ମହାରାଷ୍ଟ୍ରରେ ମେଣ୍ଟ ସରକାର । ମଙ୍ଗ ଧରିବେ ଶିବସେନା ମୁଖ୍ୟ, ତିନି ଦଳର ନିଷ୍ପତି ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ।

534

କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ୧ ତାରିଖରେ ମହାରାଷ୍ଟ୍ରରେ ମହାମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ ହେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏନେଇ ତିନି ଦଳର ମେଣ୍ଟ ସରକାର ନେତା ନିର୍ବାଚିତ ହୋଇଛନ୍ତି ଉଦ୍ଧବ ଠାକରେ । ଆଉ ଏହି ମହାମେଣ୍ଟ ସରକାର ନାଁ ‘ମହା ବିକାଶ ଅଘାଡ଼ି’ ବା (ଏମଭିଏ) ବୋଲି ରଖିବାକୁ ମେଣ୍ଟ ଦଳର ବୈଠକରେ ନିଷ୍ପତି ହୋଇଛି । ତେବେ ଡିସେମ୍ବର ବ ତାରିଖରେ ମୁମ୍ବାଇର ଶିବାଜୀ ପାର୍କରେ ଶପଥ ସମାରୋହ ଆୟୋଜନ କରାଯିବ ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

ମହାରାଷ୍ଟ୍ରରେ ରାଜନୀତିର ମହାନାଟକରେ ମଙ୍ଗଳବାର ଯେମିତି ପଟ୍ଟ ପରିବର୍ତ୍ତନ ହୋଇଛି । ସକାଳ ୧୦ଟା ୩୦ରେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଅବଧି ଆରମ୍ଭ ହେବା ପର ଠାରୁ ବିଜେପି ସହ ଶିବସେନା, କଂଗ୍ରେସ ଓ ଏନସିପି ଶିବିରରେ ବଡ ଧରଣର ହଲଚଲ ଆରମ୍ଭ ହାଇଯାଇଥିଲା । ଶେଷରେ ବିଜେପି କ୍ଷମତା ଛାଡିଛି ଓ ଶିବସେନା-ଏନସିପି-କଂଗ୍ରେସ ପାଇଁ ସରକାର ଗଠନର ବାଟ ପୂରା ପରିସ୍କାର ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବିସ । ରାଜଭବନରେ ପହଁଚି ଯେତେବେଳେ ଫଡନବିସ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରୁଥିଲେ ବୋଧହୁଏ ମାହାରାଷ୍ଟ୍ର ରାଜନୀତିର ସବୁଠାରୁ ରୋଚକ ଚିତ୍ର ସାମ୍ନାକୁ ଆସିଥିଲା । ଶନିବାର ସକାଳୁ ସକାଳୁ ରାଜଭବନରେ ହଠାତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବା ଫଡନବସିସ ମାତ୍ର ୭୨ଘଂଟା ଭିତରେ ପଦ ହରାଇଛନ୍ତି ।

ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ସକାଳୁ ହିଁ ବଡଧରଣଣ ହଲଚଲ ଆରମ୍ଭ ହୋଇଯାଇଥିଲା । ସୁପ୍ରିମକୋର୍ଟ ବୁଧବାର ସଂଧ୍ୟା ସୁଦ୍ଧା ବହୁମତ ସାବ୍ୟସ୍ତ କରିବା ପାଇଁ ବିଜେପି ସରକାରକୁ ନିର୍ଦ୍ଦେଶ ଦେଇଥିଲେ । ଓପନ ବାଲେଟ ଜରିଆରେ ବହୁମତ ସାବ୍ୟସ୍ତ କରିବାକୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ଆରମ୍ଭ ହୋଇଯାଇଥିଲା ରାଜନୀତିରେ ପଟ୍ଟ ପରିବର୍ତ୍ତନର ପର୍ବ । ପ୍ରଥମେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଓ ସଂଧ୍ୟା ସୁଦ୍ଧା ପଦ ଛାଡିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ।

କଂଗ୍ରେସ-ଏନସିପି ଓ ଶିବସେନା ମେଂଟର ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଏଜେଣ୍ଡାରେ ମୋହର ମାରିଛନ୍ତି କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେପଟେ ଉଦ୍ଧବଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବି ଚୁଡାନ୍ତ ସହମତି ହୋଇଛି । ହେଲେ ଦିନ ତମାମ ସରକାର ଗଠନକୁ ନେଇ ଶିବସେନା ଏନସିପି କଂଗ୍ରେସ ଯେତିକି କସରତ କରିଛନ୍ତି । ନିଜ ଭାବମୂର୍ତ୍ତିକୁ ବଂଚାଇବାକୁ ବିଜେପି ଭାବ ବିହ୍ୱଳ ବୟାନ ଦେଉଥିବା ବି ଦେଖିବାକୁ ମିଳିଛି । ଏହାରି ଭିତରେ ବିଜେପି ବିଧାୟକ କାଳିଦାଶ କୋଲମ୍ବକର ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । ଯିଏ କି ବିଧାୟକଙ୍କ ଶପଥ ପାଠ କରାଇବା ସହ ବହୁମତ ସାବ୍ୟସ୍ତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବେ ।