କନକ ବ୍ୟୁରୋ : ଏକ ସାଧାରଣ ପରିବାରରୁ ଆସି ସୁନିଷ୍ଠା ଆଜି ଉପ ଜିଲ୍ଲାପାଳ ହେବାକୁ ଯାଉଛନ୍ତି । ସୁନିଷ୍ଠାଙ୍କ ବାପା ଜଣେ ସାଧାରଣ ମେଡିକାଲ ଷ୍ଟୋର ଚଳାଉଥିବା ବ୍ୟକ୍ତି । ହେଲେ ନିଜ ପରିଶ୍ରମ ବଳରେ ସୁନିଷ୍ଠା ରାଜ୍ୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ନିଜ ଅଂଚଳ ତଥା ପରିବାର ପାଇଁ ଗୌରବ ଆଣିଛନ୍ତି । ଉତ୍ତରପ୍ରଦେଶ କେଶରଗଂଜ ଥାନା ଅନ୍ତର୍ଗତ ଗୁଥିୟା ଗ୍ରାମରେ ରହୁଥିବା କୁଁଅରେ ବିଜୟନ୍ତ ସିଂଙ୍କ ଘରକୁ ଏବେ ଶୁଭେଚ୍ଛାରେ ସୁଅ ଛୁଟୁଛି । ଝିଅର ସଫଳତାରେ ପୁôରା ପରିବାରରେ ଆନନ୍ଦର ଲହରି ଖେଳି ଯାଇଛି ।

ଏହି ଔଷଧ ବ୍ୟବସାୟରୁ ଯାହା ଆୟ ହୁଏ ସେଥିରେ ତିନି ପୁଅ ଝିଅ ଓ ବାପା ମା’ ଚଳିଯାନ୍ତି । ତିିନି ଝିଅ ଭିତରେ ବଡ ଝିଅ ସୌମ୍ୟା ଶିକ୍ଷକତା କରୁଥିବା ବେଳେ ସାନ ପୁଅର ପଢା ସରିନାହିିଁ । ଇତି ମଧ୍ୟରେ ସର୍ବ କନିଷ୍ଠ ଝିଅ ସୁନିଷ୍ଠାଙ୍କ ସଫଳତା ପରିବାର ପାଇଁ ବଡ ଖୁସି ଆଣି ଦେଇଛି । ପରିସ୍ଥିତି ଯାହା ବି ହେଉ ବିଜୟନ୍ତ ପିଲା ମାନଙ୍କ ପଢାରେ କେବେ କିଛି ହେଳା କରି ନାହାନ୍ତି । କାରଣ ସେ ଶିକ୍ଷାର ମହତ୍ୱ ବୁଝନ୍ତି । ପରିବାରର ସହଯୋଗ ତଥା କଠିନ ପରିଶ୍ରମ ପାଇଁ ଆଜି ସୁନିଷ୍ଠା ଏହି ସଫଳତା ପାଇ ପାରିଛନ୍ତି ବୋଲି କୁହନ୍ତି ।

ସୁନିଷ୍ଠାଙ୍କ ଶିକ୍ଷା ଉଭୟ ସ୍କୁଲ ଓ ପ୍ରାରମ୍ଭିକ କଲେଜ ସ୍ତରରେ ହିନ୍ଦି ଭାଷାରେ ହୋଇଥିବା ବେଳେ ଲକ୍ଷ୍ନୌ କ୍ରିଷ୍ଟିୟାନ କଲେଜରେ ସେ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି । ଆରମ୍ଭରୁ ମେଧାବୀ ଛାତ୍ରୀ ଭାବେ ଜଣାଶୁଣା ସୁନିଷ୍ଠା ସାନ ବେଳୁ ହିଁ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ ରଖିଥିଲେ । ଏବେ ନିଜ ପ୍ରଚେଷ୍ଟା ମାଧ୍ୟମରେ ସେ ନିଜ ସ୍ୱପ୍ନ ପୁରଣ କରିବା ସହ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି । ଉତ୍ତର ପ୍ରଦେଶ ପିସିଏସ୍ ପରୀକ୍ଷାରେ ସୁନିଷ୍ଠା ୧୬ ତମ ରାଙ୍କ ହାସଲ କରି ଉପ ଜିଲ୍ଲାପାଳ ହେବାକୁ ଯାଉଛନ୍ତି ।