ମହାରାଷ୍ଟ୍ର ବିଧାନସଭାରେ ବହୁ ମତ ସାବ୍ୟସ୍ତ କଲେ ଉଦ୍ଧବ ଠାକରେ । ସହମତି ଜଣାଇଲେ ଜଣ ଜଣ କରି ସଦସ୍ୟ

ସରକାର ସପକ୍ଷରେ ପଡିଲା ୧୬୯ ଭୋଟ; ବିଜେପିର କକ୍ଷ ତ୍ୟାଗ

536

କନକ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭାରେ ବହୁ ମତ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ଉଦ୍ଧବ ଠାକରେ । ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଜଣ ଜଣ କରି ସହମତି ଜଣାଇଛନ୍ତି । ବହୁମତ ସଂଖ୍ୟା ୧୪୫ ପାର କରିଛି ଉଦ୍ଧବଙ୍କ ସରକାର । ସରକାରଙ୍କ ସପକ୍ଷରେ ପଡିଛି ୧୬୯ ଭୋଟ । ମହାରାଷ୍ଟ୍ର ବିକାଶ ଅଘାଡି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଅସ୍ଥାୟୀ ବାଚସ୍ପତି ଏହି ପୁରା ପ୍ରକିୟାର ଔପଚାରିକତା ପୁରଣ ପରେ ମତଦାନ ହୋଇଛି ।

ସେପଟେ ଉଦ୍ଧବଙ୍କ ବହୁମତ ସାବ୍ୟସ୍ତ ବେଳେ ବିଜେପି କକ୍ଷ ତ୍ୟାଗ କରିଛି । ଏହି ପ୍ରକିୟା ଅସାମ୍ବିଧାନିକ । ଏହି ଅନିୟମିତତା ନେଇ ରାଜ୍ୟପାଳଙ୍କୁ ଜଣାଇବୁ ବୋଲି ଦେବେନ୍ଦ୍ର ଫଡନବୀସ କହିଛନ୍ତି ।ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଅଭିଯୋଗ କରିଛନ୍ତି ଯେ ବିଧାନସଭାରେ ସରକାର ପ୍ରଚଳିତ ଆଇନର ଉଲ୍ଲଙ୍ଘନ କରିଛନ୍ତି । ସେ କହିଛନ୍ତି ୨ ଜଣ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଅବୈଧ । ଅନ୍ୟପକ୍ଷରେ ଅସ୍ଥାୟୀ ବାଚସ୍ପତି ( ପ୍ରୋ ଟମ ସ୍ପିକର) ସାଧାରଣତଃ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରିବା ପରେ ନୂଆ ବାଚସ୍ପତି ନିର୍ବାଚନ ହୁଏ । ନୂଆ ବାଚସ୍ପତି ହିଁ ଆସ୍ଥା ଭୋଟ କରାଇବା ନିୟମ ରହିଛି । ଏଣୁ ଜଣେ ପ୍ରୋ ଟମ ସ୍ପିକର ଆଜିର ଆସ୍ଥା ଭୋଟ ପରିଚାଳନା କରିବା ଅଣସମ୍ବିଧାନିକ । ଏଣୁ ଏହି ବିଧାନସଭା ଅଧିବେଶନ ବୈଧ ନୁହେଁ । ଏହା ବିରୁଦ୍ଧରେ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବ ବୋଲି ବିଜେପି ଘୋଷଣା କରିଛି ।