କନକ ବ୍ୟୁରୋ : ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ଶିବସେନା ଦଳର ନାମ ଓ ଚିହ୍ନ । ଏକନାଥ ସନେ୍ଧ ଗୋଷ୍ଠୀଙ୍କୁ ଧନୁ-ତୀର ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତି ପରେ ଠାକରେ ପରିବାର ହାତରୁ ଶିବସେନା ଖସିଯିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଆଉ ଏଭଳି ନିଷ୍ପତ୍ତି ପରେ ଶନିବାର ନିଜ ସମର୍ଥକ ଗୋଷ୍ଠୀଙ୍କ ସହ ବୈଠକ କରିଛନ୍ତି ଉଦ୍ଧବ ଠାକରେ । ଏହି ବୈଠକ ପରେ ମାତୋଶ୍ରୀ ବାହାରେ ଥିବା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ଉଦ୍ଧବ । ସିନ୍ଦେଙ୍କ ଗୋଷ୍ଠୀକୁ ଖୋଲା ଚ୍ୟାଲେଞ୍ଜ ଦେବା ସହ ଉଦ୍ଧବ କହିଛନ୍ତି, ମହାଶିବରାତ୍ରୀର ଗୋଟିଏ ଦିନ ପୂର୍ବରୁ ଆମର ଧନୁ-ତୀର ଚୋରି ହୋଇଛି । ମହାରାଷ୍ଟ୍ରରେ ପ୍ରତିଟି ଗଳିରେ ଥିବା ଲୋକ ଏହି କଥା ଜାଣିବା ଦରକାର କିଭଳି ତାଙ୍କର ଧନୁ-ତୀର ଚୋରି ହୋଇ ଯାଇଛି । ଏହାସହ ଏହି ଚିହ୍ନରେ ସିନ୍ଦେ ଗୋଷ୍ଠୀ ନିର୍ବାଚନ ମୈଦାନକୁ ଓହ୍ଲାଇ ଲଢିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ଉଦ୍ଧବ ।
ଏହାସହ ଉଦ୍ଧବ କହିଛନ୍ତି ଧନୁ-ତୀରର ମୁକାବିଲା ଆମେ ମସାଲ ବଳରେ କରିବୁ । ଆଉ ଏଭଳି କହି ଉଦ୍ଧବ ସଂକେତ ଦେଇଛନ୍ତି ଯେ, ତାଙ୍କ ଗୋଷ୍ଠୀର ଆଗାମୀ ନିର୍ବାଚନୀ ଚିହ୍ନ ମସାଲ ରହିବ । କର୍ମୀଙ୍କ ମନରେ ଜୋଶ ଭରିବା ସହ ଉଦ୍ଧବ କହିଛନ୍ତି, ପୁଣିଥରେ ମହାରାଷ୍ଟ୍ରରେ ଆମ ମୁଖ୍ୟମନ୍ତ୍ରୀ ଆସିବା ଦରକାର ।
ଏସବୁ ଭିତରେ ଏନସିପି ମୁଖ୍ୟ ଶରଦ ପାୱାର ପରାମର୍ଶ ଦେବା ସହ କହିଛନ୍ତି, ଉଦ୍ଧବଙ୍କୁ ନୂଆ ଚିହ୍ନରେ ନୂଆ ଆରମ୍ଭ କରିବା ଆବଶ୍ୟକ । ଆଉ ଏଥିପାଇଁ ଇନ୍ଦିରା ଗାନ୍ଧୀଙ୍କ ଉଦାହରଣ ରଖିଛନ୍ତି ଶରଦ ପାୱାର । ଗତବର୍ଷ ଶିବସେନାରେ କନ୍ଦଳ ପରେ ଦୁଇଟି ଗୋଷ୍ଠୀ ହୋଇଥିଲା । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନେ୍ଧଙ୍କ ମଧ୍ୟର ଦଳୀୟ ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ନିର୍ବାଚନ ଆୟୋଗ, ଦଳର ନାଁ ଓ ଚିହ୍ନ ଏକନାଥ ଗୋଷ୍ଠୀଙ୍କୁ ଦେବା ପରେ କଡ଼ା ସମାଲୋଚନା କରିଛନ୍ତି ଉଦ୍ଧବ ଠାକରେ । କହିଛନ୍ତି, ଏପରି ନିଷ୍ପତି ନେଇ ଗଣତନ୍ତ୍ରର ହତ୍ୟା କରିଛନ୍ତି ନିର୍ବାଚନ କମିସନ । ନିର୍ବାଚନ କମିଶନଙ୍କ ନିଷ୍ପତି ବିରୋଧରେ ସେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/uddhav-thackeray-pti-i-1589782145.jpg)