ୟୁଏଇ ରାଷ୍ଟ୍ରପତିଙ୍କ ଦେହାନ୍ତ । ୭୩ ବର୍ଷରେ ସେଖ ଖଲିଫା ବିନ ଜାୟଦ ଅଲ ନାହୟାନ ପରଲୋକ । ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ।

200

କନକ ବ୍ୟୁରୋ: ୟୁଏଇର ରାଷ୍ଟ୍ରପତି ସେଖ ଖଲିଫା ବିନ ଜାୟଦ ଅଲ ନାହୟାନଙ୍କ ପରଲୋକ । ଏନେଇ ଦେଶର ନ୍ୟୁଜ ଏଜେନ୍ସି ଡବ୍ଲୁଏଏମ ସୂଚନା ଦେଇଛି । ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି । ଶେଖ ଖଲିଫା ୨୦୦୪ ନଭେମ୍ବର ୩ରେ ୟୁନାଇଡେଟ ଆରବ ଏମିରେଟସରର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ । ଏହା ସହ ଆବୁଧାବିର ଶାସନ କ୍ଷମତା ମଧ୍ୟ ତାଙ୍କ ହାତରେ ରହିଥିଲା ।

ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାରା ଦେଶରେ ୪୦ ଦିନିଆ ଶୋକ ଘୋଷଣା ହୋଇଛି । ସେହିଭଳି ୟୁଏଇର ଜାତୀୟ ପତାକାକୁ ଅର୍ଦ୍ଧନିମିତ ରଖାଯାଇଛି । ଦେଶର ସମସ୍ତ ମନ୍ତ୍ରାଳୟ, ବିଭାଗ, ସଂଘୀୟ ଓ ସ୍ଥାନୀୟ ସଂସ୍ଥାନକୁ ବନ୍ଦ କରାଯାଇଛି । ସେଖ ଖଲିଫା ବିନ ଜାୟଦଙ୍କ ଦିବଙ୍ଗତ ପିତା ସେଖ ଜାୟଦ ବିନ ସୁଲତାନ ଅଲ ନାହୟାନଙ୍କ ଉତ୍ତରାଧିକାରୀ ଭାବେ ସେ ଦାୟିତ୍ୱ ନେଇଥିଲେ । ଶେଖ ସୁଲତାନ ୧୯୭୧ରେ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ । ୨୦୦୪ ନଭେମ୍ବର ୨ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଶେଖ ଖଲିଫା ବିନ ଜାୟଦ ୧୯୪୮ରେ ଜନ୍ମ ହୋଇଥିଲେ । ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ସେ କାମ କରୁଥିଲେ । ଆବୁଧାବିର ୧୬ ତମ ଶାସକ ଭାବେ ସେ କ୍ଷମତାରେ ଥିଲେ । ଦେଶର ରାଷ୍ଟ୍ରପତି ହେବା ପରେ ସେ ସଂଘୀୟ ସରକାର ଏବଂ ଆବୁଧାବିର ସରକାର ମଧ୍ୟରେ ଅନେକ ପରିବର୍ତ୍ତନ କରିଥିଲେ । ତାଙ୍କ ଶାସନ ସମୟରେ ଦେଶରେ ଅନେକ ବିକାଶ ହୋଇଛି ।