ଗେରୁଆମୟ ହେଲା ଅଯୋଧ୍ୟା ! ଆଜି ସମ୍ମିଳନୀ, କାଲି ଧର୍ମ ସଂସଦ ।

118

କନକ ବ୍ୟୁରୋ : ପୁଣି ଅଯୋଧ୍ୟାରେ ତେଜିଲା ରାମ ମନ୍ଦିର ନିର୍ମାଣ ଦାବି । ଦଳବଳ ନେଇ ଆଜି ଅଯୋଧ୍ୟରେ ପହଂଚିଛନ୍ତି ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ । ଆଶୀର୍ବାଦ ସମ୍ମିଳନୀରେ ସାମିଲ ହେବା ସହ ସରଜୁ ନଦୀରେ ରାମ ମନ୍ଦିର ନିର୍ମାଣ କାମନା କରି ଆଳତି କରିଛନ୍ତି । ଏସବୁ ଭିତରେ ପୁଣି ଆସନ୍ତାକାଲି ଅଯୋଧ୍ୟାରେ ବସୁଛି ଧର୍ମ ସଂସଦ । ଯେଉଁଠି ଦୁଇ ଲକ୍ଷରୁ ଅଧିକ ସାଧୁସନ୍ଥ, ଆରଏସଏସ୍ ସମର୍ଥକ, ବିଶ୍ୱ ହିନ୍ଦୁପରିଷଦ କର୍ମୀ ଏବଂ ରାମ ମନ୍ଦିର ସମର୍ଥକ ଯୋଗ ଦେବାର ଆଶା କରାଯାଉଛି । ମାମଲା ଏବେ ସୁପ୍ରିମକୋର୍ଟରେ ଥିବା ବେଳେ ଏହା ପୂର୍ବରୁ ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଉପରେ ଚାପ ପକାଯାଉଛି ।

ଗେରୁଆମୟ ହେଲା ଅଯୋଧ୍ୟା । ଚାରିଆଡେ ଜୟ ଶ୍ରୀରାମ ନାରା । ଏବେ ନୁହେଁ ତ’ କେବେ ନୁହେଁ । ପ୍ରଥମେ ମନ୍ଦିର ପରେ ସରକାର । ଏଭଳି ଅନେକ ନାରା ଭିତରେ ଅଯୋଧ୍ୟରେ ପହଂଚିଛନ୍ତି ୪ହଜାରରୁ ଅଧିକ ଶିବସେନା କର୍ମୀ । ଉଦ୍ଦେଶ୍ୟ ଗୋଟିଏ, ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ।

ଆଜି ସମ୍ମିଳନୀ, କାଲି ଧର୍ମ ସଂସଦ । ତେଜିଲା ରାମ ମନ୍ଦିର ନିର୍ମାଣ ଦାବି । ଧର୍ମ ସଂସଦର ଠିକ୍ ଗୋଟିଏ ଦିନ ପୂର୍ବରୁ ଅଯୋଧ୍ୟରେ ଆୟୋଜିତ ଆଶୀର୍ବାଦ ସମ୍ମିଳନୀ ଏବଂ ଏଥିରେ ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଯୋଗଦାନ, ରାମ ମନ୍ଦିର ନିର୍ମାଣ ନେଇ ରାଜନୈତିକ ଶକ୍ତିଙ୍କ ବ୍ୟଗ୍ରତାକୁ ପ୍ରମାଣିତ କରିଦେଇଛି । ଏହାରି ଭିତରେ ଶିବସେନା ସାଂସଦ ସଂଜୟ ରାଉତ, ଦେଶକୁ ଦୋହଲାଇ ଦେଲା ଭଳି ଏକ ବୟାନ ରଖିଛନ୍ତି । ଏପଟେ ଉଦ୍ଧବ ଠାକରେ ବି ମନ୍ଦିର ନିର୍ମାଣ ପ୍ରସଙ୍ଗରେ ସିଧାସଳଖରେ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍ କରିଛନ୍ତି । ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଶିବ ସୈନିକଙ୍କ ଏହି ଶକ୍ତି ପ୍ରଦର୍ଶନକୁ ଦେଖିଲେ ଲାଗୁଛି, କ୍ଷମତା ରାଜନୀତିର ରାସ୍ତା ବୋଧେ ଅଯୋଧ୍ୟ ଦେଇ ଯାଇଥାଏ । ଯେଉଁଥି ପାଇଁ ହୁଏତ ଠିକ୍ ୨୦୧୯ ନିର୍ବାଚନ ପୂର୍ବରୁ ପୁଣି ତେଜିଛି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ।

ଆସନ୍ତାକାଲି ଅଯୋଧ୍ୟାରେ ଶିବ ସେନା, ବିଶ୍ୱ ହିନ୍ଦୁ ପରିଷଦ ଓ ଆରଏଏସର ଦୁଇ ଲକ୍ଷ ସଦସ୍ୟ ପହଁଚିବେ ବୋଲି କୁହାଯାଉଛି । ଧର୍ମ ସଂସଦ ତଥା ଧର୍ମସଭା ପୂର୍ବରୁ ଏତେ ବଡ ଜନସମାଗମକୁ ଦୃଷ୍ଟିରେ ରଖି ବିଏସଏଫ୍, ସିଆରପିଏଫ୍, ଆରପିଏଫ୍, ଏଟିଏସ୍ ସମେତ ୪ହଜାର ସ୍ଥାନୀୟ ପୁଲିସଙ୍କୁ ଅଯୋଧ୍ୟରେ ମୁତୟନ କରାଯାଇଛି । ରାମ ମନ୍ଦିର ନିର୍ମାଣ ନେଇ ଅଯୋଧ୍ୟରେ ଦେଖା ଦେଇଥିବା ଅସ୍ଥିରତା ସହରରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ଯେତିକି ବିବ୍ରତ କରିଛି, ତାଠୁ ଅଧିକ ପୁଣି ଥରେ ୧୯୯୨ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ବଢ଼ାଇ ଦେଇଛି । ଯାହାକୁ ନେଇ ଟାର୍ଗେଟ୍ କରିଛନ୍ତି ବିରୋଧୀ ।

୨୦୧୪ ନିର୍ବାଚନୀ ଇସ୍ତାହାରରେ ରାମ ମନ୍ଦିର ନିର୍ମାଣକୁ ପ୍ରାଥମିକତା ଦେଇଥିଲା ଭାରତୀୟ ଜନତା ପାର୍ଟି । ହେଲେ ଏଦିଗରେ ଗୋଟିଏ ପାଦ ବି ଆଗେଇ ପାରିନି ବିଜେପି । ଆଉ ଯେତେବେଳେ କେନ୍ଦ୍ର ସରକାରଙ୍କ ବିକାଶ ଏଜେଂଡାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି, ଠିକ୍ ସେତିକି ବେଳେ ପୁଣି ଜୋରଧରିଛି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ । ବାବ୍ରି ମସଜିଦ୍ ବିବାଦ ମାମଲା ଏବେ ସୁପ୍ରିମକୋର୍ଟରେ ଥିବା ବେଳେ ମାମଲାର ଶୁଣାଣିକୁ ଆସନ୍ତା ଜାନୁୟାରିକୁ ଘୁଂଚାଇ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆଉ ଏହାରି ଭିତରେ ବିଭିନ୍ନ ହିନ୍ଦୁ ସଂଗଠନ ଅଧ୍ୟାଦେଶ ଆଣିବାକୁ ସରକାରଙ୍କ ଉପରେ ଚାପ ପକାଉଛନ୍ତି ।