ମୌଳିକ ସମସ୍ୟା ଲୁଚାଇବାକୁ ଦେଶରେ ଚାଲିଛି କି ଧାର୍ମିକ ଉନ୍ମାଦନା, ଦର୍ଜୀ ଦୋକାନକୁ ମାପ ଦେବାକୁ ଆସି କହ୍ନେୟାକୁ ଏମିତି କରିଦେଲେ ହତ୍ୟା

113

କନକ ବ୍ୟୁରୋ : ଦେଶରେ ଧାର୍ମିକ ଉନ୍ମାଦନା ଏବେ ଚରମ ସୀମାରେ ପହଞ୍ଚିଛି । ବେରୋଜଗାର, ଖାଦ୍ୟ ସଂକଟ, ମହଙ୍ଗାମାଡ, ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଳି ସମସ୍ୟା ଆଗରେ ପରଦା ଟାଙ୍ଗି ଦେଶବାସୀଙ୍କୁ ଧର୍ମ ନାମରେ ଜାତି ନାମରେ କିଏ ଲଢଉଛି ? ଯାହାର ପରିଣାମ କହ୍ନେୟାଲାଲଙ୍କ ଭଳି ଜଣେ ସାଧାରଣ ଦର୍ଜୀର ଜୀବନ ଯାଉଛି ।

ସୂଚନା ମୁତାବକ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଗତକାଲି ରାଜସ୍ଥାନର ଉଦୟପୁରରେ କହ୍ନ୍ରେୟାଲାଲ ନାମକ ଜଣେ ଦର୍ଜୀଙ୍କୁ କିଛି ଅସାମାଜିକ ବ୍ୟକ୍ତି ହତ୍ୟା କରିଛନ୍ତି । କୁହାଯାଉଛି କି କହ୍ନେୟାଲାଲ ବିଜେପିରୁ ନିଲମ୍ବିତ ପ୍ରବକ୍ତା ନୁପୂର ଶର୍ମାଙ୍କ ସପକ୍ଷରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟକୁ ନେଇ କିଛି ମୁସଲିମ ଯୁବକ ତାଙ୍କୁ ହତ୍ୟା ଧମକ ଦେଇଥିଲେ । ଏଭଳି ହତ୍ୟା ଧମକ ପାଇବା ପରେ କହ୍ନେୟା ସ୍ଥାନୀୟ ପୋଲିସରେ ଅଭିଯୋଗ କରି ସୁରକ୍ଷା ମାଗିଥିଲେ । ହେଲେ ପୋଲିସ ଏହାକୁ ନଜର ଅନ୍ଦାଜ କରିଦେଇଥିଲା । ଯାହାର ଫଳ ସ୍ୱରୂପ ଗତକାଲି ଧମକ ଦେଇଥିବା ଯୁବକ କହ୍ନେୟାଙ୍କ ଦର୍ଜୀ ଦୋକାନକୁ ଆସି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।

କୁହାଯାଉଛି କି, ପ୍ରଥମେ ସଂପୃକ୍ତ ମୁସଲିମ ଯୁବକ ଦୁଇଜଣ କହ୍ନେୟାଙ୍କ ଦୋକାନକୁ ମାପ ଦେବା ବାହାନାରେ ପଶିଥିଲେ । ଏହାପରେ ସେମାନେ କହ୍ନେୟାଙ୍କୁ କପଡା ସିଲେଇ କରିବାକୁ କହି ସେମାନଙ୍କର ମାପ ଦେଇଥିଲେ । ଏହି ସୁଯୋଗରେ ଦୁକାନରେ କହ୍ନ୍ରେୟା ଏକା ଥିବା ସୁଯୋଗ ନେଇ ତାଙ୍କୁ ଖଣ୍ଡାରେ ହାଣି ଅତି ବିଭିତ୍ସ ଭାବେ ହତ୍ୟା କରିଥିଲେ ।

ସବୁଠାରୁ ବଡକଥା କି ଦେଶର ଯୁବକମାନଙ୍କୁ ଧର୍ମନାମରେ ଏତେ ଉଗ୍ର କରିଦିଆଯାଇଛି ଯେ, ଏହି ହତ୍ୟାକାଣ୍ଡ ପୂର୍ବରୁ ଅପରାଧୀ ଦୁଇଜଣ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଓ ହତ୍ୟାକାଣ୍ଡ ପରେ ଦୋକାନ ଭିତରେ ବିଜୟ ଉତ୍ସବ ମନାଇ ତାର ଏକ ଭିଡିଓ ବି ପୋଷ୍ଟ କରିଛନ୍ତି ।