ଚୀନ ବନାମ ତାଇୱାନ: କାହାର ଶକ୍ତି କେତେ? ଯୁଦ୍ଧ ହେଲେ କଣ ରହିବ ସ୍ଥିତି ପଢନ୍ତୁ…

317

କନକ ବ୍ୟୁରୋ: ଚୀନ ଓ ତାଇୱାନ ମଧ୍ୟରେ ଯୁଦ୍ଧର ସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ଚୀନ ସବୁ ସମୟରେ ତାଇୱାନ ସୀମାରେ ଅନୁପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ନିଜର ଯୁଦ୍ଧ ବିମାନକୁ ତାଇୱାନର ବାୟୁସୀମା ତଥା ସମୁଦ୍ର ପଥରେ ଉପରେ ମଧ୍ୟ ଉଡାଇଥାଏ । ଏହାକୁ ଜବାବ ଦେବାକୁ ଯାଇ ତାଇୱାନ୍ ମଧ୍ୟ ଚୀନର ବିମାନକୁ ଫିଛା କରି ନିଜ ସୀମାରୁ ଘଉଡାଇଥାଏ । ବାରମ୍ବାର ଏନେଇ କୂଟନୈତିଜ୍ଞସ୍ତରରେ ଆଲୋଚନା ମଧ୍ୟ ହୋଇଛି । ଅଭିଯୋଗ-ପ୍ରତିଅଭିଯୋଗ ଭିତରେ ତାଇୱାନ୍ କିନ୍ତୁ ନିଜର ଦମ୍ଭ ଦେଖାଇବାରେ କେବେ ପଛରେ ରହିନାହିଁ ।

ସେ ଯୁଦ୍ଧ ବିମାନକୁ ଜବାବ ଦେବା ହେଉ କିମ୍ବା ସମୁଦ୍ରର ସୀମାରେ ଯୁଦ୍ଧ ପୋତକୁ ଘଉଡାଇବା ହେଉ ସବୁଥିରେ ତାଇୱାନ୍ ଚୀନକୁ କଡା ଜବାବ ଦେଇଆସୁଛି । ତେବେ ଆପଣଙ୍କୁ ତାଇୱାନର ଶକ୍ତି ବାବଦରେ ଏହି ତଥ୍ୟ ଜାଣିନେବା ଦରକାର । ଚୀନ ତୁଳନାରେ ତାଇୱାନର ଶକ୍ତି କେତେ ରହିଛି, କେତେ ଅସ୍ତ୍ରଶସ୍ତ୍ର ଅଛି, କେତେ ଯୁଦ୍ଧ ବିମାନ ଅଛି, କେତୋଟି ଯୁଦ୍ଧପୋତ ଅଛି ତାହା ଆପଣଙ୍କୁ ଜଣାଇବାକୁ ଚାହୁଁଛୁ । ଯଦି ଯୁଦ୍ଧ ହୁଏ ତେବେ କଣ ତାଇୱାନ୍ ଚୀନକୁ କଡା ଟକ୍କର ଦେଇପାରିବ କି ? ଏ ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା ।

ଯେତେବେଳେ ଦୁଇ ଦେଶ ଭିତରେ ସୈନ୍ୟ ବଳ ନେଇ ତୁଳନା କରାଯାଇଥାଏ, ତେବେ ପ୍ରଥମେ ଦେଖାଯାଇଥାଏ ଦୁଇ ଦେଶର ଜନସଂଖ୍ୟା କେତେ? ଜନସଂଖ୍ୟାକୁ ଦେଖିଲେ ବର୍ତ୍ତନମାନ ଚୀନରେ ୧୩୯ କୋଟି ନାଗରିକ ରହୁଛନ୍ତି । ବିଶ୍ୱର ସର୍ବାଧିକ ଲୋକ ଚାଇନାରେ ରହୁଛନ୍ତି । ସେପଟେ କିନ୍ତୁ ତାଇୱାନରେ ମାତ୍ର ୨.୩୫ କୋଟି ଲୋକ ବସବାସ କରୁଛନ୍ତି । ଜନସଂଖ୍ୟା ତାଲିକାରେ ବିଶ୍ୱରେ ୫୭ ତମ ସ୍ଥାନରେ ଏହି ଦେଶ ରହିଛି ।

ଏବେ ଯଦି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ କେତେଜଣ ସେନାରେ ସାମିଲ ହୋଇପାରିବେ ଏ ପ୍ରଶ୍ନ ସାମ୍ନାକୁ ଆସୁଛି । ତେବେ ଚୀନର ଜନସଂଖ୍ୟାର ୬୧.୯୨ କୋଟି ଲୋକ ସେନାରେ ସାମିଲ ହୋଇପାରିବେ । ସେହିଭଳି ତାଇୱାନର ୧୦ ଲକ୍ଷ ଲୋକ ସେନାରେ ସାମିଲ ହୋଇପାରିବେ । ଚୀନ ପାଖରେ ବର୍ତ୍ତମାନ ୨୦ ଲକ୍ଷ ଆକ୍ଟିଭ ସୈନ୍ୟ ରହିଛନ୍ତି । ଏହା ତୁଳନାରେ ତାଇୱାନ୍ ପାଖରେ ମାତ୍ର ୧.୭୦ ଲକ୍ଷ ଆକ୍ଟିଭ ସୈନ୍ୟ ରହିଛନ୍ତି । ଚୀନ ପାଖରେ ୫. ୧୦ ଲକ୍ଷ ରିଜର୍ଭ ଏବଂ ତାଇୱାନ୍ ପାଖରେ ୧୫ ଲକ୍ଷ ରିଜର୍ଭ ସୈନ୍ୟ ରହିଛନ୍ତି । ତେଣୁ ଏଠାରେ ଚୀନ ତୁଳନାରେ ତାଇୱାନ୍ ଆଗରେ ରହିଛି । ରିଜର୍ଭ ସେନା ରଖିବା ତାଲିକାରେ ତାଇୱାନ୍ ପ୍ରଥମ ସ୍ଥାନରେ ଥିବା ବେଳେ ଚୀନ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି ।

ଚୀନ ପାଖରେ ୬.୨୪ ଲକ୍ଷ ପାରାମିଲିଟାରୀ ଫୋର୍ସର ସୈନ୍ୟ ଥିବା ବେଳେ ତାଇୱାନ୍ ପାଖରେ ମାତ୍ର ୧୧ ହଜାର ୫୦୦ ଶହ ଯବାନ ରହିଛନ୍ତି । ଚାଇନା ପାଖରେ ୩୨୮୫ ବିମାନ ରହିଥିବା ବେଳେ ତାଇୱାନ୍ ପାଖରେ ମାତ୍ର ୭୪୧ ବିମାନ ରହିଛି । ଚୀନ ପାଖରେ ଯୁଦ୍ଧ ବିମାନ ସଂଖ୍ୟା ୧୨ ଶହ ଥିବା ବେଳେ ତାଇୱାନ୍ ପାଖରେ ୨୮୮ ଯୁଦ୍ଧ ବିମାନ ରହିଛି । ଚୀନ ପାଖରେ ପରିବହନ କରିବା ପାଇଁ ୨୮୬ ବିମାନ ରହିଥିବା ବେଳେ ତାଇୱାନ୍ ପାଖରେ ମାତ୍ର ୧୯ଟି ପରିବହନ କରିପାରୁଥିବା କାର୍ଗୋ ବିମାନ ରହିଛି ।

ଅନେକ ସମୟରେ ଦେଖାଯାଇଥାଏ ଯୁଦ୍ଧ ସମୟରେ ଟ୍ରେନିଂ ବିମାନକୁ ମଧ୍ୟ ଏଥିରେ ସାମିଲ କରାଯାଇଥାଏ । ଯଦି ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୁଏ ତେବେ ଏହି ସ୍ଥିତି ଦେଖାଯାଇଥାଏ । ଏହାକୁ ଯଦି ତୁଳନା କରିବା ଚୀନ ପାଖରେ ୩୯୯ ଟ୍ରେନିଂ ବିମାନ ଥିବା ବେଳେ ତାଇୱାନ୍ ପାଖରେ ୨୦୭ ଟ୍ରେନିଂ ବିମାନ ରହିଛି । ଚୀନର ସେନା ବର୍ତ୍ତମାନ ସୁଦ୍ଧା ୧୧୪ଟି ସ୍ପେଶାଲ ମିଶନ କରିସାରିଥିବା ବେଳେ ତାଇୱାନ୍ ମାତ୍ର ୧୯ ଟି ସ୍ପେଶାଲ ମିଶନ କରିଛି । ହେଲିକପ୍ଟର ସଂଖ୍ୟା ତୁଳନା କଲେ ଚୀନ ମଧ୍ୟ ତାଇୱାନ୍ ଠାରୁ ଯଥେଷ୍ଟ ଆଗରେ ରହିଛି । ଚୀନ ପାଖରେ ୯୧୨ଟି ହେଲିକପ୍ଟର ଥିବା ବେଳେ ତାଇୱାନ୍ ପାଖରେ ୨୦୮ଟି ହେଲିକପ୍ଟର ରହିଛି । ଯଦି ଚୀନ ଆକ୍ରମଣ କରେ ତେବେ ତାଇୱାନ୍ ତା ସାମ୍ନାରେ କିଛି ନୁହେଁ ।

ଚୀନ ପାଖରେ ଥିବା ଏହି ୯୧୨ ହେଲିକପ୍ଟର ମଧ୍ୟରୁ ୨୮୧ଟି ଆଟାକ ହେଲିକପ୍ଟର । ସେହିଭଳି ତାଇୱାନ୍ ପାଖରେ ୯୧ଟି ଆଟାକ ହେଲିକପ୍ଟର ରହିଛି । ଟ୍ୟାଙ୍କ କଥା ତୁଳନା କଲେ ଚୀନ ମଧ୍ୟ ଏଠାରେ ଅନେକ ଆଗରେ ରହିଛି । ୫୨୫୦ଟି ଟ୍ୟାଙ୍କ ଚାଇନା ପାଖରେ ଥିବା ବେଳେ ମାତ୍ର ୧୧୧୦ଟି ଟ୍ୟାଙ୍କ ତାଇୱାନ୍ ପାଖରେ ରହିଛି । ସେହିଭଳି ୩୫ ହଜାର ସଶସ୍ତ୍ର ଗାଡି ଚାଇନ ସେନା ପାଖରେ ରହିଥିବା ବେଳେ ତାଇୱାନ୍ ପାଖରେ ମାତ୍ର ୩୪୭୧ଟି ସଶସ୍ତ୍ର ଗାଡି ରହିଛି । ଅନ୍ୟପଟେ ଚୀନ ପାଖରେ ୪୧୨୦ଟି ସ୍ୱୟଂଚାଳିତ ଆର୍ଟିଲେରୀ ରହିଥିବା ବେଳେ ତାଇୱାନ୍ ପାଖରେ ମାତ୍ର ୨୫୭ଟି ସ୍ୱୟଂଚାଳିତ ଆର୍ଟିଲେରୀ ରହିଛି । ଚାଇନା ପାଖରେ ୧୭୩୪ଟି ଏବଂ ତାଇୱାନ୍ ପାଖରେ ୧୪୧୦ଟି ଟାଣିନେଉଥିବା ତୋପ ରହିଛି ।

ମୋବାଇଲ ରକେଟ ପ୍ରୋଜେକ୍ଟ କଥା ଯଦି ଦେଖିବା ଚୀନ ପାଖରେ ୩୧୬୦ଟି ଏବଂ ତାଇୱାନ୍ ପାଖରେ ୧୧୫ଟି ପ୍ରୋଜେକ୍ଟସ ରହିଛି । ଚୀନ ପାଖରେ ୨ଟି ବିମାନ ବାହକ ଯୁଦ୍ଧପୋତ ଥିବା ବେଳେ ତାଇୱାନ୍ ପାଖରେ କୌଣସି ଯୁଦ୍ଧପୋତ ନାହିଁ । ଚୀନ ପାଖରେ ୭୯ଟି ବୁଡାଜାହାଜ ରହିଥିବା ବେଳେ ତାଇୱାନ ପାଖରେ ମାତ୍ର ୪ଟି ବୁଡାଜାହାଜ ରହିଛି । ଏହି ଭଳି ଭାବେ ଚାଇନା ତାଇୱାନ୍ ତୁଳନାରେ ଅନେକ ଆଗରେ ରହିଛି ।