କିମିଆ କରିଛି କଏଦୀଙ୍କ କଳା : ୨ ବର୍ଷ ଭିତରେ ଜେଲକୁ ପାର୍କର ରୂପ ଦେଲେ କଏଦୀ … ସାଧୁରାମଙ୍କ କଳାକୁ ସାଧୁବାଦ ଦେଲେ ଜେଲ୍ ପ୍ରଶାସନ

245

ରଙ୍ଗତୁଳୀର ସ୍ପର୍ଶରେ ଜେଲ ପରିସରକୁ ବଦଳାଇଛନ୍ତି ଜଣେ କଏଦୀ । ଡ଼୍ରଗ୍ସ କାରବାର ମାମଲାରେ ଉଦୟପୁର ସେଣ୍ଟ୍ରାଲ୍ ଜେଲରେ ବନ୍ଦୀ ଥିବା କଏଦୀ ନମ୍ବର ୨୫୯ କୁ ନୂତନ ପରିଚୟ ଦେଇଛନ୍ତି ଜେଲ୍ ପ୍ରଶାସନ । ଏନଡ଼ିପିଏସ୍ ମାମଲାରେ ୧୨ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବା କଏଦୀ ସାଧୁରାମଙ୍କ ପ୍ରତିଭାକୁ ମିଳୁଛି ସାଧୁବାଦ । କଏଦୀ ସାଧୁରାମଙ୍କ ଚିତ୍ର ଅଙ୍କନରେ ରୁଚି ରହିଥିବା ଜାଣି ଜେଲ୍ ପ୍ରଶାସନ ତାଙ୍କ ହାତରେ ରଙ୍ଗତୁଳୀ ଧରାଇ ଦେଇଥିଲେ । ଆଉ ଏହାର ୨ ବର୍ଷ ପରେ ଜେଲର ମଳିନ ଚେହେରାକୁ ଆକର୍ଷଣୀୟ କରିଛନ୍ତି ସାଧୁରାମ । ଶହ ଶହ ସଂଖ୍ୟାରେ କାନ୍ଥରେ ଚିତ୍ର ଆଙ୍କି ସେ ଜେଲକୁ ପାର୍କର ରୂପ ଦେଇଛନ୍ତି ।

ଖାଲି ଏତିକି ନୁହଁ ସେ ନିଜ ପ୍ରତିଭାରେ ଅନ୍ୟ କଏଦୀଙ୍କୁ ମଧ୍ୟ ପ୍ରଭାବିତ କରିଛନ୍ତି । ସାଧୁରାମଙ୍କୁ ଅନୁକରଣ କରି ଅନେକ କଏଦୀ ତାଙ୍କୁ ଏଥିରେ ସାହାଯ୍ୟ କରିବା ସହ ନିଜ ପାଇଁ ମଧ୍ୟ ନୂତନ ପେସା ବାଛି ସାରିଛନ୍ତି । ୨ ବର୍ଷ ଭିତରେ ପାଖାପାଖି ୧୫ ଜଣ କଏଦୀ ଜେଲ୍ କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବା କଳାକୁ ଶିଖି ଯାଇଛନ୍ତି । ପେଟଚାଖଣ୍ଡକ ପାଇଁ ଚୋରୀ, ଡ଼କାୟତି ରାସ୍ତାକୁ ଛାଡ଼ି ଏବେ ରଙ୍ଗତୁଳୀର ରାସ୍ତାକୁ ଆପଣାଇବାକୁ ଚାହାଁନ୍ତି ଏହି କଏଦୀ ।

ଜେଲ୍ ପରିସରରେ ବିଭିନ୍ନ କିସମର ଆଧ୍ୟାତ୍ମିକ , ଐତିହାସିକ , ବନ୍ୟପ୍ରାଣୀ ତଥା ମନୋରଞ୍ଜନ କରାଉଥିବା ଚିତ୍ର ଆଙ୍କିଛନ୍ତି ସାଧୁରାମ । ଯେଉଁଥିରେ ପାଖାପାଖି ସାଢେ ୭ ଲକ୍ଷ ଟଙ୍କାର ଖର୍ଚ୍ଚ ହୋଇଛି । ତେବେ ସନ୍ତୋଷଜନକ କଥା ହେଉଛି ସାଧୁରାମ୍ ଜେଲରୁ ମୁକୁଳିବା ପରେ ଏହି କାମକୁ ପେସା କରିବାକୁ ଚାହୁଁଛନ୍ତି ଏବଂ ଖରାପ ରାସ୍ତାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି ।