ବିବାହ ଠାରୁ ଛାଡପତ୍ର ଓ ଉତ୍ତରାଧିକାରୀ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ବଦଳିବାକୁ ଯାଉଛି ନିୟମ । ଜାଣନ୍ତୁ ୟୁସିସି ଲାଗୁ ହେବା ପରେ ଆଇନରେ ହେବ କିଭଳି ପରିବର୍ତ୍ତନ

114

କନକ ବ୍ୟୁରୋ : ଖୁବଶ୍ରୀଘ ଉତ୍ତରାଖଣ୍ଡରେ ମଧ୍ୟ ସମାନ ନାଗରିକ ସଂହିତା ଲାଗୁ ହେବାକୁ ଯାଉଛି । ଫେବୃଆରୀ ୪ ତାରିଖରେ ଉତ୍ତରାଖଣ୍ଡ କ୍ୟାବିନେଟରେ ୟୁସିସି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ମଙ୍ଗଳବାର ଦିନ ଏହା ବିଧାନସଭାରେ ଉପସ୍ଥାପିତ ହୋଇଛି । ଏବେ ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଏହା ଆଇନରେ ପରିଣତ ହେବ ।

ମଙ୍ଗଳବାର ଦିନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ବିଧାନସଭାରେ ସମାନ ନାଗରିକ ସଂହିତା ବିଧେୟକ ଉପସ୍ଥାପନ କରିଛନ୍ତି । ଏବେ ଆସନ୍ତୁ ଜାଣିବା ଏହି ଆଇନ ଲାଗୁ ହେବା ପରେ କେଉଁ କ୍ଷେତ୍ରରେ କ’ଣ ହେବାକୁ ଯାଉଛି ପରିବର୍ତ୍ତନ

ବହୁବିବାହ ଉପରେ ଲାଗିବ ପ୍ରତିବନ୍ଧକ
କିଛି ଆଇନରେ ବହୁ ବିବାହ ପାଇଁ ଅନୁମତି ରହିଛି । ହେଲେ ହିନ୍ଦୁ, ପାରସୀ ଓ ଇସାଇ ଧର୍ମରେ ବହୁ ବିବାହ ଉପରେ ପ୍ରତିବନ୍ଧକ ରହିଛି । ତେଣୁ କିଛି ଲୋକ ଦ୍ୱିତୀୟ ବିବାହ କରିବାକୁ ଧର୍ମ ପରିବର୍ତ୍ତନ କରୁଛନ୍ତି । ଏହା ଉପରେ ରୋକ ଲଗାଇବାକୁ ୟୁସିସିରେ ପ୍ରାବଧାନ ରହିଛି ।

ବିବାହର ବୟସ ସୀମା
ବିବହାର ସର୍ବନିମ୍ନ ବୟସ କେଉଁଠି ନିର୍ଦ୍ଧାରଣ କରାଯାଇଛି ତ କେଉଁଠି କରାଯାଇନାହିଁ । ନିଦ୍ଧିଷ୍ଟ ଏକ ଧର୍ମରେ ବହୁତ କମ୍ ବୟସର ବାଳିକାମାନଙ୍କର ବିବାହ କରିଦିଆଯାଉଛି । ହେଲେ ୟୁସିସି ଲାଗୁ ହେବା ପରେ କୌଣସି ଧର୍ମର ଲୋକ ୨୧ ବର୍ଷରୁ କମ୍ ବୟସର ଝିଅମାନଙ୍କର ବିବାହ କରାଇପାରିବେ ନାହିଁ ।

ଲିଭ୍ ଇନ୍ ସଂପର୍କ
ଏବେ ଅନ୍ୟ ପାଶ୍ଚାତ୍ୟ ଦେଶ ଭଳି ଭାରତରେ ମଧ୍ୟ ଲିଭ୍ ଇନ୍ ରିଲେସନସିପ୍ ବଢିବାରେ ଲାଗିଛି । ଏହାକୁ ନେଇ ଅନେକ ସମୟରେ ଅପରାଧୀକ ଘଟଣାମାନ ସାମ୍ନାକୁ ଆସୁଛି । ହେଲେ ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବା ପରେ ଲିଭ୍ ଇନରେ ରହିବାକୁ ଚାହୁଁଥିବା ଯୁବକ ଯୁବତୀମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ । ଏନେଇ ରାଜ୍ୟ ସରକାର ଏକ ୱେବପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଯଦି ପଞ୍ଜିକରଣ ନକରି ଲିଭ୍ ଇନରେ ରହୁଛନ୍ତି ତେବେ ଉଭୟ ଯୁବକ ଓ ଯୁବତୀଙ୍କୁ ୬ ମାସ ଜେଲ ଓ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ।

ବିିବାହ ପଞ୍ଜିକରଣ
ଏବେ ଉତ୍ତରାଖଣ୍ଡରେ ସମସ୍ତ ବିବାହ ସରକାରୀ ପଞ୍ଜିକରଣ ହେବ । ଯଦି କେହି ବିବାହକୁ ସରକାରୀ ପଞ୍ଜିକରଣ ନ କରନ୍ତି ତେବେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯିବ ।

ଉତ୍ତରାଧିକାରୀ ନିୟମ
ଉତ୍ତରାଧିକାରୀ ଆଇନ ନେଇ ଭାରତରେ ବିଭିନ୍ନ ଆଇନ ରହିଛି । ବିଭିନ୍ନ ଧର୍ମର ଲୋକଙ୍କ ପାଇଁ ଏହି ଆଇନ ଭିନ୍ନ ଭିନ୍ନ । ତେଣୁ ଉତ୍ତରାଧିକାରୀ ଆଇନକୁ ସରଳ କରିବା ଓ ରାଜ୍ୟର ସମସ୍ତ ଧର୍ମର ନାଗରିକଙ୍କ ପାଇଁ ସମାନ ଉତ୍ତରାଧିକାରୀ ଆଇନ ଆଣିବା ନେଇ ୟୁସିସିରେ ପ୍ରାବଧାନ ରହିଛି ।

ଭରଣ ପୋଷଣ ଆଇନ
ୟୁସିସି ଲାଗୁ ହେବା ପରେ ଯଦି କୌଣସି ଚାକିରୀ କରିଥିବା ପୁଅର ମୃତ୍ୟୁ ହୁଏ ତେବେ ତା’ର ବୃଦ୍ଧ ବାପା ଓ ମାଙ୍କ ଭରଣ ପୋଷଣ ସଂପୃକ୍ତ ପୁଅର ସ୍ତ୍ରୀଙ୍କୁ ବୁଝିବାକୁ ପଡିବ   । ସ୍ୱାମୀଙ୍କ ମୃତ୍ୟୁ ପରେ ଯଦି ପତ୍ନୀ ଦ୍ୱିତୀୟ ବିବାହ କରନ୍ତି ତେବେ ସ୍ୱାମୀ ମୃତ୍ୟୁ ପରେ ସ୍ତ୍ରୀକୁ ମିଳିଥିବା ସହାୟତା ରାଶିରୁ ପୁଅର ପିତାମାତାଙ୍କୁ ଭାଗ ମିଳିବ ।

ପୋଷ୍ୟ ସନ୍ତାନ ଗ୍ରହଣ କରିବା ଆଇନ
ୟୁସିସି ଲାଗୁ ହେବା ପରେ ମୁସଲିମ ମହିଳାଙ୍କୁ ବି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅଧିକାର ମିଳିବ । ଅନ୍ୟପଟେ ଯଦି ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୁଏ ତେବେ ସନ୍ତାନଙ୍କୁ ଜେଜେ ବାପା ଓ ଜେଜେମା ପାଖରେ ରହିବାର ଅଧିକାର ମିଳିବ ।