କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଲାଗି ରହିଥିବା କ୍ଷମତା ଯୁଦ୍ଧର କେବେ ଅବସାନ ହେବ ତାହା ଜଣାପଡିନାହିଁ । ହେଲେ ଏବେ ଉଦ୍ଧବ ଠାକରେଙ୍କୁ ଏକ ବଡ ଝଟକା ଲାଗିଛି । ଉଦ୍ଧବ ଠାକରେଙ୍କ ପୁତୁରା ନିହାର ଠାକରେ ଏବେ ସିନ୍ଦେ ସରକାରକୁ ସମର୍ଥନ ଦେଇଛନ୍ତି । ନିହାର ଠାକରେ ଶିବସେନା ସଂସ୍ଥାପକ ବାଲ୍ ଠାକରେଙ୍କ ବଡପୁଅ ଦିବଗଂତ ବିନ୍ଦୁମାଧବ ଠାକରେଙ୍କ ପୁଅ ବୋଲି ଜଣାପଡିଛି ।
କହିରଖୁ କି ନିହାର ଠାକରେଙ୍କ ବାପା ବିନ୍ଦୁମାଧବ ୧୯୯୬ ମସିହାରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ନିହାର ପେଶାରେ ଜଣେ ଓକିଲ ଓ ସେ ଏପର୍ଯ୍ୟନ୍ତ ରାଜନୀତିରୁ ଦୂରେଇ ରହିଥିଲେ । ହେଲେ ତାଙ୍କ ପ୍ରୋଫାଇଲ ମୁତାବକ ସେ ଜଣେ ରଣନୀତିକ ଆଇନ ପରାମର୍ଶଦାତା । ସେ ବିଭିନ୍ନ ମାମଲା ନିଜେ ଲଢିବା ସହ ଆଇନଗତ ପରାମର୍ଶ ମଧ୍ୟ ଦେଇଥାନ୍ତି । ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଏକ ଆନ୍ତର୍ଜାତୀୟ ବାଣିଜ୍ୟିକ ମକଦ୍ଦମା ପାଠ୍ୟକ୍ରମ ସମାପ୍ତ କରିଛନ୍ତି । ଏହାସହ ସେ ମୁମ୍ବାଇ ସରକାରୀ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି ।
वंदनीय हिंदुहृदयसम्राट शिवसेनाप्रमुख बाळासाहेब ठाकरे यांचे नातू व बिंदूमाधव ठाकरे यांचे सुपुत्र निहार ठाकरे यांनी आज भेट घेऊन युती सरकारला समर्थन जाहीर केले. याप्रसंगी त्यांचे मनापासून स्वागत करित भावी सामाजिक व राजकीय कारकिर्दीकरिता शुभेच्छा दिल्या.#NiharBindumadhavThackeraypic.twitter.com/2Li3q70w8A
— Eknath Shinde - एकनाथ शिंदे (@mieknathshinde) July 29, 2022
ସେପଟେ ନିହାରଙ୍କର ବିଜେପି ସହ ଭଲ ସଂପର୍କ ରହିଛି । କାରଣ ନିହାରଙ୍କ ପତ୍ନୀ ଅଙ୍କିତା ହେଉଛନ୍ତି ବିଜେପି ନେତା ହର୍ଷର୍ଦ୍ଧନ ପାଟିଲଙ୍କ କନ୍ୟା । ଏବେ ଅନୁମାନ କରାଯାଉଛି କି , ନିହାର ଏକନାଥ ସିନ୍ଦେଙ୍କୁ ସମର୍ଥନ ଦେଇ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ସେପଟେ ନିହାର ଏକନାଥ ସିନ୍ଦେଙ୍କୁ ଭେଟିବା ପରେ ସିନ୍ଦେଙ୍କ କାର୍ଯ୍ୟାଳୟରୁ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି କି ନିହାର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ନେତୃତ୍ୱରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିବେ ।