୋଡ ଯାତ୍ରାରେ ଯୋଗଦେବାକୁ ଯାଉଛନ୍ତି । ଆଦିତ୍ୟ ଠାକରେ ଆସନ୍ତା କାଲି ଆର୍ଥାତ ନଭେମ୍ବର ୧୧ ତାରିଖରେ ମହାରାଷ୍ଟ୍ରରେ ଭାରତ ଯୋଡ ଯାତ୍ରାରେ ଯୋଗ ଦେବେ । ଏହାପରେ ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ହଙ୍ଗେଲି ଠାରେ ଏନସିପି ବିଧାୟକ ରୋହିତ ପାୱାର ରାହୁଲ ଗାନ୍ଧୀଙ୍କ ସହ ଯୋଡି ହେବେ ବୋଲି କୁହାଯାଉଛି ।
ଏନେଇ ଆଦିତ୍ୟ ଠାକରେ କହିଛନ୍ତି କି, ବାପା ଉଦ୍ଧବ ଠାକରେଙ୍କ କହିବା ମୁତାବକ ସେ ଭାରତ ଯୋଡ ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି । ଏହାସହ ଆଜି ଲୋକତନ୍ତ୍ର ଓ ସମ୍ବିଧାନ ବିପଦରେ ରହିଛି , ତେଣୁ ଦେଶରେ ଲୋକତନ୍ତ୍ରକୁ ରକ୍ଷା କରିବାକୁ ହେଲେ ସମସ୍ତ ବିରୋଧୀଦଳମାନେ ଏକାଠି ହେବାର ସମୟ ଆସିଛି ବୋଲି ଆଦିତ୍ୟ ଆହ୍ୱାନ ଦେଇଛନ୍ତି ।
ସେପଟେ ଶରଦ ପାୱାରଙ୍କ ନାତି ରୋହିତ ପାୱାର ବିଶେଷ ଭାବେ ଗ୍ରାମୀଣ ଯୁବକ ଓ କୃଷକ ସମୁଦାୟଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ସେ କହିଛନ୍ତି କି ରାହୂୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ସେ ନଭେମ୍ବର ୧୪ ତାରିଖରେ ସାମିଲ ହେବାକୁ ଯାଉଛନ୍ତି ।