ବୁଢି ମାଆ ଓ ସ୍ତ୍ରୀକୁ କଥା ଦେଇ ଦାଦନ ଖଟିବାକୁ ଯାଇଥିଲେ ସ୍ୱାମୀ । ଘରକୁ ଆସିବା ଆଗରୁ କର୍ମକ୍ଷେତ୍ରରେ ଚାଲିଗଲା ଜୀବନ

162

କନକ ବ୍ୟୁରୋ : ପିଲାଛୁଆଙ୍କ ଭୋକ ମେଂଟାଇବା ପାଇଁ ଦାଦନ ଖଟିବାକୁ ଯାଇଥିବା ମଣିଷଟା ଯେତେବେଳେ ଶବ ହୋଇ ଫେରେ ସେତେବେଳେ ସବୁ ସ୍ୱପ୍ନ ଭାଙ୍ଗି ଯାଏ । ଅଭାବ-ଅନଟନକୁ ନେଇ ବଂଚୁଥିବା ପରିବାରଟି ଜିଇଁ ଥାଉ ଥାଉ ସତେ ଯେମିତି ମରି ଯାଏ । ପୁଅର ଫଟୋକୁ ଧରି ବୁଢି ମାଆ ବସିଛି । ଭାବୁଛି ପୁନେରୁ ତା’ ପୁଅ ଆସିବ, ପରିଣତ ବୟସରେ ତା’ କଥା ବୁଝିବ । ହେଲେ ଆଉ କେବେ ବି ତାହା ସମ୍ଭବ ନୁହେଁ । କାରଣ ଦାଦନ ଖଟିବାକୁ ଯାଇଥିବା ପୁଅ ଅକାଳରେ ଝଡି ପଡିବା ପରେ ପୁରୁଷଶୂନ୍ୟ ହୋଇଯାଇଛି ପରିବାର । ଆମେ କହୁଛୁ ମୟୂରଭଂଜ ଜିଲ୍ଲା ଖୁଂଟା ବ୍ଲକ ଅଧିନ ନଛିପୁର ଗାଁର ମୃତ ଦାଦନ ଶ୍ରମିକ ସୁକୁଲ ହେମ୍ବ୍ରମଙ୍କ ପରିବାର କଥା ।

ସୁକୁଲ ପୁନେରେ ଦାଦନ ଖଟୁଥିବା ବେଳେ ଅସୁସ୍ଥତା କାରଣରୁ ଦୀପାବଳି ପୂର୍ବ ଦିନ ତାଙ୍କର ଦେହାନ୍ତ ହୋଇଛି । ସ୍ୱାମୀ ଆରପାରିକୁ ଚାଲି ଯାଇଥିବା ବେଳେ ସ୍ତ୍ରୀ ୬ ମାସର ଗର୍ଭବତୀ ଅଛନ୍ତି । ୭ ବର୍ଷର ନାତୀ, ଗର୍ଭବତୀ ବୋହୂଙ୍କ ପ୍ରତିପୋଷଣ କେମିତି କରିବେ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ମୃତ ଦାଦନ ଶ୍ରମିକଙ୍କ ମାଆ । ସେପଟେ ହଠାତ୍ ସୁଖ ସଂସାରରେ ଧସେଇ ପଶିଥିବା ଦୁଃଖର ପାହାଡକୁ କେମିତି ସାମ୍ନା କରିବେ କିଛି ବୁଝି ପାରୁନାହାନ୍ତି ସ୍ତ୍ରୀ ।

ଦାଦନ ଦେଇଥିବା ଅକୁହା ଯନ୍ତ୍ରଣାକୁ ବୟାନ କରିବା ଯେତିକି କଷ୍ଟ ତାକୁ ଅଙ୍ଗେ ଲିଭାଇବା ତାଠାରୁ ଅଧିକ ବେଦନାଦାୟକ ଓ ଦରଦଭରା ।