ପ୍ରଥମ ପର୍ଯ୍ୟାୟ ଭୋଟ ଭିତରେ ମୌଲାନା ମଦାନୀଙ୍କ ବୟାନ । କହିଲେ ମୁସଲମାନଙ୍କ ଉପରେ ଲଦି ଦିଆଯାଉଛି ୟୁନିଫର୍ମ ସିଭିଲ କୋର୍ଡ

197

କନକ ବ୍ୟୁରୋ : ଜମିୟତ ଓଲେମା ହିନ୍ଦର ଅଧ୍ୟକ୍ଷ ମୌଲାନା ଅରଶଦ ମଦାନୀ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ମଧ୍ୟରେ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଆଜି ମୁସଲମାନଙ୍କ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଯାଉଛି ଓ ଏହାସହ ଆମ ଉପରେ ଜୋର ଜବରଦସ୍ତ ୟୁନିଫର୍ମ ସିଭିଲ କୋର୍ଡ ଆଇନ ଲଦି ଦିଆଯାଉଛି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମଦାନୀ କହିଛନ୍ତି କି, ଯେଉଁ ରାଜନୈତିକ ଦଳ ଅଳ୍ପସଂଖ୍ୟକଙ୍କୁ ସେମାନଙ୍କ ଇଚ୍ଛାରେ ବଞ୍ଚିବାର ଅଧିକାର ଦେବ ଅଳ୍ପସଂଖ୍ୟକମାନେ ସେମାନଙ୍କୁ ଭୋଟ ଦେବା ଦରକାର । ଆଜି ଦେଶରେ ମୁସଲମାନଙ୍କ ଉପରେ ବିିଭିନ୍ନ ପ୍ରତିବନ୍ଧକ ଲଗାଯାଉଛି । ଏହାସହ ସେମାନଙ୍କ ଅଧିକାର ସୁରକ୍ଷିତ ନାହିଁ ବୋଲି ସେ କହିଛନ୍ତି ।

ମଦାନୀଙ୍କ କହିବା ମୁତାବକ ଆମ ଉପରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିବନ୍ଧକ ଲଗାଯାଉଛି । ହେଲେ ଦେଶରେ ଭୋଟ ଯେଭଳି ଧର୍ମ ଆଧାରରେ ବିଭାଜିତ ନ ହେବ ତାହା ଉପରେ ସରକାର ନଜର ରଖିବା ଆବଶ୍ୟକ । ସବୁଠାରୁ ଅଧିକ ମୁସଲିମ୍ ମାନଙ୍କ ଅଧିକାର ଛଡାଇ ନିଆଯାଉଛି । ହେଲେ କିଛି ରାଜନୈତିକ ଦଳ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ମୁସଲିମ୍ ମାନଙ୍କ ଉପରେ ଲାଗୁଥିବା ପ୍ରତିବନ୍ଧକ ଉପରେ ରୋକ୍ ଲଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।