ମହାରାଷ୍ଟ୍ରରେ ବେଲଗାମ ହେଲାଣି କରୋନା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ନାହିଁ ଅନ୍ୟ ବିକଳ୍ପ । ଲକଡ଼ାଉନ୍ ରଣନୀତି ସ୍ଥିର କରିବା ପାଇଁ ଦେଲେ ନିର୍ଦ୍ଦେଶ ।

284

କନକ ବ୍ୟୁରୋ: ସାରାଦେଶରେ ଗୋଟିଏ ଦିନରେ ୬୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, କେବଳ ମହାରାଷ୍ଟ୍ରରୁ ୪୦ ହଜାର ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ଦିନରୁ ଲଗାତାର ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ରାଜ୍ୟ ହୋଇ ରହିଆସିଛି । ଯାହା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିନ୍ତା ବଢାଇ ଦେଇଛି । ସରକାରଙ୍କ ବାରମ୍ବାର ତାଗିଦ ସତ୍ୱେ ଲୋକେ କରୋନା କଟକଣା ମାନୁନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଉ ଅନ୍ୟ ବିକଳ୍ପ ନାହିଁ । ତେଣୁ ସେ ରାଜ୍ୟରେ ଲକଡାଉନ ପାଇଁ ରଣନୀତି ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସରକାର ସୁଧାରିବା ପାଇଁ ପ୍ରୟାସ ଜାରି ରଖିଥିବାବେଳେ ପୁଣି ଏକ ଲକଡାଉନକୁ ଶେଷ ବିକଳ୍ପ ବୋଲି କହୁଛନ୍ତି । ହେଲେ ହସ୍ପିଟାଲ ଗୁଡିକରେ ଯେଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି, ଏହାକୁ ଦେଖି ସଂକ୍ରମଣକୁ ରୋକିବା ଜରୁରୀ ହୋଇପଡିଛି । ଆଉ ଏଥିପାଇଁ ସରକାର ସାରାରାଜ୍ୟରେ ଲକଡାଉନ ଘୋଷଣା କରି ଟେଷ୍ଟିଂ ଓ ଟ୍ରିଟମେଂଟକୁ ଗୁରୁତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଅବ୍ୟାହତ ରଖି କିଭଳି ଲଡକାଉନ କରାଯାଇ ପାରିବ ସେନେଇ ଏକ ରଣନୀତି ବନାଇବାକୁ ମୁଖ୍ୟ ଶାସନ ସଚିବ ସୀତାରାମ କୁନ୍ତେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଅନ୍ୟପଟେ ଦେଶରେ ହୁ ହୁ ବଢ଼ିଚାଲିଛି କରୋନା ସଂକମ୍ରଣ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୬୮ ହଜାର ୨୦ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହି ୨୪ ଘଂଟାରେ ୨୯୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୩୨ ହଜାର ୨୩୧ ଜଣ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ୧ କୋଟି ୨୦ଲକ୍ଷ ୩୯ ହଜାର ୬୪୪ରେ ପହଂଚିଛି ସଂକ୍ରମଣ ସଂଖ୍ୟା ।