୩ ଡିସେମ୍ବର ନୁହେଁ ୩୦ ନଭେମ୍ବର । ଆସନ୍ତାକାଲି ବହୁମତ ପରୀକ୍ଷା ଦେଇପାରନ୍ତି ଉଦ୍ଧବ ଠାକରେ, ଜାଣନ୍ତୁ ଏହା ପଛର କଣ ରହିଛି କାରଣ?

753

୩ ଡିସେମ୍ବର ନୁହେଁ ବରଂ ୩୦ ନଭେମ୍ବରରେ ବହୁମତ ପରୀକ୍ଷା ଦେବେ ଉଦ୍ଧବ ଠାକରେ । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବହୁମତ ପରୀକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶନିବାର ଅପରାହ୍ନ ୨ଟାରେ ଫ୍ଲୋର ଟେଷ୍ଟରେ ବହୁମତ ପ୍ରମାଣ କରିବେ ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବହୁମତ ସାବ୍ୟସ୍ତ କରିବାକୁ ଡିସେମ୍ବର ୩ ତାରିଖ ଯାଏଁ ସମୟ ଦେଇଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ ଦେଇଥିବା ଡେଡଲାଇନ ପୂର୍ବରୁ ହିଁ ବହୁମତ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ଉଦ୍ଧବ । କାରଣ ମହାରାଷ୍ଟ୍ର ରାଜନୀତିରେ ଗତ କିଛିଦିନ ହେବ ଯେଉଁଭଳି ଭାବେ ରାଜନୈତିକ ଉତଥାନ ପତନ ଦେଖିବାକୁ ମିଳୁଛି ତାହାକୁ ଦୃଷ୍ଟିରେ ଏହି ନିଷ୍ପତି ନେଇଛନ୍ତି ଉଦ୍ଧବ । ପୂରା ମନ୍ତ୍ରୀମଣ୍ଡଳ ଗଠନ ପୂର୍ବରୁ ବହୁମତ ପରୀକ୍ଷା କରିବାକୁ ଚାହୁଁଛନ୍ତି ଉଦ୍ଧବ । ବିଧାୟକଙ୍କ ଶପଥ ଗ୍ରହଣ ଠାରୁ ବହୁମତ ପରୀକ୍ଷା ମଧ୍ୟରେ ଅଧିକ ସମୟ ନେବାକୁ ଉଦ୍ଧବ ଚାହୁଁନଥିବା ସୂଚନା ମିଳିଛି ।

ଏହାପୂର୍ବରୁ ମହାରାଷ୍ଟ୍ରରେ ଯେଉଁ ରାଜନୈତିକ ହଟଚମଟ ଦେଖିବାକୁ ମିଳିଥିଲା ତାହାର ପୁନରାବୃତ୍ତି ଯେପରି ନ ହେଉ ସେଥିପ୍ରତି ଶିବସେନାର କଡା ଦୃଷ୍ଟି ରହିଛି । କାରଣ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଓ ବହୁ ବାଦ ବିବାଦ ପରେ କଂଗ୍ରେସ-ଏନସିପି-ଶିବସେନା ମଧ୍ୟରେ ସରକାର ଗଠନକୁ ନେଇ ସହମତି ଦେଖାଦେଇଥିଲା । କିନ୍ତୁ ରାତାରାତି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ହଟାଇ ଏନସିପିର ବିଧାୟକ ଦଳ ନେତା ଅଜିତ ପାୱାରଙ୍କ ସମର୍ଥନପତ୍ରକୁ ସାଥୀ କରି ଶନିବାର ସକାଳୁ ସରକାର ଗଢିଥିଲା ବିଜେପି । ମୁଖ୍ୟମନ୍ତ୍ରୀ ଭାବେ ଫଡନବୀଶ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ଗ୍ରହଣ କରିଥିଲେ । କିନ୍ତୁ ଏହି ଶପଥଗ୍ରହଣ ଉତ୍ସବକୁ ଅବୈଧ ଦର୍ଶାଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ୩ ଦଳ । ଆଉ ସୁପ୍ରିମକୋର୍ଟ ଫଡନବୀଶ ସରକାରକୁ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାକୁ ନିର୍ଦ୍ଦେଶ ଦେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନବୀଶ । ଆଉ ଏହାପରେ ପୁଣିଥରେ କଂଗ୍ରେସ-ଏନସିପି-ଶିବସେନାର ମହା ବିକାଶ ଅଘାଡି ମେଣ୍ଟର ସରକାର ଗଠନ ହୋଇଥିଲା ଓ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ ଉଦ୍ଧବ ଠାକରେ ।