କନକ ବ୍ୟୁରୋ : ସନାତନ ଧର୍ମକୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ବିବାଦ ଥମିନାହିଁ । ସାରା ଦେଶରେ ପ୍ରତିବାଦ ଓ ବିରୋଧ ବଢିଛି । ଏହି ସମୟରେ ଜାତିକୁ ନେଇ ପୁଣି ବିବାଦୀୟ ବୟାନ ରଖି ନିଆଁରେ ଘିଅ ଢାଳିଛନ୍ତି ଉଦୟନିଧି । ଉଦୟନିଧି କହିଛନ୍ତି. ନୂଆ ସଂସଦ ଭବନ ଉଦଘାଟନ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାନଯିବା ଜାତିବାଦର ତାଜା ଉଦାହରଣ । ଜାତିବାଦକୁ ନେଇ ରହିଥିବା ଭେଦଭାବର ଉଦାହରଣ ଭାବେ ଏହି ଘଟଣାକୁ ଉପସ୍ଥାପନ କରିବା ସହ ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟଙ୍କ କାହାଣୀ କହିଛନ୍ତି ଜୁନିୟର ଷ୍ଟାଲିନ । ଛୋଟ ଜାତିର ହୋଇଥିବା ଯୋଗୁଁ ଏକଲବ୍ୟଙ୍କୂୁ ଧନୁର୍ବିଦ୍ୟା ଶିକ୍ଷା ଦେବାକୁ ମନା କରିଦେଇଥିଲେ ଦ୍ରୋଣ । ନିଜ ସମାର୍ଥ୍ୟ ବଳରେ ଏକଲବ୍ୟ ନିପୁଣ ହେବା ପରେ ତାଙ୍କଠାରୁ ଆଙ୍ଗୁଠିକୁ ଦକ୍ଷିଣା ଭାବେ ମାଗିଥିଲେ ।

Advertisment

ଉଦୟନିଧିଙ୍କ ସନାତନ ଧର୍ମ ବୟାନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜନୀତି ବି ତେଜିଛି । ଏନଡିଏ ଓ ଇଣ୍ଡିଆ ମେଂଟ ମୁହାଁମୁହିଁ ହୋଇଛନ୍ତି । ଏଭଳି ସ୍ଥଳେ ଜାତିକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପୁଅଙ୍କ ବିବାଦୀୟ ବୟାନ ଆଗକୁ ଏକ ବଡ ପ୍ରସଙ୍ଗ ହେବାକୁ ଯାଉଛି ।

ପ୍ରଥମେ ଧର୍ମ ଓ ପରେ ଜାତିକୁ ନେଇ ତାମିଲନାଡୁ ମନ୍ତ୍ରୀଙ୍କ ବୟାକୁ ନେଇ ଦେଶ ଉଠୁଛି ପଡୁଛି । ଆଉ ଏହି ସମୟରେ କେନ୍ଦ୍ର କ୍ୟାବିନେଟ ବୈଠକରେ କଡା ଆଭିମୁଖ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମିଳିଥିବା ଖବର ଅନୁସାରେ ମୋଦି କହିଛନ୍ତି, ଉଦୟନିଧିଙ୍କ ମନ୍ତବ୍ୟର କଡା ଜବାବ ଦିଆଯିବା ଉଚିତ । ମନ୍ତ୍ରୀମାନେ ଏ ନେଇ ଭାବିଚିନ୍ତି ବୟାନ ଦିଅନ୍ତୁ ।’

ମନ୍ତ୍ରୀ ପଦରେ ରହି ଉଦୟନିଧି ଷ୍ଟାଲିନଙ୍କ ଧର୍ମ ଓ ଜାତି ଉପରେ ବୟାନ ଇଣ୍ଡିଆ ମେଂଟକୁ ଟାର୍ଗେଟ କରିବାକୁ ବିଜେପିକୁ ଏ ନୂଆ ପ୍ରସଙ୍ଗ ଦେଇଛି । ଏ ନେଇ ଆଗକୁ ରାଜନୀତି ବଢିବ ସିନା କମିବ ନାହିଁ ବୋଲି ଅନୁମାନ କରାଯାଉଛିା