ୟୁପିରେ ‘ଆପ୍’ ସରକାର ହେଲେ ମାଗଣା ବିଜୁଳି : ମନୀଷ ସିସୋଦିଆ

109

କନକ ବ୍ୟୁରୋ : ଦିଲ୍ଲୀ ଦଖଲ ଓ ପଞ୍ଜାବରେ ସାମ୍ଭାବ୍ୟ ସରକାର ଗଠନ କରିବା ଭଳି ସ୍ଥିତିକୁ ଆସିବା ପରେ ଏବେ ଉତ୍ତରପ୍ରଦେଶରେ ମାଗଣା ବିଜୁଳି କାର୍ଡ ଖେଳିବାକୁ ପ୍ରୟାସ ଆରମ୍ଭ କରିଛି । ଏହି କ୍ରମରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଉତ୍ତରପ୍ରଦେଶରେ ଏକ ବଡ ଘୋଷଣା କରିଛନ୍ତି । ଲକ୍ଷ୍ନୌ ଠାରେ ସିସୋଦିଆ ଘୋଷଣା କରିଛନ୍ତି କି ଯଦି ୨୦୨୨ ରେ ୟୁପିରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରେ ତେବେ ୨୪ ଘଂଟା ମଧ୍ୟରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯିବ ।

ଏହାସହ ୟୁପିର ଯୋଗୀ ସରକାରଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ ଯୋଗୀ ସରକାର ଅମଳରେ ରାଜ୍ୟବାସୀ ମହଙ୍ଗା ବିଜୁଳି ପୈଠ କରି ଅତିଷ୍ଟ ହେଲେଣି । ସିସୋଦିଆ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ ଆପଣମାନେ ନିଜେ ଏହି ଅସୁବିଧାକୁ ଦୂର କରିପାରିବେ । ଆପଣମାନେ ଚାହିଁଲେ ୟୁପିରେ ଆପ୍ ସରକାର ଗଠନ କରିବ ଓ ଦିଲ୍ଲୀ ଭଳି ୟୁପିରେ ବି ଘରୋଇ ଉପଭୋକ୍ତାମାନଙ୍କୁ ମାଗଣା ବିଜୁଳି ଯୋଗାଇ ଦେବା ସହ ଆପଣଙ୍କ ପିଲାମାନଙ୍କୁ ବିଶ୍ୱ ସ୍ତରୀୟ ସରକାରୀ ସ୍କୁଲରେ ପାଠ ପଢିବାର ସୁଯୋଗ ମିଳିବ ।

ସିସୋଦିଆ ଚାଷୀଙ୍କୁ ଆକୃଷ୍ଟ କରିବାକୁ କହିଥିଲେ କି ଯଦି ୟୁପିର ଭୋଟର ଆପ୍ କୁ ସରକାର କରିବାର ସୁଯୋଗ ଦେବେ ତେବେ ରାଜ୍ୟର ସମସ୍ତ ଚାଷୀଙ୍କୁ କୃଷିକ୍ଷେତ୍ରରେ ବ୍ୟବହାର ପାଇଁ ଅସିମୀତ ବିଜୁଳି ମାଗଣାରେ ଯୋଗାଇ ଦେବ । ସେ କହିଥିଲେ କି ଏଠାରେ ମାସକୁ ୫-୧୦ ହଜାର ରୋଜଗାର କରୁଥିବା ଲୋକଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ବିଜୁଳି ଦେୟ ପୈଠ କରିବାକୁ ପଡୁଛି । ଏମିତି ବି ବିଜୁଳି ଦେୟ ବୋଝରେ ୟୁପିର ଲୋକେ ଆତ୍ମହତ୍ୟା କରୁଛନ୍ତି ବୋଲି ସେ କହିଥିଲେ ।