ଠାକ୍‌ରେ ପରିବାରରୁ ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ । କେବେ ବି ନିର୍ବାଚନ ଲଢ଼ିନାହାନ୍ତି ।

316

କନକ ବ୍ୟୁରୋ : ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରରେ ସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରର ନେତୃତ୍ୱ ନେବେ । ୧୯୬୬ରେ ଉଦ୍ଧବଙ୍କ ବାପା ବାଲାସାହେବ ଠାକ୍‌ରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଆଞ୍ଚଳିକ ଦଳ ପ୍ରଥମ ଥର ପାଇଁ କଂଗ୍ରେସ ଏବଂ ଏନ୍‌ସିପି ସହ ହାତ ମିଳାଇଛି । ତେବେ ଠାକ୍‌ରେ ପରିବାରରୁ ଉଦ୍ଧବ ଠାକ୍‌ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଉଦ୍ଧବ କେବେ ବି ନିର୍ବାଚନ ଲଢ଼ିନାହାନ୍ତି ଏବଂ ରାଜ୍ୟ ବିଧାନସଭାରେ ସେ ସଦସ୍ୟ ନାହାନ୍ତି ।

ଜୁଲାଇ ୨୭, ୧୯୬୦ରେ ଜନ୍ମିତ ଉଦ୍ଧବ ୨୦୧୨ରେ ବାଲାସାହେବଙ୍କ ଦେହାନ୍ତ ହୋଇଯିବା ପରେ ଦଳର ଦାୟିତ୍ୱ ନେଇଥିଲେ । ଉଦ୍ଧବ ଖୋଲାଖୋଲି ଭାବେ ନାରାୟଣ ରାଣେଙ୍କ କାର୍ଯ୍ୟ ଶୈଳୀକୁ ସମାଲୋଚନା କରୁଥିଲେ । ୧୯୯୯ରେ ନାରାୟଣ ରାଣେ ମହାରାଷ୍ଟ୍ରରେ ସେନା ମୁଖ୍ୟମନ୍ତ୍ରୀ ଥିଲେ । ଉଦ୍ଧବଙ୍କ ବିରୋଧ ଯୋଗୁଁ ରାଣେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ୨୦୦୩ରେ ପ୍ରଥମେ ଉଦ୍ଧବ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ ।