ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମୁହଁ ଫେରାଇଲା ଆମେରିକା । ସବୁ ସଂପର୍କ ଛିନ୍ନ ନେଇ ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ କରୋନା ତଥ୍ୟ ଲୁଚାଇବାରେ ହୁ କରିଛି ବଡ ଭୁଲ ।

768

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସଂପର୍କ ଛିନ୍ନ କରିଛି ଆମେରିକା । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସମ୍ପର୍କିତ ତଥ୍ୟକୁ ଚାପିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଥିବା କହିଛି ଆମେରିକା । ଟ୍ରମ୍ପ କହିଛନ୍ତି ଯେ ଚୀନକୁ ସହାୟତା କରିବାକୁ ଯାଇ ହୁ ସଠିକ୍ ସମୟରେ କରୋନା ସମ୍ପର୍କିତ ସୂଚନା ନଦେବାରୁ ଆଜି ବିଶ୍ୱରେ ଏହା ମହାମାରୀ ରୂପ ନେଇଛି । ଆମେରିକାରେ ଏହା ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି ।

ସେହିପରି ଚୀନର ଏପରି ନୀତିକୁ ସମାଲୋଚନା କରି ଟ୍ରମ୍ପ କହିଛନ୍ତି ଯେ ଏହା ଗ୍ରହଣୀୟ ନୁହଁ । ଚୀନର କେତେକ ନିର୍ଦ୍ଦିଷ୍ଟ ଲୋକଙ୍କୁ ଆମେରିକା ପ୍ରତି ବିପଦ ଦର୍ଶାଇ ସେମାନଙ୍କର ଆମେରିକାରେ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ବର୍ତମାନ ବିଶ୍ୱରେ ୨ ଶହରୁ ଅଧିକ ଦେଶରେ କରୋନା ମହାମାରୀ ରୂପ ଧାରଣ କରିଛି । ଏହି ମହାମାରୀରେ ବିଶ୍ୱରେ ବର୍ତମାନ ସୁଦ୍ଧା ୫୮ ଲକ୍ଷ ୭୮ ହଜାର ୭୦୧ ଜଣ ସଂକ୍ରମିତ ରହିଛନ୍ତି । ଏହା ମଧ୍ୟରୁ ୩ ଲକ୍ଷ ୬୨ ହଜାର ୭୬୯ ଜଣଙ୍କ ଜୀବନ ନେଲାଣି କରୋନା । ଏସବୁ ଭିତରେ କରୋନାରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଛି ଆମେରିକା ।

ଏବେ ଆମେରିକା ଅଭିଯୋଗ ଆଣିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ଚୀନ ଅକ୍ତିଆରରେ ରହିଛି । ଚୀନ୍ କଥାରେ କାମ କରୁଛି । ସାରା ବିଶ୍ୱରେ କରୋନା ସ୍ଥିତିରେ ପରିବର୍ତନ ଆଣିବାରେ ବିଫଳ ରହିଛି ହୁ । ଏପରି ଅଭିଯୋଗ ଆଣି ସେ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ବାର୍ଷିକ ୪୫୦ ମିଲିୟନ ଡଲାର ଦେଉଛି ଆମେରିକା । ଚୀନ୍ ଦେଉଛି ମାତ୍ର ୪୦ ମିଲିୟନ ଡଲାର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଆବଶ୍ୟକ ସଂଶୋଧନ ପାଇଁ ଆମେରିକା ଦେଇଥିବା ୩୦ ଦିନର ମହଲତ ପୂରଣ ହେବା ପରେ ଏବେ ଆମେରିକା ହୁ ଠାରୁ ମୁହଁ ଫେରାଇ ନେଇଛି । କିଛି ଦିନ ଆଗରୁ ହୁ କୁ ସମସ୍ତ ଅନୁଦାନ ବନ୍ଦ କରିଥିଲା ଆମେରିକା । ଏବେ ସମସ୍ତ ସଂପର୍କ ଛିନ୍ନ କରିଥିବା ଘୋଷଣା କରିଛି ।